ବିନା ଅନୁମତିରେ ରାସ୍ତା ଖୋଳୁଛି ଠିକାସଂସ୍ଥା : ପିଚୁ, କଂକ୍ରିଟ ରାସ୍ତାରେ ମାଟିଗଦା, ଯାତାୟାତରେ ସମସ୍ୟା
କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ଗ୍ରାମାଞ୍ଚଳ ରେ ପାନୀୟ ଜଳ ଯୋଗାଣ ବିଭାଗ (ଆର ଡବ୍ଲୁ ଏସ ଏସ )ତରଫରୁ ବିଭିନ୍ନ ଗ୍ରାମକୁ ଜଳ ଯୋଗାଣ ନିମନ୍ତେ ପାଇପ୍ ବିଛାଇବା କାର୍ଯ୍ୟ ଜାରୀ ରହିଛି। ପାଇପ୍ ବିଛାଉଥିବା ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ କୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଠିକାସଂସ୍ଥା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଆଳସାହି ପଂଚାୟତ ର ବିଭିନ୍ନ ସ୍ଥାନରେ ବିନା ଅନୁମତିରେ ରାସ୍ତାକୁ ଖୋଳି ନଷ୍ଟ କରିବାରେ ଲାଗିଛି। ଯାତାୟାତ କରିବାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଦିନ ପୂର୍ବେ ଓଳିହାଁ ଗ୍ରାମରେ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାମ କରୁଥିବା “ଦି ଇଣ୍ଡିଆ ହ୍ୟୁମ ପାଇପ୍ କୋ ଲିମିଟେଡ଼ “ନାମକ ଠିକା ସଂସ୍ଥା ବିନା ଅନୁମତିରେ ବେଆଇନି ଭାବେ କଂକ୍ରିଟ ରାସ୍ତାକୁ ଖୋଳି ନଷ୍ଟ କରିଦେଇଛି। ଖୋଳିବା ସମୟରେ ବ୍ୟାରିକେଟ କିମ୍ବା ସତର୍କତା ସୂଚନା ନଥାଇ ଖୋଳା ଯାଇଥିବା ଯୋଗୁଁ ଅନେକ ଲୋକ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଗତ ଫେବୃଆରୀ ମାସରେ ଡ଼ଃ ଲକ୍ଷ୍ମୀଧର ବିଶ୍ୱାଳ, ତ୍ରିଲୋଚନ ମହାନ୍ତି ଓ ସୁନୀଲ କୁମାର ପ୍ରଧାନ ଅସ୍ତରଙ୍ଗ ଥାନାରେ ୨ଥର ଅଭିଯୋଗ କରିଛନ୍ତି। ଅଭିଯୋଗ ରେ ସମସ୍ୟା ଦର୍ଶାଇବା ସହ ଅସ୍ତରଙ୍ଗ ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ସାଗର ବିଶ୍ୱାଳ, ଦି ଇଣ୍ଡିଆ ହ୍ୟୁମ ପାଇପ୍ କୋ ଲିମିଟେଡ଼ ର ମାଲିକ ଓ ସ୍ଥାନୀୟ ଠିକାଦାର ତଥା ଜେସିବି ମାଲିକ ସନ୍ତୋଷ ଖୁଣ୍ଟିଆ ଙ୍କ ନାଁରେ ଅଭିଯୋଗରେ ଦର୍ଶାଇଛନ୍ତି। ଏତେ ବଡ଼ ସମସ୍ୟା ସହ ଅଭିଯୋଗ ପରେ ମଧ୍ୟ ପୁଲିସ ତଦନ୍ତ କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଏ ପର୍ଯ୍ୟନ୍ତ ପୁଲିସ ପରିଦର୍ଶନ କରିନାହାନ୍ତି। ଅଭିଯୋଗକାରୀ ଡ଼ଃ ଲକ୍ଷ୍ମୀଧର ବିଶ୍ୱାଳ କୁହନ୍ତି ;ଅସ୍ତରଙ୍ଗ ଥାନାର କାର୍ଯ୍ୟରତ ଏଏସଆଇ ପ୍ରଶାନ୍ତ କୁମାର ସାମନ୍ତରାୟ ବିଏନଏସ ଆଳ ଦେଖାଇ “ପ୍ରାକ ପଞ୍ଜିକରଣ ତଦନ୍ତ “ଚାଲିଥିବା କହି ଘଟଣା କୁ ଚାପି ଦେବାକୁ ଚେଷ୍ଟା କରିଥିଲେ। ତଦନ୍ତ ନାଁରେ ଆଇନିଗତ ସମୟ ସୀମା ଶେଷ ହୋଇ ସାରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇ ନାହିଁ। ଅନ୍ୟ ପଟେ ପିଚୁ ଓ କଂକ୍ରିଟ ରାସ୍ତାରେ ମାଟି, ପାଇପ୍ ଗଦା ହୋଇ ରହୁଥିବାରୁ ରାସ୍ତା ସଂକୀର୍ଣ୍ଣ ହୋଇ ଦୁର୍ଘଟଣା କାରଣ ସାଜୁଛି। ପାଇପ୍ ବିଛାଇ ସାରିବା ପରେ ସଠିକ ଭାବେ ରାସ୍ତା ମରାମତି କରାଯାଉନି। କେବଳ ମାଟି ଘୋଡେଇ କାମ ସାରି ଦିଆଯାଉଛି। କିଛି ଦିନ ରେ ତାହା ଦବି ଖାଲ ହୋଇ ବିପଦ କାରଣ ସାଜୁଛି। ଜେସିବି ସହାୟତା ରେ ରାସ୍ତାକୁ ମଡ଼ାଇ ଖୋଳି ଦିଆଯିବା ସହ ରାସ୍ତା ଉପରେ ମାଟି ଗଦା ହୋଇ ରହିଛି। ରାସ୍ତା ଖୋଳିଲେ ପୂର୍ତ୍ତ ବିଭାଗ ଅଥବା ଗ୍ରାମ୍ୟ ଉନୟନ ବିଭାଗ ର ଅନୁମତି ନେଇ କାମ ସାରିବା ପରେ ପୁଣି ମରାମତି କରି ପୂର୍ବ ସ୍ଥିତି ଫେରାଇ ଆଣିବା କଥା।ମାତ୍ର ସେପରି କରାଯାଉନି, ରାସ୍ତା ଉପରେ ଅନେକାଂଶ ରେ ମାଟି ପଡି ରହୁଛି। ଯାହାକି ବର୍ଷା ସମୟରେ କାଦୁଅ ପଚ ପଚ ହେବା ସହ ରାସ୍ତା ନଷ୍ଟ କରୁଛି। ଠିକାସଂସ୍ଥାର ଏପରି କାର୍ଯ୍ୟକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।ପୁରୀ ଜିଲ୍ଲାପାଳ ଓ ଏସ୍ପି ଏ ଦିଗରେ ପଦକ୍ଷେପ ନେବା ସହ ସମ୍ପୂକ୍ତ ଠିକାସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି। ଏ ସମ୍ପର୍କରେ ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ଅସ୍ତରଙ୍ଗ କନିଷ୍ଠ ଯନ୍ତ୍ରୀ ସାଗର ବିଶ୍ୱାଳ ଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିବା ବେଳେ ଯୋଗାଯୋଗ ସମ୍ଭବ ହୋଇ ପାରିନି।


