ପବିତ୍ର ପ୍ରଧାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ): ଗୁଲନଗର ପଞ୍ଚାୟତ ଅନ୍ତର୍ଗତ ଦଣ୍ଡାମୁଣ୍ଡ ଛକରେ ଥିବା ଘର ମାଲିକ ପବିତ୍ର ପ୍ରଧାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଡେରାବିଶ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜ ସାହୁଙ୍କୁ ଜେରା କରିଛି। କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଶ୍ରୀ ସାହୁ, ତାଙ୍କ ଡ୍ରାଇଭର, ଜଣେ ସରପଞ୍ଚଙ୍କ ସ୍ୱାମୀ, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଡକାଇ ପଚରାଉଚରା କରିଛନ୍ତି। ପୂର୍ବରୁ କ୍ରାଇମବ୍ରାଞ୍ଚ ୪ ଥର କେନ୍ଦ୍ରାପଡ଼ାକୁ ଆସି ତଦନ୍ତ କରିଥିଲେ ମଧ୍ୟ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ସାହୁ ଫେରାର ହୋଇ ଯାଉଥିଲେ। କିନ୍ତୁ ଶୁକ୍ରବାର ଶ୍ରୀ ସାହୁଙ୍କୁ କ୍ରାଇମବ୍ରାଞ୍ଚଜେରା କରିଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ ଗତ୨୦୨୨ମସିହା ମାର୍ଚ୍ଚମାସ ୨୫ ତାରିଖ ରାତିରେ ସ୍ୱର୍ଗତ ପ୍ରଧାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ସ୍ୱର୍ଗତ ପ୍ରଧାନଙ୍କ ଏହି କୋଠାର ତଳ ମହଲାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ ଭଡ଼ାରେ ରହୁଥିଲେ। କିନ୍ତୁ ଦୀର୍ଘଦିନ ଧରି ସେ ଘରଭଡ଼ା ଦେଇ ନ ଥିଲେ। ଏପରିକି ତାଙ୍କ ଉପରେ ଏକ ଲକ୍ଷ ଟଙ୍କା ଘରଭଡ଼ା ବାକି ଥିଲା। କିନ୍ତୁ ସେ ଏହାକୁ ଦେଉ ନଥିଲେ। ଏ ନେଇ ଅଦାଲତରେ ଏକ ମାମଲା ରୁଜୁ ହୋଇଛି ବୋଲି ସ୍ୱର୍ଗତ ପ୍ରଧାନଙ୍କ ପୁଅ ଉତ୍କଳ କହିଛନ୍ତି। ସେ କହିଛନ୍ତି ଘରଭଡ଼ା ବାବଦ ବାକି ଟଙ୍କା ନ ଦେବା ପାଇଁ ଓ ଏହି ଘରକୁ କବଜା କରିନେବା ଉଦେଶ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ସାହୁ ତାଙ୍କ ବାପାଙ୍କୁ ହତ୍ୟା କରିଥିଲେ। ଏପରିକି ଦଣ୍ଡାମୁଣ୍ଡ ଜମି ପଟ୍ଟାରେ ତାଙ୍କ ବାପାଙ୍କ ନାମକୁ କାଟି ଦେବା ପାଇଁ ମଧ୍ୟ ସେ କାରାସାଦି କରିଥିଲେ। ତହସିଲଦାରଙ୍କୁ ବହୁ ଗୁହାରି ପରେ ତାଙ୍କ ବାପାଙ୍କ ନାମ ଏବେ ରେକର୍ଡଭୁକ୍ତ ହୋଇଛି ବୋଲି ପୁଅ ଉତ୍କଳ କହିଛନ୍ତି। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ନେବା ପାଇଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନାହିଁ।