ସୋମନାଥ ସ୍ୱାଭିମାନ ପର୍ବ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲା ପ୍ରଶାସନ, ବାଲେଶ୍ୱର ଏବଂ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଯୁଗ୍ମ ଆୟୋଜନରେ ପୁରୁଣା ବାଲେଶ୍ୱରସ୍ଥିତ ପ୍ରସିଦ୍ଧ ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ‘ସୋମନାଥ ସ୍ୱାଭିମାନ ପର୍ବ’ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଭାରତର ସାଂସ୍କୃତିକ ପୁନରୁତ୍ଥାନ, ଐତିହ୍ୟ ଓ ଜାତୀୟ ସ୍ୱାଭିମାନର ପ୍ରତୀକ ସୋମନାଥ ମନ୍ଦିରର ଗୌରବମୟ ଇତିହାସକୁ ସ୍ମରଣ କରି ଏହି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଗୁଜୁରାଟସ୍ଥିତ ସୋମନାଥ ମନ୍ଦିରରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପୂଜାର୍ଚ୍ଚନାର ସିଧା ପ୍ରସାରଣ ଏବଂ ସୋମନାଥ ମନ୍ଦିରର ଭବ୍ୟତାକୁ ନେଇ ଏକ ଦୃଶ୍ୟାବଳୀ ପ୍ରଦର୍ଶିତ କରାଯାଇଥିଲା ତାପରେ ସେ ନିଜର ବାର୍ତ୍ତା ରଖିଥିଲେ। ‘ଅମୃତ ଆତ୍ମାର ଗୌରବ ଗାଥା’ ଶୀର୍ଷକରେ ଆୟୋଜିତ ଏହି ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁ, ସ୍ଥାନୀୟ ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଲେଶ୍ଵର ବିଧାୟକ ଶ୍ରୀ ମାନସ ଦତ୍ତ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ମାନ୍ୟବର  ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ସ୍ଥାନୀୟ ପାରିଷଦବୃନ୍ଦ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଖୁଣ୍ଟିଆ ଉପସ୍ଥିତ ଥିଲେ। ଜିଲ୍ଲା ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ଅତିଥିମାନେ ଦୀପ ପ୍ରଜ୍ୱଳନ କରିବା ସହ ସୋମନାଥଙ୍କ ମହିମା ଏବଂ ଭାରତୀୟ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ସଂକଳ୍ପ ଗ୍ରହଣ କରିଥିଲେ। ଅତିଥିମାନେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ସୋମନାଥ ମନ୍ଦିର କେବଳ ଏକ ଧାର୍ମିକ ପୀଠ ନୁହେଁ, ବରଂ ଭାରତୀୟ ସଭ୍ୟତାର ସ୍ୱାଭିମାନ, ସଂଘର୍ଷ ଓ ପୁନରୁତ୍ଥାନର ଜୀବନ୍ତ ପ୍ରତୀକ। ଉଲ୍ଲେଖନୀୟ ଯେ, ୧୦୨୬ ମସିହାର ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତି ଏବଂ ୧୯୫୧ ମସିହାରେ ସୋମନାଥ ମନ୍ଦିରର ପୁନଃନିର୍ମାଣର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ‘ସୋମନାଥ ସ୍ୱାଭିମାନ ପର୍ବ’ ପାଳନ କରାଯାଉଛି। ବାଣେଶ୍ୱର ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ଭାରତର ଗୌରବମୟ ଇତିହାସ ଓ ସଂସ୍କୃତି ସହ ଅଧିକ ସଂଯୁକ୍ତ କରିବାକୁ ପ୍ରୟାସ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ଆଧ୍ୟାତ୍ମିକତା, ସଂସ୍କୃତି ଓ ଦେଶଭକ୍ତିର ଏକ ସୁନ୍ଦର ସମନ୍ୱୟ ସୃଷ୍ଟି କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ