କେରାଣ୍ଡିତୋଳା ନାରାୟଣପୁରରେ “ସୂବର୍ଣ୍ଣ ଭରତ” ବୃଦ୍ଧାଶ୍ରମ ଶୁଭାରମ୍ଭ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲି ସ୍ଥିତ କେରାଣ୍ଡିତୋଳା ନାରାୟଣପୁର ଠାରେ ଏକ “ସୁବର୍ଣ୍ଣ ଭରତ” ବୃଦ୍ଧାଶ୍ରମ ଆନୁଷ୍ଠାନିକ ଭାବେ ଶନିବାର ଉଦଘାଟନ ହୋଇ ଶୁଭାରମ୍ଭ ହୋଇଯାଇଛି। ବୃଦ୍ଧାଶ୍ରମର ପ୍ରତିଷ୍ଠାତା ବୀର କିଶୋର ପ୍ରଧାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଦୃଢ ମନୋବଳ ଯୋଗୁଁ ଛତ୍ରପୁର ଅଞ୍ଚଳରେ ଏକମାତ୍ର ଅନୁଷ୍ଠାନ ତା’ର ସ୍ୱତନ୍ତ୍ର ପରିଚୟ ପାଇପାରିଛି। ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଡ଼ାକ୍ତର ସୁର କିଶୋର ମିଶ୍ର ଯୋଗ ଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ଡ଼ାକ୍ତର ଇନ୍ଦିରା ପାଳ ଏବଂ ସମ୍ମାନିତ ଅତିଥି ଭାବେ ଡାକ୍ତର ମନୋଜ କୁମାର ସେଠୀ ଯୋଗ ଦେଇଥିଲେ। ଏହା ସହ ଗ୍ରାମ୍ୟ କମିଟି ସଭାପତି ଅମରେଶ୍ୱର ସାହୁ ଏବଂ ଉପଦେଷ୍ଟା ତଥା ଅବସର ପ୍ରାପ୍ତ ଶିକ୍ଷକ କୋରା ମହାରଣା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଉକ୍ତ ଅନୁଷ୍ଠାନକୁ ଉଦଘାଟନ କରିଥିଲେ। ଏହି ଅନୁଷ୍ଠାନଟି ଶୁଭାରମ୍ଭ ଅବସରରେ ସ୍ଥାନୀୟ ଅଞ୍ଚଳର ଜନମାନସରେ ଏକ ଉତ୍ସାହ ଉଦ୍ଦୀପନା ସୃଷ୍ଟି କରି ସମାଜରେ ପରିତ୍ୟକ୍ତ, ନିଷ୍ପେସିତ ତଥା ଅବହେଳିତ ବୃଦ୍ଧ, ବୃଦ୍ଧାଙ୍କର ଆଶ୍ରୟ ସ୍ଥଳୀ ନିର୍ମାଣ ସେମାନଙ୍କ ଖାଇବା ପିଇବା ଏବଂ ସ୍ବାସ୍ଥ୍ୟାବସ୍ଥା ଆଦି ବୁଝିବା ଏଭଳି ଅନୁଷ୍ଠାନ ତିଆରି କରି ଆଜି ସମାଜରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ପ୍ରତିଷ୍ଠାତା ବୀର କିଶୋର ପ୍ରଧାନ। ଉକ୍ତ ବୃଦ୍ଧାଶ୍ରମରେ ବର୍ତ୍ତମାନ ୪୦ ଶଯ୍ୟା ବ୍ୟବସ୍ଥା ରହିଛି ଏବଂ ଆଗାମୀ ଦିନରେ ଏହାକୁ ବିକଶିତ କରାଯିବ ବୋଲି ପ୍ରତିଷ୍ଠାତା ବୀର କିଶୋର ପ୍ରଧାନ କହିଛନ୍ତି।


