ଚାଇଁପୁର ସମବାୟ ସମିତିରେ ଭାରପ୍ରାପ୍ତ ସମ୍ପାଦକଙ୍କ ଦାୟୀତ୍ୱ ଗ୍ରହଣ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ଚାଇଁପୁର ସେବା ସମବାୟ ସମିତିର ଭାରପ୍ରାପ୍ତ ସମ୍ପାଦକ ଭାବେ ଗୁରବାର ଭଣ୍ଡାରିପୋଖରୀ ବ୍ଲକ ନେରଡା ସମବାୟ ସମିତିର ସମ୍ପାଦକ ସୌମ୍ୟ ରଞ୍ଜନ ପଣ୍ଡା ଦାୟୀତ୍ୱ ଗ୍ରହଣ କରିଛନ୍ତି । ଗୁରବାର ଡିଆରସିଏସଙ୍କ ଚିଠି ନଂ-୯୬୫ ଅନୁଯାୟୀ ଶ୍ରୀ ପଣ୍ଡା ନେରଡା ସମିତିର ଦାୟୀତ୍ୱ ତୁଲାଇବା ସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚାଇଁପୁର ସମିତିର ଭାରପ୍ରାପ୍ତ ସମ୍ପାଦକ ଦାୟୀତ୍ୱ ସମ୍ପାଦନ କରିବେ ବୋଲି ନିର୍ଦ୍ଦେଶ ହୋଇଥିଲା । ଏହି ନିର୍ଦ୍ଦେଶ ବଳରେ ଶ୍ରୀ ପଣ୍ଡା ଚାଇଁପୁର ସମିତିର ଦାୟୀତ୍ୱ ଗ୍ରହଣ କରିଛନ୍ତି । ଏନେଇ ସେ ଚାଇଁପୁର ସମିତିର ସଭାପତି ଅଜୟ କୁମାର ନାୟକଙ୍କୁ ଲିଖିତ ଜଣାଇଛନ୍ତି । ପ୍ରକାଶ ଥାଉକି, ଗତ ୩ ମାସରୁ ଉର୍ଦ୍ଧ୍ୱ ହେବ ଚାଇଁପୁର ସମିତିର ସମ୍ପାଦକଙ୍କ ନିଲମ୍ବନ ପରେ ସମିତିରେ ତାଲା ଝୁଲୁଥିଲା । ଫଳରେ କୌଣସି କାର୍ଯ୍ୟ ହୋଇପାରୁନଥିଲା । ଏନେଇ ସମିତିର ସଭାପତି ଓ ପରିଚାଳନା ପରଷଦ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ଓ ଉଚ୍ଚ ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଥିଲା । ଫଳରେ ମେ ୨୩ରେ ବିବିସିସି ବ୍ୟାଙ୍କ ବନ୍ତ ଶାଖାର ସହକାରୀ କର୍ମଚାରୀ ରଞ୍ଜନ କୁମାର ରାଉତଙ୍କୁ ଉକ୍ତ ସମିତିର ସମ୍ପାଦକ ଦାୟୀତ୍ୱ ନେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେତେବେଳେ ସେ ଦାୟୀତ୍ୱ ନେଇନଥିଲେ । ପରେ ଜୁନ ୯ରେ ପଧାନପଡା ସମିତିର ସମ୍ପାଦକଙ୍କୁ ଦାୟୀତ୍ୱ ନେବା ପାଇଁ ଜିଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା । ମାତ୍ର ସେ ମଧ୍ୟ କୌଣସି କାରଣ ଦର୍ଶାଇ ଦାୟୀତ୍ୱ ନେଇ ନଥିଲେ । ଜୁଲାଇ ୯ରେ ବାଲେଶ୍ୱର ସିଇଓଙ୍କ ପକ୍ଷରୁ ରଞ୍ଜନ କୁମାର ରାଉତଙ୍କୁ ଦାୟୀତ୍ୱ ନେବା ପାଇଁ ନିର୍ଦ୍ଦେଶ ହୋଇଥିଲା । ଜୁଲାଇ ୧୦ରେ ଭଦ୍ରକ ଏ.ଆର.ସି.ଏସଙ୍କ ପକ୍ଷରୁ ଶ୍ରୀ ରାଉତଙ୍କୁ ଦାୟୀତ୍ୱ ହସ୍ତାନ୍ତର କରିବା ପାଇଁ ନିଲମ୍ବିତ ସମ୍ପାଦକଙ୍କୁ ନିର୍ଦ୍ଦେଶ ହୋଇଥିଲା । ମାତ୍ର ଶ୍ରୀ ରାଉତ କୌଣସି କାରଣରୁ ଦାୟୀତ୍ୱ ନେଇନଥିଲେ । ଏପରିପେକ୍ଷୀରେ ଜୁଲାଇ ୧୯ ଠାରୁ ସମସ୍ତ ସମିତିରେ ଚାଷୀ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଠାରେ ହୋଇପାରିନଥିଲା । ଫଳରେ ଜୁଲାଇ ୨୪ରେ ଚାଷୀ ମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମିତିର ତାଲା ଭଙ୍ଗା ଯାଇ ସମସ୍ତ ରେକର୍ଡ ପତ୍ର ଓ ଉପକରଣ ଗୁଡିକୁ ଜବତ କରାଯାଇ ସମିତିର ଲେଜର କ୍ଲର୍କଙ୍କୁ ଜିମା ଦିଆଯାଇଥିଲା । ଏଥିସହ ଭଦ୍ରକ ଡି.ଆର.ସି.ଏସଙ୍କ ଚିଠି ନଂ-୯୩୧/ତା-୨୪-୭-୨୫ ଅନୁଯାୟୀ ବସନ୍ତିଆ ସମିତିର ସହକାରୀ ସମ୍ପାଦକ ଅଶୋକ କୁମାର ସାହଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭାରପ୍ରାପ୍ତ ସମ୍ପାଦକ ଦାୟୀତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ହୋଇଥିଲା । ଏପରିପେକ୍ଷୀରେ ସମିତିରେ ଡିଇଓଙ୍କ ଜରିଆରେ ଚାଷୀ ପଞ୍ଜକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର କୌଣସି କାରଣରୁ ଶ୍ରୀ ସାହୁ ସମ୍ପାଦକ ଦାୟୀତ୍ୱ ଗ୍ରହଣ କରିନଥିଲେ । ଫଳରେ ନେରଡା ସମିତିର ସମ୍ପାଦକ ଶ୍ରୀ ପଣ୍ଡାଙ୍କୁ ଚାଇଁପୁର ସମିତିର ଭାରପ୍ରାପ୍ତ ଦାୟୀତ୍ୱ ତୁଲାଇବା ପାଇଁ ଡିଆରସିଏସଙ୍କ ପକ୍ଷରୁ ଗୁରବାର ନିର୍ଦ୍ଦେଶ ହୋଇଥିଲା ।