ଶାଶୁକୁ ମାଡ ମାରି ଗହଣା ନେଇ ଚମ୍ପଟ ମାରିଲେ ବୋହୁ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଳକ ଆଗରପଡା ଥାନା ମହାନ୍ତିପଡା ପଞ୍ଚାୟତ କୁଣ୍ଡି ଗ୍ରାମରେ ଶାଶୁକୁ ମାଡ ମାରି ବାପ ଘର ଲୋକଙ୍କ ସହାୟତାରେ ସୁନା ଗହଣା ଧରି ବୋହୁ ଚମ୍ପଟ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, କୁଣ୍ଡି ଗ୍ରାମର ଲକ୍ଷ୍ମୀଧର ସେଠୀ ୩ ବର୍ଷ ପୂର୍ବେ ଖଇରା ଥାନା ଅଧିନ ହରିପୁର ଗ୍ରାମର ଲକ୍ଷ୍ମୀ ସେଠୀଙ୍କୁ ବିବାହ କରିଥିଲେ । ବିବାହ ପର ଠାରୁ ପାରିବାରିକ ମନୋମାଳିନ୍ୟ ଯୋଗୁ ଭଦ୍ରବ୍ୟକ୍ତିଙ୍କ ମାଧ୍ୟମରେ ସମାଧାନ ହୋଇ କେହି କାହାରି ଘରକୁ ଯିବା ଆସିବା କରିବେ ନାହିଁ ବୋଲି ସିଦ୍ଧାନ୍ତ ହୋଇଥିଲା । ଇତିମଧ୍ୟରେ ଲକ୍ଷ୍ମୀଙ୍କର ଏକ ପୁତ୍ର ସନ୍ତାନ ହୋଇଛି । ଗତ ମଙ୍ଗଳବାର ଲକ୍ଷ୍ମୀଧର କାମକୁ ଯାଇଥିବା ବେଳେ ଘରେ ତାଙ୍କ ମାଆ ଓ ପୁଅ ଥିଲେ । ଏହି ସମୟରେ ବୋହୁ ଓ ତାଙ୍କ ବାପ ଘର ଲୋକେ ଆସି ଶାଶୁ ସରସ୍ୱତୀଙ୍କୁ ନାନା ଧମକ ଚମକ ଦେଇ ମାଡ ମାରି ଗଡ୍ରେଜରେ ଥିବା ୧ ଲକ୍ଷ ଟଙ୍କା, ୩ଟି ସୁନା ଚେନ୍, କାନଫୁଲ ୧ ହଳ, ମଙ୍ଗଳସୁତ୍ର ଧରି ଚମ୍ପଟ ମାରିଥିବା ବେଳେ ଯିବା ସମୟରେ ପୁଅକୁ ସାଙ୍ଗରେ ନେଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ଶାଶୁ ସରସ୍ୱତୀ ସେଠୀ ଏବଂ ସ୍ୱାମୀ ଲକ୍ଷ୍ମୀଧର ସେଠୀ ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ଓ ସୁରକ୍ଷା ପାଇଁ ଦାବୀ କରିଛନ୍ତି । ଉପରୋକ୍ତ ଘଟଣା ସମ୍ପର୍କରେ ତଦନ୍ତ ଚାଲିଥିବା ବେଳେ ଆବଶ୍ୟକ ସ୍ଥଳେ ମାମଲା ରୁଜ୍ଜୁ କରାଯିବ ବୋଲି ଥାନାଧିକାରୀ ଦେବରାଜ ଜେନା କହିଛନ୍ତି ।


