ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ହାଇକୋର୍ଟରୁ ମିଳିଲାନି ଅନ୍ତରୀଣ ସୁରକ୍ଷା

କଟକ(ଓ୍ବାଇଏନଏସ): ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ହାଇକୋର୍ଟରୁ ନିରାଶ ହେବାକୁ ପଡ଼ିଛି। ସମ୍ଭାବ୍ୟ ଗିରଫଦାରୀରୁ ସୁରକ୍ଷା ପାଇବା ଲାଗି ସେ ଦାଖଲ କରିଥିବା ଆଗୁଆ ଜାମିନ ଆବେଦନର ଶୁଣାଣି ସମୟରେ ଅଦାଲତ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ଏଥିସହ ମାମଲା ସମ୍ପର୍କିତ କେସ୍ ଡାଏରୀ ଦାଖଲ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମାମଲାର ପରବର୍ତ୍ତୀ ଶୁଣାଣି ଉପରେ ନଜର ରହିଛି। ଅଦାଲତଙ୍କ ଛୁଟି ଶେଷ ହେବା ପରେ ମାମଲାର ପୁନର୍ବାର ଶୁଣାଣି ହେବ। ସେହି ସମୟରେ ମାମଲାର କେସ୍ ଡାଏରୀ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଆଗୁଆ ଜାମିନ ଆବେଦନ ଉପରେ ଅଦାଲତ ପରବର୍ତ୍ତୀ ନିଷ୍ପତ୍ତି ନେଇପାରନ୍ତି।ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିଦ୍ୟାଭାରତୀଙ୍କୁ ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିବା ସହ ଆଗୁଆ ଜାମିନ ପାଇଁ ଆବେଦନ କରିବାର ସୁଯୋଗ ଦେଇଥିଲେ। ଏହାପରେ ନିମ୍ନ ଅଦାଲତରେ ହାଜର ହେବା ପାଇଁ ବିଦ୍ୟାଭାରତୀ ଅଧିକ ସମୟ ମାଗିଥିଲେ। ତାଙ୍କ ଆବେଦନକୁ ଅନୁମତି ଦେଇ ହାଇକୋର୍ଟ ଅକ୍ଟୋବର ୩୦ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବା ପାଇଁ ସମୟ ଦେଇଥିଲେ। ଏବେ ଆଗୁଆ ଜାମିନ ଆବେଦନରେ ଅନ୍ତରୀଣ ସୁରକ୍ଷା ନ ମିଳିବା ପରେ ବିଦ୍ୟାଭାରତୀଙ୍କ ପରବର୍ତ୍ତୀ ଆଇନଗତ ପଦକ୍ଷେପ କ’ଣ ହେବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଆଗୁଆ ଜାମିନ ଆବେଦନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ମାମଲାର ପରବର୍ତ୍ତୀ ଅଦାଲତୀ ପ୍ରକ୍ରିୟା ଗୁରୁତ୍ୱପୂର୍ଣ୍ଣ ରହିବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ