ଅସ୍ତରଙ୍ଗ ତହସିଲରେ କମିଛନ୍ତି କର୍ମଚାରୀ: ବଢିଛି ଦାୟିତ୍ୱ

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ରାଜ୍ୟ ରାଜ୍ବସ ବିଭାଗ ଫର୍ମୁଲାର ପରୀକ୍ଷା କରି ଚାଲିଛି। ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟକୁ ବାରମ୍ବାର ସମୀକ୍ଷା କରୁଛି। ତଥାପି ତହସିଲର କାର୍ଯ୍ୟରେ ସୁଧାର ଆସୁନି। ଏବେ ବି ପ୍ରଜାଙ୍କୁ ତହସିଲ କୋର୍ଟର ଚକ୍କର କାଟିବାକୁ ପଡୁଛି। ହାକିମଙ୍କୁ ଗୁହାରି ଶୁଣାଇଲେ ବି ସଫଳ ମିଳୁନି। ସରକାର କିନ୍ତୁ ତହସିଲ କାର୍ଯ୍ୟାଳୟକୁ ନେଇ ପୁଣି ଥରେ ପରୀକ୍ଷାର ଘଣ୍ଟି ବଜାଇ ସାରିଛନ୍ତି। ଗତ ସରକାର ସମୟରେ ତହସିଲ କାର୍ଯ୍ୟାଳୟରେ ମୁଖ୍ୟ ରାଜ୍ବସ କୁହାଯାଉଥିବା ଲଘୁ ଖଣିଜ ସମ୍ପଦର ବ୍ୟାପାର ରାଜ୍ବସ ବିଭାଗରୁ ପ୍ରତ୍ୟାହାର କରାଯାଇ ସିଧା ସଳଖ ଖଣି ବିଭାଗ ଝୋଲିରେ ପକାଇଦିଆଗଲା। ମାତ୍ର ଦେଢ଼ ବର୍ଷର ନୂଆ ସରକାର ତହସିଲ କାର୍ଯ୍ୟାଳୟ କୁ ଜମି କିଣାବିକା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରିବା ଆରମ୍ଭ କରିଛନ୍ତି। ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ  ଚାଲିଥିବା ଏହି କାର୍ଯ୍ୟକୁ ଏବେ ତହସିଲ କାର୍ଯ୍ୟାଳୟ ରେ କରାଯିବାକୁ ଘୋଷଣା କରାଯାଇଛି। ଯାହାକୁ ପ୍ରାଥମିକ ଭାବେ ରାଜ୍ୟର ୪୪ଗୋଟି ତହସିଲ କୁ ଦାୟିତ୍ୱ ଦିଆଯାଇଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ କୁ ସାମିଲ କରାଯାଇ କାର୍ଯ୍ୟାଳୟ ପରିସରରେ ଉପନିବନ୍ଧକ କାର୍ଯ୍ୟାଳୟ ଶୁଭାରମ୍ଭ ହୋଇଛି ମଧ୍ୟ।  ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ କାର୍ଯ୍ୟାଳୟ ଟି ଭିତ୍ତିଭୂମି ଠାରୁ ମାନବ ସମ୍ବଳ ସବୁଥିରେ ଅଭାବକୁ ଦେଖୁଥିବା ବେଳେ ପୁଣି ଏକ ଦାୟିତ୍ୱ ଆଶଙ୍କା ଚିନ୍ତା ବଢ଼ାଇ ଦେଇଛି। ପୂର୍ବରୁ ମାଳ ମାଳ ମାମଲା ରେ ପେଶି ହେଉଥିବା ତହସିଲ କାର୍ଯ୍ୟାଳୟ ଏବେ ଆଉ କିଛି ବୋଝ ମୁଣ୍ଡାଇବାକୁ ଯାଉଛି ବୋଲି ତହସିଲ କର୍ମଚାରୀ ଙ୍କ ଭିତରେ ଚର୍ଚ୍ଚା ଜୋର ଧରିଛି। ସରକାର ମାନବ ସମ୍ବଳ ଅଭାବ ଦୂର କରିବାକୁ ପ୍ରୟାସ କରୁନଥିବା ବେଳେ ବୋଝ ଉପରେ ଲଳିତା ବିଡା ନଦିବାର ଯୋଜନା ଫଳପ୍ରଦ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମତ ପୋଷଣ କରିଛନ୍ତି।  ଅସ୍ତରଙ୍ଗ ତହସିଲ ଟି ୧୫ଗୋଟି ପଂଚାୟତ କୁ ନେଇ ଗଠିତ ହୋଇଥିବା ବେଳେ ଗତ କିଛି ବର୍ଷ ହେବ ତହସିଲ ରେ କର୍ମଚାରୀ ଅଭାବ ଥିବାରୁ ନିଜର ସ୍ଥିତି ହରାଇ ସାରିଛି। ମାଳ ମାଳ ମାମଲା ରେ ଛନ୍ଦି ହୋଇ ରହିଥିବା ଏହି ତହସିଲ କର୍ମଚାରୀ ଙ୍କ ଘୋର ଅଭାବକୁ ସାମ୍ନା କରୁଛି। ଅସ୍ତରଙ୍ଗ ତହସିଲ ଅଧୀନ ରେ ୧୦୫ଟି ରାଜ୍ବସ ଗ୍ରାମ ରହିଥିବା ବେଳେ ନଗର, ନଈଗୁଆଁ, ଅସ୍ତରଙ୍ଗ, କେନ୍ଦ୍ରାପଟି ଓ ମାଣ୍ଡୁକି ରାଜ୍ବସ ନିରୀକ୍ଷକ କାର୍ଯ୍ୟାଳୟ ରହିଛି। ତହସିଲ କାର୍ଯ୍ୟାଳୟ ରେ ଏଷ୍ଟାବ୍ଲୁସମେଣ୍ଟ, ମ୍ୟୁଟେସନ, କଲମ -୨ସଂଶୋଧନ, ଓଏଲଆର, ରେକର୍ଡ ରୁମ,ଲିଜ, ବିସିପି, ମିସକେଶ, ଡିମାରକେସନ, ଏନକ୍ରୋଚମେଣ୍ଟ,ବସୁନ୍ଧରା, ଓପିଡିଆର କେଶ, ହାଇକୋର୍ଟ କେଶ, ଓଏସଏସ କେଶ, ହାଇଟେକ ସର୍ଭେ, ଜଗନ୍ନାଥ ଜମି, ଭୂଦାନ ଜମି, ଇନିସ୍କେକ୍ସନ, ଇଲେକ୍ସନ, ଜନଗଣନା, ଚିଟଫଣ୍ଡ (ଓପିଆଇଡି ), ଆରଟିଆଇ ମାମଲା ଭଳି ଅନେକ ବିଭାଗ କାର୍ଯ୍ୟ କରୁଛି। ସେଥିପାଇଁ ପ୍ରାୟ ୨୦ବର୍ଷ ତଳେ ତହସିଲ କାର୍ଯ୍ୟାଳୟ ପାଇଁ ମାନବ ସମ୍ବଳ ତାଲିକା ଚୂଡାନ୍ତ କରାଯାଇଥିଲା।ତଦନୁଯାୟୀ ଅସ୍ତରଙ୍ଗ ତହସିଲ ରେ ଆବଶ୍ୟକ ମୁତାବକ କର୍ମଚାରୀ ନିଯୁକ୍ତି କରିବାକୁ ସରକାର ସ୍ଥିର କରିଥିଲେ। ମାତ୍ର ଏବେ ସୁଦ୍ଧା ଅନେକ ପଦରେ କର୍ମଚାରୀ ପଦ ଖାଲି ପଡିଚି। ଅସ୍ତରଙ୍ଗ ତହସିଲ ରେ ଏକାଧିକ ପଦ ବହୁଦିନରୁ ଖାଲି ପଡ଼ିଥିଲେ ମଧ୍ୟ ସରକାର ତାହାକୁ ଭରଣ କରିବାକୁ ଚେଷ୍ଟା କରିନାହାନ୍ତି। ଜଣେ ଜଣେ କିରାଣୀ ୫ରୁ ୬ଗୋଟି ବିଭାଗର ଦାୟିତ୍ୱ ତୁଲାଉଥିବା ପ୍ରଜାଙ୍କୁ ଠିକଣା ସମୟରେ ନ୍ୟାୟ ମିଳିପାରୁନାହିଁ। ଯେପରିକି ଅତିରିକ୍ତ ତହସିଲଦାର, ରେଭ୍ୟୁନସୁପରଭାଇଜର ଗୋଟିଏ ପଦ, ସେକ୍ସନ ଅଫିସର ଗୋଟିଏ ପଦ, ବରିଷ୍ଟ ରେଭ୍ୟୁନ ଆସିଷ୍ଟାଣ୍ଡ ୨ଟି ପଦ, ରେଭ୍ୟୁନ ଇନିସ୍ପେକ୍ଟର ୧ପଦ, ଅମିନ ୩ ପଦ, ପ୍ରୋସେସ ସର୍ଭର ୩ ଟି ପଦ, ଚେନ ମ୍ୟାନ ୨ପଦ ଓ ରାତ୍ର ଜଗୁଆଳ ଗୋଟିଏ ପଦ ଖାଲି ପଡିଛି।ଲୋକଙ୍କୁ ଠିକଣା ସମୟରେ ଜାତିଗତ ହେଉ କିମ୍ବା ରୋଜଗାର ସମ୍ପର୍କିତ ପ୍ରମାଣପତ୍ର ମିଳିପାରୁନି।ମ୍ୟୁଟେସନ କେଶ ଗୁଡିକ ନିର୍ଦ୍ଧାରିତ ସମୟରେ କରାଯାଉନଥିବା ବେଳେ ପ୍ରଜା ଙ୍କୁ ପଟ୍ଟା ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। ଏପରିକି ସରକାରୀ ଜମିର ସୁରକ୍ଷା କରାଇବାରେ ଅସ୍ତରଙ୍ଗ ତହସିଲ ବିଫଳ ହୋଇଛି। ଜମି ମାଫିଆ ଙ୍କ କବଳରେ ବହୁ ସରକାରୀ ଜମି ଏବେ ବି ରହିଥିଲେ ମଧ୍ୟ ତହସିଲର କିଛି ଦୁର୍ନୀତି ଖୋରବାବୁଙ୍କ ପାଇଁ ତାହା ମୁକୁଳି ପାରୁନାହିଁ। କେବଳ ସେତିକି ନୁହେଁ, ବସୁନ୍ଧରା ଭଳି ଯୋଜନା କୁ କାର୍ଯ୍ୟକାରୀ କରିବାକୁ ତହସିଲ ବାବୁ ମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ବହୁ ଡିମାରକେଶନ (ମାପଚୁପ )କେଶ ନାଲିଫିତା ତଳେ ଚାପି ହୋଇ ରହିଥିବାରୁ ପ୍ରଜାଙ୍କୁ ବାରମ୍ବାର ତହସିଲ କାର୍ଯ୍ୟାଳୟ କୁ ଦୌଡ଼ିବାକୁ ପଡୁଛି। ଏପରିସ୍ଥିତି ରେ ଜମି କିଣାବିକା ଭଳି ଦାୟିତ୍ୱ ବହନ ତହସିଲ କାର୍ଯ୍ୟାଳୟ ରେ ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ତାହାକୁ ସଠିକ ଭାବେ ତୁଲାଇବା କଷ୍ଟକର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଗୁରୁତ୍ୱ ସହ ନେଇ ଖାଲି ପଡ଼ିଥିବା ପଦବୀ ଗୁଡିକ ପୂରଣ ପାଇଁ ସାଧାରଣ ଦାବୀ ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ