ଦଣ୍ଡନାଚ ଏସଓପିରେ ସାମାଜିକ ନାଟକ ଅନୁମୋଦନ

 ଛତ୍ରପୁର (ଓ୍ବାଇଏନଏସ): ଦ୍ଵନ୍ଦ ଓ ବିବାଦ ମଧ୍ୟରେ ଚଳିତ ବର୍ଷ ଗଞ୍ଜାମ ଦଣ୍ଡନାଚରେ ସାମାଜିକ ନାଟକ ମଂଚସ୍ଥ ହେବା ବିଷୟରେ ସୋମବାର ଗଂଜାମ ଜିଲ୍ଲା ପ୍ରଶାସନ ଯବନିକା ପକେଇବା ସହିତ ରାତ୍ର ମଞ୍ଚରେ ପାରମ୍ପରିକ କଳା ସହିତ ସାମାଜିକ ନାଟକ ମଂଚସ୍ଥ ନେଇ ଅନୁମୋଦନ ଦେଇ ନୂତନ ଦଣ୍ଡନାଚ ଏସଓପି ବାହାର କରିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ସୁନିଲ କେର୍କେଟା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଆଦିତି ଆଚାର୍ଯ୍ୟ । ସୋମବାର ପୂର୍ବ ନିର୍ଦ୍ଧାରିତ ସମୟ ପ୍ରକାରେ ଦଣ୍ଡନାଚ ସଂଗଠନ, ନିର୍ଦ୍ଦେଶକ ସଂଘ,କଳାକାର ସଂଘ,ଚିତ୍ରାଳୟ ସଂଘ ସହ ଅନ୍ୟ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ସମସ୍ତଙ୍କ ତରଫରୁ ଏକ 12 ଜଣିଆ ପ୍ରତିନିଧି ଦଳ ଆଲୋଚନା ପାଇଁ ଯାଇଥିଲେ । ପ୍ରତିନିଧି ଦଳରେ ଗଂଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସଭାପତି ରାଜଗୋପାଳ ପାଢ଼ୀ,ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଟୁଟୁ ପାଢ଼ୀ,ଚିତ୍ରାଳୟ ସଂଗଠନର ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ,ଦଣ୍ଡନାଚ ସଂଗଠନର ନବନିର୍ବାଚିତ ସଭାପତି ବ୍ରଜସୁନ୍ଦର ମଳିକ,ସମ୍ପାଦକ ବିବେକାନନ୍ଦ ପ୍ରଧାନ,କୋଷାଧ୍ୟକ୍ଷ କୃତିବାସ ଡାକୁଆ,ସୁବାସ ଜେନା,ଭବାନୀ ଶଙ୍କର ମଳିକ,ରଜନୀକାନ୍ତ ସାହୁ,ସୁନିଲ ନାୟକ,ରବୀନ୍ଦ୍ର ବେହେରା ,ଗଙ୍ଗୋପ ପରିଡା,ବିଟୁ ସାହୁ,ସରୋଜ ପଣ୍ଡା ପ୍ରମୂଖ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନର ଏସଓପି ମାନି ସମସ୍ତେ ଅପସଂସ୍କୃତି,ଦ୍ଵିଅର୍ଥ ବୋଧକ ଶବ୍ଦ ଓ ନଗ୍ନତା ବିହୀନ ଦଣ୍ଡନାଚ କରି ଗଞ୍ଜାମର ଦଣ୍ଡନାଚ ପରମ୍ପରାକୁ ଅଧିକ ବିକଶିତ କରିବୁ ବୋଲି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେକହିଥିଲେ । ସାମାଜିକ ନାଟକ ଦଣ୍ଡନାଚରେ କରୁଥିବା ଶତାଧିକ ଅନୁଷ୍ଠାନ କର୍ମକର୍ତ୍ତା, ବହୁ ନାଟ୍ୟ ନିର୍ଦ୍ଦେଶକ,କଳାକାରଙ୍କ ସହ ବିଭିନ୍ନ ଅନୁଷ୍ଠାନର ବହୁ କର୍ମକର୍ତ୍ତାଙ୍କଉପସ୍ଥିତ ରହିଥିଲା । ଦଣ୍ଡନାଚ ମହାସଂଘର ନୂତନ କର୍ମକାର୍ତ୍ତାଙ୍କ ସହିତ ହିଁ ଦଣ୍ଡନାଚ ସମ୍ପର୍କିତ ସରକାରୀ ଆଲୋଚନା କରିବାକୁ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ଓ ସଂସ୍କୃତି ଅଧିକାରୀଙ୍କୁ ଭେଟିବାକୁ ଯାଇଥିବା ପ୍ରତିନିଧି ଦଳ ଜଣେଇଥିଲେ । ଜିଲ୍ଲାପାଳଙ୍କ ଉର୍ଦ୍ଧେଶ୍ୟରେ ନୂତନ କର୍ମକର୍ତ୍ତାଙ୍କ ସ୍ବାକ୍ଷର ସମ୍ବଳିତ ଏକ ପତ୍ର ଏହି ଅବସରରେ ପ୍ରଦାନ କରାଯାଇଥିଲା । ପ୍ରଶାସନ ତରଫରୁ ସାମାଜିକ ନାଟକକୁ ଦଣ୍ଡନାଚର ରାତ୍ର ମଞ୍ଚରେ ଅନୁମୋଦନ ସ୍ୱୀକୃତି ପରେ ସବୁ ମହଲରେ ଏହାକୁ ସ୍ୱାଗତ କରାଯାଇଥିବା ବେଳେ ଦଣ୍ଡନାଚକୁ ନେଇ ନିଜ ତେଲ ଲୁଣର ସଂସାର ଚଳାଉଥିବା ବହୁ ସଂଗଠନ ଓ କଳାକାର ଖୁସି ପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ