ସାମାଜିକ ନ୍ୟାୟ ସଂଗଠନ ତରଫରୁ ଜୁଡ଼ିସିଆଲ୍ ହବ୍ କଚେରୀ ହତା ଭିତରେ ତିଆରି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଜନସାଧାରଣଙ୍କ ସୁବିଧା ନିମନ୍ତେ ପୁରୁଣା କଚେରୀ ହତା ପରିସରରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଜୁଡ଼ିସିଆଲ୍ ହବ / ଜିଲ୍ଲା ଜଜ୍କୋର୍ଟଙ୍କର କମ୍ପେ୍ଲକ୍ସ ପ୍ରତିଷ୍ଠା ନିମନ୍ତେ ବାଲେଶ୍ୱର ସାମାଜିକ ନ୍ୟାୟ ସଂଗଠନ ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଅଛି। ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ସରକାରୀ ଅଫିସ୍ ସଂଲଗ୍ନ କଚେରୀ ହତାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ବହୁତାଲା ବିଶିଷ୍ଟ କୋଠାପରି ବାଲେଶ୍ୱରରେ ମଧ୍ୟ ଏକ ବହୁତାଲା କୋଠା ଏହି ସ୍ଥାନରେ ନିର୍ମାଣ ହେଲେ ଓକିଲ ଓ ମହକିଲ ଏବଂ ସମସ୍ତ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଏହି ଦାବିପତ୍ରରେ ଦର୍ଶାଯାଇଅଛି। ଆଜିକୁ ତିନିବର୍ଷ ତଳୁ ଜିଲ୍ଲାପାଳ ଓ ବିଚାର ବିଭାଗ ଦ୍ୱାରା ଚୟନ ହୋଇଥିବା ପ୍ରସ୍ତାବିତ ଜୁଡ଼ିସିଆଲ୍ ହବ୍ ନିର୍ମାଣ ପାଇଁ ଜଳସେଚନ ବିଭାଗର ଜମି ବିବାଦୀୟ ଥିବାରୁ ତାହା ଚୂଡ଼ାନ୍ତ ହୋଇ ନପାରି ନୂତନ ହବ୍ ନିର୍ମାଣ ଏବେ ତ୍ରିଶଙ୍କୁ ଅବସ୍ଥାରେ ରହିଅଛି। ସଂପୃକ୍ତ ଜମିରେ ବାଲେଶ୍ୱର ସିଭିଲ୍ ଜଜ୍କୋର୍ଟରେ ମୋକଦ୍ଦମା ବିଚାରାଧିନ ଅଛି। ପ୍ରକାଶଥାଉକି ବାଲେଶ୍ୱରର ପୁରୁଣା କୋଠା ପରିସରରେ ଭୋଗୋଳିକ, ଗମନାଗମନ, ରେଳଷ୍ଟେସନ୍, ବସଷ୍ଟାଣ୍ଡ୍, ଡାକ୍ତରଖାନା, ପୋଲିସ୍ ଥାନା ସହିତ ଜିଲ୍ଲାପାଳଙ୍କ ସମସ୍ତ କାର୍ଯ୍ୟାଳୟ ଓ ରେଭେନ୍ୟୁ କୋର୍ଟମାନ ଥିବାରୁ ଏହି ପରିସର ସବୁଦିଗରୁ ଉପଯୁକ୍ତ ବୋଲି ଦାବି କରାଯାଇଅଛି। ଏଥିରେ ସୁରେନ୍ଦ୍ର ପଣ୍ଡା, ପ୍ରତିମା ପଣ୍ଡା, କବିତାରାଣୀ ଦାସ, ଜ୍ୟୋତ୍ସ୍ନା ସେନାପତି, ଜିତେନ୍ଦ୍ର ଉପାଧ୍ୟାୟ, ମହମ୍ମଦ ଇସଲାମ, ମାନଗୋବିନ୍ଦ ସେଠୀ, ଗୋବର୍ଦ୍ଧନ ତ୍ରିପାଠୀ, ସୁଦିପ୍ତ ପାତ୍ର, ରାମ ବେହେରା, ରେବା, ସେଖ୍ ହମିଦ୍ ପ୍ରମୁଖ ଉପସ୍ଥିତ ଥିଲେ।


