ନାକଚ ଭୋଟକୁ ନେଇ ହାଟଡିହି କଲେଜ ସମ୍ମୁଖରେ ରାସ୍ତାରୋକ, ଉତ୍ତେଜନା

ହାଟଡିହି,(ଓ୍ବାଇଏନଏସ): ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ନାକଚ ହୋଇଥିବା ଭୋଟକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏବିଭିପିର ସମସ୍ତ ପାର୍ଥୀ ବିଜୟୀ ହେବା ପରେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଅନ୍ୟ ଦଳର ଛାତ୍ରଛାତ୍ରୀ। ଏହାକୁ କେନ୍ଦ୍ର କରି ବିସିଜେଡି ଓ ଏନ୍‌ଏସ୍‌ୟୁଆଇର ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ରାସ୍ତାରୋକ କରିଛନ୍ତି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ, କଲେଜରେ ଛାତ୍ର ସଂସଦ ନିର୍ବାଚନ ଶେଷ ହେବା ପରେ ନାକଚ ହୋଇଥିବା ୬୦ଭୋଟକୁ ନେଇ ବିସିଜେଡି ଓ ଏନ୍‌ଏସ୍‌ୟୁଆଇ ସମର୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହି ଭୋଟକୁ ନେଇ ଆପତ୍ତି ଉଠାଇ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ରାସ୍ତାରୋକ କରିଥିଲେ। ସେମାନଙ୍କ କହିବା କଥା ଯେ ଏଜେଣ୍ଟ ମାନଙ୍କ ଠାରୁ ଆଗତୁରା ଦସ୍ତଖତ ନେଇଯାଇ ଗଣତିରେ ଜାଲିଆତି କରିଛନ୍ତି। ନାକଚ ଭୋଟ କୁ ଏଜେଣ୍ଟ ମାନଙ୍କୁ ଦେଖାଇ ନାହାନ୍ତି। ରାସ୍ତାରୋକ ଦ୍ୱାରା ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକ ଓ ଯାନବାହନ ଚାଳକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ପରିସରରେ ପୂର୍ବରୁ ରାଜନୈତିକ ଉତ୍ସାହ ଲାଗି ରହିଥିବାବେଳେ ନାକଚ ଭୋଟକୁ ନେଇ ଏହି ପ୍ରତିବାଦ ଘଟଣାକୁ ଆହୁରି ଚର୍ଚ୍ଚାର ବିଷୟ କରିଛି। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଭୋଟ ଗଣତି ସମ୍ପର୍କରେ ସ୍ପଷ୍ଟତା ରହିବା ନେଇ ଛାତ୍ରଛାତ୍ରୀଙ୍କ ଦାବି ଗୁରୁତ୍ୱ ବହନ କରୁଛି।

ତେବେ କେଉଁ କାରଣରୁ ଭୋଟଗୁଡ଼ିକ ନାକଚ ହୋଇଥିଲା ଏବଂ ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କି ପଦକ୍ଷେପ ନିଆଯାଇଛି, ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ଆନନ୍ଦପୁର ଏସ୍ଡ଼ିପିଓ କମଳ କୁମାର ପଣ୍ଡା, ଆଇ ଆଇ ସି ଧର୍ମେନ୍ଦ୍ର ଶାନ୍ତି ଓ ଅନ୍ୟ ଥାନାର ଅଧିକାରୀ ମାନେ ଘଟଣା ସ୍ଥଳରେ ଉପସ୍ଥିତ ରହି ବୁଝା ସୁଝା କରୁଥିଲେ ବି ଛାତ୍ରଛାତ୍ରୀ ମାନେ ନିଜ ଜିଦ ରେ ଅଟଳ ରହିଛନ୍ତି।  ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିବା ପରେ କଲେଜ କର୍ତ୍ତୃପକ୍ଷ ଙ୍କୁ ଭେଟିବାକୁ ଯାଇଥିଲେ ବି କାହାକୁ ନପାଇ ଫେରି ଆସିଛନ୍ତି। ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ମତାମତ ମିଳି ପାରିନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ