ସ୍କୁଲରେ ପ୍ରଧାଶିକ୍ଷକଙ୍କ ମନମାନିକୁ ନେଇ ଅଭିଯୋଗ କଲେ ସରପଞ୍ଚ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଗୋବିନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାଶିକ୍ଷକଙ୍କ ମନମାନି କାର୍ଯ୍ୟକଳାପକୁ ନେଇ ସରପଞ୍ଚ ଉଚ୍ଚ କର୍ତ୍ତୃପକ୍ଷ ନିକଟରେ ଅଭିଯୋଗ କରିଛନ୍ତି। ସରପଞ୍ଚଙ୍କ ଅଭିଯୋଗ ଅନୁଯାଇ ଗୋବିନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଥିବାବେଳେ ପ୍ରଧାନ ଶିକ୍ଷକ ଜଣକ ମନଇଛା ସ୍କୁଲକୁ ଯିବା ଆସିବା କରୁଥିବା ବେଳେ ମଧ୍ୟାହ୍ନରେ ସ୍କୁଲ ଛାଡି ପଳାଇଥାନ୍ତି। ଆଜି ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି ଏହାର ପ୍ରତିବାଦ କରିବା ସହ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସରପଞ୍ଚ ଙ୍କ ସହ ପ୍ରଧାନ ଶିକ୍ଷକଙ୍କ ଯୁକ୍ତିତର୍କ ହୋଇଥିଲା। ସରପଞ୍ଚ ପଞ୍ଚାୟତ ଶିକ୍ଷା ବିଭାଗର ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ଥିବାବେଳେ ଏପରି ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରି ବିଇଓ ଏବଂ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ। ଅଭିଯୋଗ ପାଇବା ପରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ଓ ସହକାରୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଛନ୍ତି। ତଦନ୍ତ କରିବାକୁ ଯାଇଥିବା ଅଧିକାରୀ ମାନେ ସରପଞ୍ଚଙ୍କ ସମେତ ଏସ.ଏମ.ସି କମିଟି ଅଧ୍ୟକ୍ଷା , ସ୍କୁଲର ପ୍ରଧାନଶିକ୍ଷକଙ୍କୁ ପଚରା ଉଚୁରା କରି ସମସ୍ତଙ୍କ ବୟାନ ରେକର୍ଡ କରିଛନ୍ତି। ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ ପ୍ରତିଶୃତି ଦେଇଛନ୍ତି।


