ବିଭିନ୍ନ ଶୈବ ପୀଠରେ ଶିବ-ପାର୍ବତୀଙ୍କ ବିବାହ ଉତ୍ସବ

ମୋହନା (ଓ୍ବାଇଏନଏସ): ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ଶୈବ ପୀଠରେ ଶିବ-ପାର୍ବତୀଙ୍କ ବିବାହ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିବାହ ଉତ୍ସବ ଓ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ଚ଼ଳଚଞ୍ଚଳ ହୋଇ ଉଠିଛି ବ୍ଳକରେ ରହିଥିବା ବିଭିନ୍ନ ଶୈବପୀଠ। ମୋହନା, ଅଡ଼ବା, ବିରିକୋଟ, ଚାନ୍ଦିପୁଟ ,ଚ଼ନ୍ଦ୍ରଗିରି ଆଦି ଗାଁରେ ରହିଥିବା ଶୈବପୀଠ ଗୁଡ଼ିକରେ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହ ବିବାହ ଉତ୍ସବ ସମାପନ ହୋଇଥିଲା। ସକାଳୁ ଠାକୁରଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ସନ୍ଧ୍ୟାରେ ମହାଦେବଙ୍କୁ ଏକ ସୁସଜ୍ଜିତ ରଥରେ ବର ବେଶରେ ସଜାଇ ଢ଼ୋଲ, ଗିନି, ମୃଦଙ୍ଗ ବଜାଇ ଓ ନାଚଗୀତ କରି ବାଣ ଫୁଟାଇ ସାହି ପରିକ୍ରମା କରାଯିବା ପରେ ରାତି ପ୍ରାୟ ଆଠଟାରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ବରପିତା ଭାବେ ସୁଶାନ୍ତ କୁମାର ସାହୁ ଓ କନ୍ୟା ପିତା ଭାବେ ମହାଦେବ ପଣ୍ଡା ଦାୟିତ୍ଵ ନିର୍ବାହ କରିଥିଲେ। ପୁରୋହିତ ଶିବ ଶଙ୍କର ପଣ୍ଡା ବିବାହ କାର୍ଯ୍ୟ ସଂପୂର୍ଣ୍ଣ କରିଥିଲେ।ପାରମ୍ପରିକ ବିଧିବିଧାନ ଅନୁସାରେ ବିବାହ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା। ରବିବାର ଦେବ ଦମ୍ପତିଙ୍କୁ ନଗର ପରିକ୍ରମା କରାଯାଇଥିଲା। ଦୁଇଦିନ ଧରି ଚାଲିଥିବା ଏହି ଉତ୍ସବରେ ରବିବାର ଦିନ ସ୍ଥାନୀୟ ମନ୍ଦିର ପରିସରରେ ଗ୍ରାମବାସୀଙ୍କ ପାଇଁ ଅନ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ସଦସ୍ୟ, ଏମକେସିଜି ଯୁବକ ସଂଘ କର୍ମକର୍ତ୍ତା , ବୋଲ ବମ୍ ଭକ୍ତ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ