ଉପଖଣ୍ଡ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ସଫଳ ଅସ୍ତ୍ରୋପଚାର

ହିଞ୍ଜିଳିକାଟୁ,୩/୬(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ଵିଭାଗ ପକ୍ଷରୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପ୍ରଥମ ଥର ପାଇଁ ବୁଧବାର ଜଣେ ଗର୍ଭବତୀ ମହିଳାଙ୍କ ସଫଳ ଅସ୍ତ୍ରୋପଚାର ଦ୍ଵାରା ଏକ ଶିଶୁକନ୍ୟାର ଜନ୍ମ ହୋଇଛି। ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରତିଭା କୁମାରୀ ପାତ୍ର, ନିଶ୍ଚେତକ ଵିଭାଗ ଡାକ୍ତର କେ. ଅଶୋକ ରାଜ୍, ଶୈଲ୍ୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର ତପନ କୁମାର ମଲ୍ଲ ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦୁର୍ଗା ପ୍ରସାଦ ପଣ୍ତା ପ୍ରମୁଖ ମହିଳାଙ୍କ ସଫଳ ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସେବିକା ଅଧିକାରିଣୀ ରେଣୁବାଳା ବେହେରା,ରଶ୍ମୀ ଚୌଧୁରୀ, ଫାର୍ମାସିଷ୍ଟ ମନୀଷା ସାହୁ,ଦିପ୍ତିମୟ ଚୌଧୁରୀ,ଗୀତାଞ୍ଜଳୀ ବେହେରା ଓ କନିଷ୍ଠ ମେଡିକାଲ ପରିଚାଳିକା ମହେଶ୍ୱତା ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ସୁଚନା ଯୋଗ୍ୟ,ପୂର୍ବରୁ ପ୍ରସୂତି କ୍ଷେତ୍ରରେ ଜଟିଳ ସମସ୍ୟା ଜନିତ ଗର୍ଭବତୀ ମହିଳାଙ୍କୁ ଅସ୍ତ୍ରୋପଚାର ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲ ଓ କଲେଜକୁ ସ୍ଥାନାନ୍ତର କରାଯାଉଥିଲା। ବର୍ତ୍ତମାନ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବା ଫଳରେ ଗର୍ଭବତୀ ମହିଳା ମାନେ ବିଶେଷ ଉପକୃତ ହେବା ଆଶା ସଂଚାର ହୋଇଛି। ସବୁଠାରୁ ଉଲ୍ଲେଖନୀୟ ଘଟଣା, ଅଞ୍ଚଳବାସୀଙ୍କ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ରକ୍ତ ଭଣ୍ଡାରର ଜରୁରୀ ଆବଶ୍ୟକତା ରହିଛି। କିନ୍ତୁ ଦୀର୍ଘ ଦିନ ଧରି ଏହା କାର୍ଯ୍ୟକ୍ଷମ ହୋଇ ନ ପାରି ଏକ ପ୍ରମୁଖ ସମସ୍ୟା ସୃଷ୍ଟି କରିଛି। ଯଦି ପ୍ରଶାସନିକ ସ୍ତରରେ ଏହି ସମସ୍ୟାକୁ ଅଗ୍ରାଧିକାର ଦିଆଯାଇ କାର୍ଯ୍ୟକାରୀ କରାଯାଏ ତେବେ ଜଟିଳ ସମସ୍ୟାରେ ସମ୍ମୁଖୀନ ହୋଇ ଉପଖଣ୍ଡ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ଅଧିକ ସଂଖ୍ୟାରେ ଅସ୍ତ୍ରୋପଚାର ହୋଇ ଉପକୃତ ହୋଇ ପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି। ସ୍ଵାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ