ରାସ୍ତାରେ ଅଟକିଲା ସ୍କୁଲ ଗାଡ଼ି: ଟାଣି ଟାଣି ନୟାନ୍ତ ହେଲେ ଛାତ୍ରଛାତ୍ରୀ
ହାଟଡିହି (ଓ୍ବାଇଏନଏସ): ଆଉ କିଛି ଗାଡ଼ି ଯାଉ କି ନଯାଉ ବାଲି ବୋଝେଇ ଗାଡି ଆଗ ଯିବ। ଜିଲ୍ଲା ପ୍ରଶାସନ ଜୁନ୍ ୧୫ତାରିଖ ଠାରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ବର୍ଷାଋତୁକୁ ଲକ୍ଷ୍ୟରେ ରଖି ବାଲି ଉତ୍ତୋଳନ ଓ ପରିବହନ ଉପରେ କଟକଣା ଲଗାଇଛନ୍ତି। ତାକୁ କାର୍ଯ୍ୟକାରୀ କରିବା ଦାୟିତ୍ବ ପୁଲିସ ବିଭାଗର ହୋଇଥିବା ବେଳେ ପୋଲିସ୍ ରକ୍ଷକ ହୋଇ ଭକ୍ଷକ ସାଜିଥିବାରୁ ଏବେ ଖୁଲାମ୍ ଖୁଲା ବାଲି ପରିବହନ ହେଉଛି। ବର୍ଷା ଦିନରେ ଏ ଅଞ୍ଚଳର ରାସ୍ତା ଗୁଡିକ ଶୋଚନୀୟ ହୋଇ ପଡ଼ିଥିବା ବେଳେ ବାଲି ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ବେ ପୁଲିସ କି ପ୍ରଶାସନ କର୍ଣ୍ଣପାତ କରୁ ନାହାନ୍ତି। ଯେଉଁଥିପାଇଁ ଆଜି ଡଅଁର ନିକଟରେ ଏକ ସ୍କୁଲ ଗାଡ଼ି ଦୀର୍ଘ ଡୁଇ ଘଣ୍ଟା ଧରି ଫସି ରହିଥିଲା। ସୁଚନା ଅନୁଯାଇ ଆଜି ସଂଖୁଳା ସ୍ଥିତ ଏକ ସ୍କୁଲର ଭ୍ୟାନ ଟି ଛାତ୍ରଛାତ୍ରୀଙ୍କୁ ଛାଡ଼ିବାକୁ ଆଇତିପୁର ଆସୁଥିଲା। ଏଥିରେ ଆଇତିପୁର, ଚଷାଖଣ୍ଡ, ସାହାପୁର ଆଦି ୫ଖଣ୍ଡ ଗ୍ରାମର ୧୫ରୁ ଉର୍ଦ୍ଧ୍ୱ ଛୁଆ ଥିଲେ। ଗତକାଲି ରାତିରେ ଏହି ରାସ୍ତାରେ ଅନେକଗୁଡ଼ିଏ ୧୦ଚକିଆ, ୧୨ଚକିଆ ବାଲି ବୋଝେଇ ଭାରି ଯାନ ଯାଇଥିବାରୁ ରାସ୍ତାଟି ଶୋଚନୀୟ ହୋଇପଡି ଥିଲା। ସ୍କୁଲ ଭ୍ୟାନଟି ଏହି ରାସ୍ତାରେ ଯିବା ମାତ୍ରେ ତାହା ଫସି ଯାଇଥିଲା। ଅନେକ ସମୟ ଧରି ଭ୍ୟାନ୍ ରେ ଥିବା ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଟଣା ଓଟରା କରିଥିଲେ ବି ଭ୍ୟାନ ଟି ଉପରକୁ ଉଠି ନଥିଲା। ଦୀର୍ଘ ଦୁଇ ଘଣ୍ଟା ପରେ ସ୍ଥାନୀୟ ଲୋକମାନେ ଏକ ଟ୍ରାକ୍ଟର ଡାକି ଭ୍ୟାନ ଟିକୁ ଉଠାଇବା ପରେ ଛାତ୍ର ଛାତ୍ରୀ ମାନେ ଘରକୁ ଯାଇଥିଲେ। ଖାଲି ସ୍କୁଲ ଛାତ୍ରଛାତ୍ରୀ ନୁହନ୍ତି ଏହି ରାସ୍ତା ଉପରେ ୩ଟି ପଞ୍ଚାୟତ ର ଲୋକ ନିର୍ଭର କରୁଥିବା ବେଳେ ଭଦ୍ରକ ଜିଲ୍ଲାର ଅନେକ ଲୋକ ନିର୍ଭର କରିଥାନ୍ତି। ରାସ୍ତାର ଏପରି ଅଵସ୍ଥା ଯୋଗୁଁ ମୋ ବସ ଯାତାୟତ କରୁ ନଥିବା ବେଳେ ଆମ୍ବୁଲାନ୍ସ ଟିଏ ବି ଯାଇ ପାରୁନି। ପ୍ରଶାସନ ତୁରନ୍ତ ବାଲି ପରିବହନ ବନ୍ଦ କରିବା ସହିତ ରାସ୍ତା ମରାମତି କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।