ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଞ୍ଚ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ
ପୋଲସରା,(ଅନୀଲ କୁମାର ମହାରଣା) : ପୋଲସରା ପାଇଁ ୨୦୨୬ ଏପ୍ରିଲ ୦୧ ପବିତ୍ର ଉତ୍କଳ ଦିବସ ଏକ ସ୍ମରଣୀୟ ଦିନ ଅଟେ। ଯେହେତୁ ପୋଲସରାର ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାଞ୍ଚ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ସେହି ବରପୁତ୍ରମାନେ ହେଲେ ନ୍ୟାୟମୂର୍ତ୍ତି ଲିଙ୍ଗରାଜ ପାଣିଗ୍ରାହୀ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଖଲ୍ଲିକୋଟ ଆଠଗଡ଼ ରାଜା ହରିହର ମର୍ଦ୍ଦରାଜ। ପୈତୃକ ଗ୍ରାମ ପୋଲସରାର ବ୍ରାହ୍ମଣ ସାହିରେ ଜନ୍ମ ଗ୍ରହଣ କରିଥିବା ଓଡିଶା ହାଇ କୋର୍ଟର ତୃତୀୟ ପ୍ରଧାନ ବିଚାରପତି, ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଓ ଓଡିଶା ସରକାରଙ୍କ ପୂର୍ବତନ ଶିକ୍ଷା ମନ୍ତ୍ରୀ ଲିଙ୍ଗରାଜ ପାଣିଗ୍ରାହୀଙ୍କ ସମ୍ମାନର୍ଥେ ପୋଲସରାର ବିଶିଷ୍ଟ ସମାଜ ସେବୀ ହରିବନ୍ଧୁ ନାୟକଙ୍କ ଆନ୍ତରିକ ପ୍ରଚେଷ୍ଟାରେ ପୋଲସରାର ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହି ପ୍ରତିମୂର୍ତ୍ତି ସ୍ଥାପନ ଉତବରର ଉତ୍କଳ ସ୍ୱାଭିମାନ ମଞ୍ଚ ସଭାପତି ରାଧାକାନ୍ତ ଦାସ, ନିରଞ୍ଜନ ତ୍ରିପାଠୀ, ଲକ୍ଷ୍ମୀଧର ସାମନ୍ତରା, ପ୍ରଭାକର ସାମନ୍ତରା, ଆର୍ତ୍ତତ୍ରାଣ ମଲ୍ଲିକ, ସ୍ଵରାଜ ମିଶ୍ର, ସୂର୍ଯ୍ୟକାନ୍ତ ଦାସ, ଅଧ୍ୟାପକ ମନୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପାଞ୍ଚ ବରପୁତ୍ରଙ୍କୁ ମାଲ୍ୟାର୍ପଣ କରାଯିବା ପରେ ଉତ୍ତରୀୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଆୟୋଜିତ ସଭାରେ ମଞ୍ଚ ସଭାପତି ଶ୍ରୀ ଦାସ ବରପୁତ୍ରଙ୍କ କର୍ମମୟ ଜୀବନ ମଧ୍ୟରେ ଓଡ଼ିଶା ରାଜ୍ୟର ବିକାଶ, ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଅବଦାନ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଦିବସରେ ଏହି ବରପୁତ୍ରମାନଙ୍କୁ ପୁଷ୍ପ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେବାକୁ ପରାମର୍ଶ ଦେଇଥିଲେ। ଶିକ୍ଷାନୁଷ୍ଠାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମିୟ ପ୍ରସାଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଭ୍ୟ/ସଭ୍ୟା ଓ ଅଭିଭାବକ ବୃନ୍ଦଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶୃଙ୍ଖଳା ସହ ସମାପନ ହୋଇଥିଲା। ଏହି ପ୍ରତିମୂର୍ତ୍ତି ସ୍ଥାପନକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିବା ସହ ଯେଉଁ ମହାନ ସମାଜସେବୀ ହରିବନ୍ଧୁ ନାୟକ ଅକ୍ଲାନ୍ତ ପରିଶ୍ରମ କରି ଏହି ମହାନ ଶିକ୍ଷାନୁଷ୍ଠାନକୁ ପ୍ରତିଷ୍ଠା କରିଥିଲେ ତାଙ୍କର ପ୍ରତିମୂର୍ତ୍ତି ମଧ୍ୟ ସ୍ଥାନିତ ହେବା ଉଚିତ୍ତ ଥିଲା ବୋଲି ପ୍ରକାଶ କରିଛନ୍ତି।


