ହାଇକୋର୍ଟରେ ୨୦୨୬ର ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
କଟକ, (ଓ୍ବାଇଏନଏସ): ହାଇକୋର୍ଟରେ ଆଜି ୨୦୨୬ର ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ ମାନସ ରଞ୍ଜନ ପାଠକ, ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ଜଷ୍ଟିସ କୃଷ୍ଣ ରାମ ମହାପାତ୍ରଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୧୧୫ଟି ମାମଲାର ଆପୋଷ ବୁଝାମଣାରେ ଫଏସଲା କରାଯାଇଛି। ଜଷ୍ଟିସ ବି.ପି.ରାଉତରାୟ, ଡକ୍ଟର ଜଷ୍ଟିସ ଏସ.କେ.ପାଣିଗ୍ରାହୀ, ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ ଭି.ନରସିଂହ, ଜଷ୍ଟିସ ବି.ପି.ଶତପଥୀ, ଜଷ୍ଟିସ ଏମ.ଏସ. ରମଣ, ଜଷ୍ଟିସ ଏସ.କେ.ମିଶ୍ର, ଜଷ୍ଟିସ ଗୌରୀଶଙ୍କର ଶତପଥୀ, ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ମାମଲା ଗୁଡିକର ଫଏସଲା କରିଥିଲେ। ଏଥି ମଧ୍ୟରେ ବୀମା କ୍ଷତିପୂରଣ, ଚାକିରି ସଂପର୍କିତ, ବୈବାହିକ ବିବାଦ ମାମଲା ଅନ୍ତର୍ଭୁକ୍ତ। ଏହି ଲୋକ ଅଦାଲତରେ ସାଧାରଣ ବୀମା କମ୍ପାନି ମଧ୍ୟରୁ ନ୍ୟାସନାଲ ଇନସ୍ୟୁରାନ୍ସ, ନ୍ୟୁ ଇଣ୍ତିଆ ଆସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍ ଇଣ୍ତିଆ ଇନସ୍ୟୁରାନ୍ସ କମ୍ପାନି ଓ କେତେକ ଘରୋଇ ବୀମା କମ୍ପାନି, ଭୂମି ଅଧିକାରୀ, ବିଦ୍ୟୁତ ଅଧିକାରୀ, ବ୍ୟାଙ୍କ ଅଧିକାରୀ ଅ˚ଶ ଗ୍ରହଣ କରିଥିଲେ। କ୍ଷତିପୂରଣ ବାବଦରେ ୯ କୋଟି ୬୮ ଲକ୍ଷ ୧୧ ହଜାର ୩୩୪ ଟଙ୍କା ପ୍ରଦାନ ପାଇଁ ଆଜି ଅନୁଷ୍ଠିତ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି।


