ଶିକ୍ଷାବିଭାଗର ଦୃଷ୍ଟି ଅଢୁଆଳରେ ଶ୍ରୀ ଲୋକନାଥେଶ୍ୱର ଉଚ୍ଚ ବିଦ୍ୟାଳୟ!
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ଏବଂ ବିଦ୍ୟାଳୟ ରୂପାନ୍ତରିକରଣ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିଲା ବେଳେ କେତେକ ଗ୍ରାମାଞ୍ଚଳରେ ଏବେ ବି ଶିକ୍ଷାଦାତାଙ୍କ ସଂକଟ ଲାଗିରହିଥିବା ଦେଖିବାକୁ ମିଳୁଛି । ଆସିକା ବ୍ଳକ ଅନ୍ତର୍ଗତ ବଡଖୋଲି ଗ୍ରାମପଞ୍ଚାୟତର ବଡଖୋଲି ଗ୍ରାମରେ ଥିବା ଶ୍ରୀ ଲୋକନାଥେଶ୍ୱର ଉଚ୍ଚବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତୀତରେ ୫-ଟିରେ ଅନ୍ତର୍ଭୁକ୍ତ କରାଯାଇ ଗତ ୨୦୨୨ ମସିହା ଜୁନ୍ ମାସ ୦୩ ତାରିଖରେ ଉଦ୍ଘାଟନ କରାଯାଇଥିଲା। ଗୁଣାତ୍ମକ ଶିକ୍ଷାର ବାତାବରଣ ସୃଷ୍ଟି ପାଇଁ ଏହି ପୁରାତନ ଶିକ୍ଷାନୁଷ୍ଠାନକୁ ସ୍ମାର୍ଟ ହାଇସ୍କୁଲରେ ରୂପାନ୍ତରଣ କରାଯାଇଥିଲା । ଯେଉଁଠି ଇ. ପାଠାଗାର ସମେତ ସ୍ମାର୍ଟ କ୍ଳାସ୍ରୁମ୍, କ୍ରୀଡା, କମ୍ପ୍ୟୁଟର୍ ରୁମ୍, ଅତ୍ୟାଧୁନିକ ବିଜ୍ଞାନାଗାର, ରିଡିଙ୍ଗ ରୁମ୍, ପାନୀୟ ଜଳ, ସ୍ମାର୍ଟ ଶୌଚାଳୟ ସମେତ ବିଭିନ୍ନ ଆଧୁନିକ ସୁବିଧା ଉପଲବ୍ଧ ହୋଇଛି । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ବିଦ୍ୟାଳୟର ଆଧୁନିକୀକରଣ ହୋଇସାରିଛି । ୧୯୮୫ମସିହାରେ ସ୍ଥାପିତ ହୋଇଥିବା ଆସିକା ବ୍ଳକ ଅନ୍ତର୍ଗତ ବଡଖୋଲି ଗ୍ରାମପଞ୍ଚାୟତର ବଡଖୋଲି ଗ୍ରାମରେ ଥିବା ଶ୍ରୀ ଲୋକନାଥେଶ୍ୱର ଉଚ୍ଚବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ନବମରୁ ଦଶମ ଶ୍ରେଣୀରେ ୮୮ ଜଣ ବିଦ୍ୟାର୍ଥୀ ପାଠପଢୁଥିବା ବେଳେ ଏହି ପୁରାତନ ଶିକ୍ଷାନୁଷ୍ଟାନରେ ମାତ୍ର ଦୁଇ ଜଣ ସ୍ଥାୟୀ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଥିବା ବେଳେ ଦୀର୍ଘ ଦିନ ହେଲା ବିଜ୍ଞାନ, କଳା, ହିନ୍ଦୀ, ସଂସ୍କୃତ, କ୍ରୀଡା, କମ୍ପ୍ୟୁଟର ଶିକ୍ଷକ ପଦବୀ ଖାଲି ପଡିଥିଲା ବେଳେ ସେ ଗୁଡିକ ପୂରଣ କରିବା ଦିଗରେ ଶିକ୍ଷାବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। ଏହି ପୁରାତନ ଶିକ୍ଷାନୁଷ୍ଟାନରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବା ଯୋଗୁଁ ବିଦ୍ୟାର୍ଥୀ ମାନେ ଯୁଗପୋଯୋଗୀ ଓ ଆଧୁନିକ ଶିକ୍ଷା କିପରି ପାଇବେ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି। ରାଜ୍ୟ ସରକାର ଶିକ୍ଷାବିଭାଗ ଜରିଆରେ ଆଣୁଥିବା ବହୁ ପ୍ରକାର ପ୍ରୟାସକୁ ଏହି ପୁରାତନ ଶିକ୍ଷାନୁଷ୍ଟାନରେ ଅଣଦେଖା କରାଯାଉଥିବା ଅଭିଯୋଗ ରହିଛି। ଶିକ୍ଷାର ଗୁଣାତ୍ମକ ମାନ ଓ ଭିତ୍ତି ଭୂମୀ ବୃଦ୍ଧି କରିବା ସହ ଉତ୍ତମ ଜ୍ଞାନ କୌଶଳରେ ପିଲାଙ୍କୁ ପାଠ ପଢାଇବାର ମହତ୍ ଉଦ୍ଦେଶ୍ୟ ରଖି ତତ୍କାଳୀନ ରାଜ୍ୟ ସରକାର ପ୍ରଚଳନ କରିଥିଲେ ରୂପାନ୍ତରିତ ୫-ଟି ବିଦ୍ୟାଳୟ। ଆସିକା ବ୍ଳକ ଓ ଏନଏସି ଅନ୍ତର୍ଗତ ୩୪ଟି ଉଭୟ ସରକାରୀ ଓ ବ୍ଳକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇ ରୂପାନ୍ତରୀକରଣ କରାଯାଇସାରିଛି। ସରକାର ୫-ଟି ଅଧିନରେ ଉଚ୍ଚ ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରି ସ୍ମାର୍ଟ କରିବା ସହ ରୂପରେଖ ବଦଳାଇଲେ। ହେଲେ ବହୁ ସ୍ମାର୍ଟ ସ୍କୁଲ ବିଗତ କିଛି ଦିନ ହେଲା ନାନା ସମସ୍ୟା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି। ସରକାର ସିନା ସ୍କୁଲ ଗୁଡିକୁ ସ୍ମାର୍ଟ କରିଦେଲେ କିନ୍ତୁ ଭିତ୍ତିଭୂମୀକୁ ସଜାଡିବାକୁ ଭୁଲିଗଲେ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି। ବଡଖୋଲି ଗ୍ରାମରେ ଥିବା ଶ୍ରୀ ଲୋକନାଥେଶ୍ୱର ହାଇସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ଏବେ ସଂକଟ ଦେଖାଦେଇଥିବା ବେଳେ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ପାଠପଢାକୁ ନେଇ ବହୁ ଅଭିଭାବକ ଚିନ୍ତାରେ ପଡିଯାଇଥିବା ଲକ୍ଷ୍ୟ କରାଯାଇଛି । ଶିକ୍ଷା ବିଭାଗ ପକ୍ଷରୁ ଅନ୍ୟ ବିଦ୍ୟାଳୟର ଦୁଇ ଶିକ୍ଷକଙ୍କୁ ଡେପୁଟେସନରେ ନିୟୋଜିତ କରାଯାଇଥିବା ବେଳେ ଜଣେ ଛୁଟିରେ ଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ସପ୍ତାହକୁ ୩ ଦିନ ଆସି ବିଦ୍ୟାର୍ଥୀଙ୍କୁ ପାଠ ପଢାଉଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ବଡଖୋଲିି ଗ୍ରାମରେ ଥିବା ଶ୍ରୀ ଲୋକନାଥେଶ୍ୱର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସମସ୍ୟା କେବେ ପୂରଣ ହେବ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ୫-ଟି ରେ ରୂପାନ୍ତରୀକରଣ ହୋଇଥିବା ଶ୍ରୀ ଲୋକନାଥେଶ୍ୱର ଉଚ୍ଚ ବିଦ୍ୟାଳୟକୁ ଚକାଚକ୍ କରାଗଲା କିନ୍ତୁ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆନଯିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଉଚ୍ଚ ବିଦ୍ୟାଳୟଗୁଡିକର ରୂପାନ୍ତରୀକରଣ କରାଯାଇଥିଲା ବେଳେ ସେହି ଅନୁସାରେ ମାନବ ସମ୍ବଳକୁ ବି ଗୁୁରୁତ୍ୱ ଦେବା ଜରୁରୀ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ଶିକ୍ଷା ବିଭାଗର ଦୃଷ୍ଟି ଅଢୁଆଳରେ ରହିଯାଇଥିବା ବଡଖୋଲି ଗ୍ରାମରେ ଥିବା ଶ୍ରୀ ଲୋକନାଥେଶ୍ୱର ଉଚ୍ଚବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଉକ୍ତ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ସାଙ୍ଗକୁ ଅନ୍ୟାନ୍ୟ ବହୁବିଧ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


