ମିଳିତ ସାହିତ୍ୟ ମଞ୍ଚର ପ୍ରତିଭା ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ମିଳିତ ସାହିତ୍ୟ ମଞ୍ଚ ପକ୍ଷରୁ ବରିଷ୍ଠ ଲେଖକ ରତ୍ନାକର ଦାସଙ୍କ ସମ୍ମାନାର୍ଥେ ଅଭିନନ୍ଦନ ଗ୍ରନ୍ଥ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି।ବାଳକୃଷ୍ଣ ରାଉତଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ଯ ସଭାରେ ମୁଖ୍ଯ ଅତିଥି ଭାବେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା, ମୁଖ୍ଯ ବକ୍ତା ଭାବେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ଯିକ ଡକ୍ଟର ରାମଚନ୍ଦ୍ର ନାୟକ, ସ୍ବତନ୍ତ୍ର ଅତିଥି ଭାବେ ପ୍ରଫେସର ରମାକାନ୍ତ ନାୟକ, ସ୍ବତନ୍ତ୍ର ବକ୍ତା ଭାବେ ପ୍ରଫେସର ଡକ୍ଟର ନାରାୟଣ ସେନାପତି, ସମ୍ମାନିତ ଅତିଥି ଭାବେ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, କବି ଡ.ଅଶୋକ କୁମାର ପୁହାଣ ପ୍ରମୁଖ ଯୋଗଦେଇ ସମ୍ବର୍ଦ୍ଧିତ ପ୍ରତିଭା ରତ୍ନାକର ଦାସଙ୍କ ସାହିତ୍ଯ କୃତି ଓ ସାଙ୍ଗଠନିକ ଦକ୍ଷତା ସଂପର୍କିତ ବକ୍ତବ୍ଯ ପ୍ରଦାନ କରିଥିଲେ। ଏହି ଅବସରରେ ଅଭିନନ୍ଦନ ଗ୍ରନ୍ଥ “ସମାଦର ରତ୍ନାକର”କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହା ସହିତ ଚତୁର୍ଭୁଜ ଜେନାଙ୍କ ପୁସ୍ତକ “ଭିଟା ମାଟିର ମୋହ” ବିଦ୍ୟୁତପ୍ରଭା ଦେଓଙ୍କ “ସେକାଳ ଏକାଳ” ବାମନ ଚରଣ ବେହେରାଙ୍କ “କବିତା ପୀୟୂଷ ” ଚିନ୍ତାମଣି ଦାସଙ୍କ “ଅନ୍ଯ ଏକ ମେଘଦୂତ ” ସମେତ ମୁଖପତ୍ର “ଶିଶୁ ବିଭବ “ଲୋକାର୍ପିତ ହୋଇ ଥିଲା।ମିଳିତ ମଞ୍ଚ ଦ୍ବାରା ବରିଷ୍ଠ ବିଦ୍ବାନ ବାଳକୃଷ୍ଣ ରାଉତ ଓ ଜୟନାରାୟଣ ଜଗଦ୍ଦେବ ମହାପାତ୍ର ଓ ଶିଶୁ ସାହିତ୍ଯ ଗବେଷକ ଡକ୍ଟର ଅନ୍ତର୍ଯ୍ଯାମୀ ପ୍ରଧାନଙ୍କୁ ଫଳକ ଉତ୍ତରୀୟ ଅର୍ପଣ କରାଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା। ମିଳିତ ମଞ୍ଚ ତରଫରୁ କବି ମୁରଲୀଧର ବେହେରା ପ୍ରାକ୍ ସୂଚନା, ଅନ୍ତର୍ଯ୍ଯାମୀ ରାଉତ ଅତିଥି ପରିଚୟ ପ୍ରଦାନ ଚତୁର୍ଭୁଜ ପହି ମଞ୍ଚ ସଂଯୋଜନା କରିଥିବା ବେଳେ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଆନନ୍ଦପୁର ଉପଖଣ୍ଡର ଶତାଧିକ କବି, କବୟିତ୍ରୀ ଓ ସାହିତ୍ୟିକ ମାନେ ଯୋଗଦେଇଥିଲେ।


