ବିଷାକ୍ତ ସାପ କାମୁଡାରେ ଛାତ୍ର ମୃତ
ହାଟଡିହି (ବିକାଶ ବିଶ୍ବାଳ): ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ଜଣେ ଛାତ୍ରର ଜୀବନ। ରାତି ଶୋଇଥିବା ଅବସ୍ଥାରେ ସାପ ମାରିଥିଲା ଚୋଟ ଆଉ ମେଡିକାଲରେ ପହଞ୍ଚିବା ବେଳକୁ ସବୁ ଶେଷ। ଏପରି ଘଟଣା ଘଟିଛି ହାଟଡିହି ବ୍ଲକ ସୁନ୍ଦରାପାଳ ଗାଁରେ । ଗ୍ରାମର ଇନ୍ଦ୍ରମଣି ମୁଣ୍ଡାଙ୍କ ୧୨ ବର୍ଷୀୟ ପୁଅ ବିରୁ ନିକଟସ୍ଥ ସ୍କୁଲର ୭ମ ଶ୍ରେଣୀର ଛାତ୍ର। ଗତକାଲି ରାତିରେ ଖାଇ ସାରିବା ପରେ ନିଜ ରୁମ କୁ ଯାଇ ଶୋଇଥିଲା , ହେଲେ ସେ ଜାଣିନଥିଲା ବିଛଣାରେ ଯମ ବେଶରେ ବିଷାକ୍ତ ସାପ ଜଗିଥିଲା ତାକୁ। ଶୋଇବାର କିଛି ସମୟ ମଧ୍ୟରେ ସାପ କାମୁଡ଼ାରେ ଗୁରୁତର ହୋଇପଡ଼ିଲା ବିରୁ। ପରିବାର ଲୋକେ ଆମ୍ବୁଲାନ୍ସ ଡାକିଲେ ହେଲେ ଆମ୍ବୁଲାନ୍ସ ପହଞ୍ଚିବାକୁ ଡେରି ହେଇଗଲା। ତେବେ ତାକୁ ମେଡିକାଲ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଘଟଣାକୁ ନେଇ ପରିବାର ତଥା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏନେଇ ସୋସୋ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହେବାପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଶବକୁ ବ୍ୟବଚ୍ଛେଦ କରାଯାଇଛି।