ଏସଆଇ ନିଯୁକ୍ତି କେଳେଙ୍କାରୀ : ଆଉ ଜଣେ ମାଷ୍ଟରମାଇଣ୍ଡ୍ ମୁନା ମହାନ୍ତି ଓ ୩ ସହଯୋଗୀ ଗିରଫ
କଟକ, (ଓ୍ବାଇଏନଏସ): ଏସଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା। ଘଟଣାର ଅନ୍ୟତମ ମାଷ୍ଟରମାଇଣ୍ଡ୍ ମୁନା ମହାନ୍ତି ଓ ତାର ତିନି ସହଯୋଗୀ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଶ୍ରୀକାନ୍ତ ମହାରଣା, ଢେଙ୍କାନାଳର ସୌମ୍ୟା ପ୍ରିୟଦର୍ଶିନୀ ଓ ଦଶପଲ୍ଲାର ଅଭିମନ୍ୟୁ ଦୋରା। ସେମାନଙ୍କ ନିକଟରୁ ଗୋଟିଏ ସ୍କର୍ପିଓ, ଦୁଇଟି ହାଇୱା ଓ ୭ ଲକ୍ଷ ଟଙ୍କା ଜବତ ହୋଇଛି । କ୍ରାଇମବ୍ରାଞ୍ଚ ହାତରେ ଆଉ ଏକ ବଡ଼ ସୁରାକ୍ ଲାଗିଛି। କେବଳ ବ୍ରହ୍ମପୁର ବା ବିଜୟନଗରମରେ ପିଲାଙ୍କୁ ନେଇ ପରୀକ୍ଷାରେ ବସାଇବା ଯୋଜନା ନଥିଲା। ସମାନ ଯୋଜନା ପଶ୍ଚିମବଙ୍ଗ ଦିଘାରେ ମଧ୍ୟ କରାଯାଇଥିଲା। ସେଠାରେ ପ୍ରାୟ ୧୧୦ ପିଲାଙ୍କ ପାଇଁ ବ୍ୟବସ୍ଥା ହୋଇଥିଲା। ମାତ୍ର ବିଜୟନଗରମରେ ଧରାପଡ଼ିବା ପରେ ସବୁ ପିଲା ଚମ୍ପଟ୍ ମାରିଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ଅରବିନ୍ଦ ଦାସ ଏଠାକାର ଦାୟିତ୍ଵ ନେଇଥିଲେ। ସେ ପୂର୍ବରୁ ଗିରଫ ହୋଇସାରିଛି। ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ସବୁ ବିଷୟ ଦିଲ୍ଲୀରେ ରହି କଣ୍ଟ୍ରୋଲ କରୁଥିଲା। ତାକୁ ଧରିବା ପାଇଁ ଏବେ ବିଭିନ୍ନ ରାଜ୍ୟରେ ଚଢାଉ ଜାରି ରହିଛି। ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟାରେ ମୋଟ ୪୦ ଜଣ ଅଧିକାରୀ ସାମିଲ ଅଛନ୍ତି। ଜଣେ ଡିଆଇଜିଙ୍କ ସହିତ ଦୁଇ ଏସପି ଏହାକୁ ଅନୁଧ୍ୟାନ କରୁଛନ୍ତି । ଏହା ମଧ୍ୟରେ ମୁନା ଓ ଅରବିନ୍ଦକୁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି। ଏହି ଜାଲିଆତି ଘଟଣାରେ ସୌମ୍ୟା ପ୍ରିୟଦର୍ଶିନୀ ଆଶାୟୀ ଯୋଗାଡ଼ କରିଥିଲା। ଘଟଣା ପ୍ରଘଟ ପରେ ସେ ଆଶାୟୀଙ୍କ ସାର୍ଟିଫିକେଟ ଫେରାଇଥିଲା। ମୁନା ଫେରାର ହେବା ପରେ ତାକୁ ଲୁଚାଇ ରଖିବା ପାଇଁ ଦଶପଲ୍ଲାର ଅଭିମନ୍ୟୁ ଦୋରା ସମସ୍ତ ପ୍ରକାର ସାହାଯ୍ୟ କରିଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି।