ଶ୍ରୀରାମ ନବମୀ ପାଳିତ
ଛତ୍ରପୁର, : ପବିତ୍ର ଶ୍ରୀରାମ ନବମୀ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନ । ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ସହର । ରାମ ଧ୍ୱନୀରେ ଉତ୍ସବ ମୁଖର ହୋଇ ଉଠିଛି ପୁରଠୁ ପଲ୍ଲୀ । ସବୁଆଡେ ପରମ ପୁରୁଷ ଶ୍ରୀ ପୁରୁଷୋତ୍ତମଙ୍କର ଚାଲିଛି ପୂଜାର୍ଚ୍ଚନା । ବ୍ରତ, ଉପବାସ କରି ପ୍ରଭୁ ରାମଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଦିବସ ରେ ଭକ୍ତ ଏବଂ ଭଗବାନ ଏକତ୍ରିତ ହୋଇଛନ୍ତି । ସମସ୍ତ ଅଂଚଳ ରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ଶ୍ରୀରାମଙ୍କ ଜନ୍ମୋତ୍ସବକୁ ନେଇ ଭକ୍ତମାନଙ୍କ ମନରେ ଅପାର ଆନନ୍ଦ ଓ ଆସ୍ଥା ବହୁଛି । ସକାଳୁ ମନ୍ଦିରରେ ଭକ୍ତମାନଙ୍କର ଲମ୍ବା ଲାଇନ ଲାଗିଛି । ହାତରେ ଫୁଲ, ଧୂପ ଓ ପ୍ରସାଦ ନେଇ ଭଗବାନ ଶ୍ରୀରାମଙ୍କ ଦର୍ଶନ ପାଇଁ ଅତ୍ୟନ୍ତ ଆତୁର ଶ୍ରଦ୍ଧାଳୁମାନେ । ପୂଜାର୍ଚ୍ଚନା, ଭଜନ କୀର୍ତନ ଓ ରାମାୟଣ ପାଠରେ ମଗ୍ନ ହୋଇଯାଇଛି ସମଗ୍ର ପରିବେଶ । ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ଓ ଆଖ ପାଖ ଅଂଚଳ ରେ ବଡ଼ ଧୂମ୍ଧାମ୍ ଓ ଜାକଜମକରେ ପାଳିତ ହୋଇଯାଇଛି ରାମନବମୀ। ସ୍ଥାନୀୟ ବଡ଼ଷ୍ଟେସନସ୍ଥିତ ଶ୍ରୀରାମ ମନ୍ଦିରରେ ସକାଳୁ ପ୍ରବଳ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଥିଲା । ରାମ ନବମୀକୁ ନେଇ ରାମ ମନ୍ଦିରରେ ଆଜି ନୀତିକାନ୍ତି ଅନୁସାରେ ପୂଜା କରାଯାଇଛି । ଭକ୍ତଙ୍କ ଦର୍ଶନ ଠାରୁ ଆରମ୍ଭ କରି ଭଜନକୀର୍ତ୍ତନ, ବିଶେଷକରି ରାମଚରିତମାନସ ପାଠ, ଭକ୍ତଙ୍କ ନିମନ୍ତେ ଅନ୍ନ ପ୍ରସାଦ ସହିତ ପଣା ବଣ୍ଟନ କରାଯାଇଛି l ଭକ୍ତ ମାନେ ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରିଥିଲେ l ଏଥିରେ ରାମ ଭକ୍ତ ମାନେ ସାମିଲ ହୋଇ ଜୟ ଶ୍ରୀ ରାମ ନାରା ବାଜି ଦେବା ସହିତ ରାମଙ୍କ ଗୁଣଗାନ କରିଥିଲେ । ସେହିପରି ଛତ୍ରପୁର ଭଣ୍ଡାରୀ (ରେଡ୍ଡୀ )ସାହି ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବହୁ ଆଡ଼ମ୍ବର ସହକାରେ ଶ୍ରୀରାମନବମୀ ପାଳିତ ହୋଇଯାଇଛି l ଏହି ଅବସର ରେ ରାମାୟଣ ଏବଂ ହନୁମାନ ଚାଳିସା ପାଠ ସହିତ ଭକ୍ତିଙ୍କ ନିମନ୍ତେ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା l


