ହେଲାନି ରାସ୍ତା ଜମି ଚିହ୍ନଟ: ଧାରଣାରେ ବସିଲେ ବଞ୍ଚୋ ସରପଞ୍ଚ
ହାଟଡିହି (ଓ୍ବାଇଏନଏସ): ରାସ୍ତା ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇ ନ ପାରିବାରୁ ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ତାଙ୍କ ଅଭିଯୋଗ ଅନୁଯାଇ ବଞ୍ଚୋ ଗାଁ ଭିତର ଦେଇ ଏକ ଆର.ଡି ରାସ୍ତା ନିର୍ମାଣ ହେଉଥିବା ବେଳେ କିଛି ବ୍ୟକ୍ତି ସିମେଣ୍ଟ ଖୁଣ୍ଟି ପୋତିଦେଇ ରାସ୍ତାକୁ ଅବରୋଧ କରିଦେଇଛନ୍ତି। ଫଳରେ ରାସ୍ତା ନିର୍ମାଣ ଆଗେଇ ପାରୁନି। ସାଧାରଣ ଲୋକମାନେ ଯାତାୟାତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏନେଇ ରାଜସ୍ବ ନିରୀକ୍ଷକଙ୍କ ଠାରୁ ଆରମ୍ଭ କରି ତହସିଲଦାର ପର୍ଯ୍ୟନ୍ତ ସବୁଠି ଜଣାଇବା ସହିତ ରାସ୍ତାର ଜମି ଚିହ୍ନଟ ପାଇଁ ବାରମ୍ବାର ଦାବି କରି ଆସୁଛୁ। ଗତ ଅଗଷ୍ଟ ମାସରେ ମାପ ହୋଇ ନପାରି ତହସିଲ କର୍ତ୍ତୃପକ୍ଷ ଫେରି ଯାଇଥିବା ବେଲେ। ପରବର୍ତ୍ତୀ ସମୟରେ ଆଜି ଚିହ୍ନଟ ପାଇଁ ହାଟଡିହି ତହସିଲଦର ଚିଠି କରିଥିବା ବେଳେ ପୋଲିସ, ରାଜସ୍ବ ସୁପରଭାଇଜର, ରାଜସ୍ବ ନିରୀକ୍ଷକ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ମାପିବାକୁ ଥିବା ରାସ୍ତାପାଖ ଜମିର ମାଲିକ ଜମି ଚିହ୍ନଟକୁ ବିରୋଧ କରିଥିଲେ। ତାଙ୍କର ଏହି ଜମି ସମ୍ପର୍କିତ ମାମଲା କୋର୍ଟରେ ବିଚରାଧୀନ ଥିବାରୁ ତାଙ୍କ ଜମି ପରିସୀମା ଭିତରେ ପସି ମାପଚୁପ କରିବାକୁ ସେମାନେ ବାରଣ କରିବାରୁ ପୋଲିସ ଓ ଅଧିକାରୀ ମାନେ ଫେରି ଆସିଥିଲେ। ପ୍ରଶାସନ ଜମି ଚିହ୍ନଟ ନକରି ବାରମ୍ବାର ଫେରୁଥିବାରୁ ସରପଞ୍ଚ ଏଥିରେ ଅସନ୍ତୋଷ ପ୍ରକାଶ କରି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମୁଖରେ ଗାନ୍ଧୀ ଫଟୋ ରଖି ଧାରଣାରେ ବସିଥିଲେ। ଏ ସମ୍ପର୍କରେ ହାଟଡିହି ତହସିଲଦାର ଶିବବ୍ରତ ତ୍ରିପାଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ରାସ୍ତା ଚିହ୍ନଟ ହେବା ଚତୁର୍ପାଶ୍ୱର ଜମି ମାପର ଆବଶ୍ୟକତା ଥିବାରୁ ଜମି ମାଲିକ ଏକ ମାପ ନକରିବା ପାଇଁ ଦାବିପତ୍ର ଦେଇଥିଲେ। ଏବଂ ସେହି ଜମି ଉପରେ ମାମଲା ଚାଲୁଥିବା ଦୃଷ୍ଟିରୁ ଆଜି ମାପ ହୋଇପାରିନି। ପରବର୍ତ୍ତୀ ସମୟରେ ଆଉ କିଛି ଆଇନୀଗତ ସହାୟତା ନିଆଯାଇ ମାପ କରାଯିବ ବୋଲି କହିଛନ୍ତି।


