କୁନି ପ୍ରତିଭା ଅଭିଲିପ୍ସା
ଛତ୍ରପୁର(ଓ୍ବାଇଏନଏସ): ତୁଳସୀ ଦୁଇ ପତ୍ରରୁ ବାସେ। ମାତ୍ର ଏକ ବର୍ଷ ଦଶ ମାସ ବୟସର ଜଣେ ଶିଶୁ କନ୍ୟାର ପ୍ରଚଣ୍ଡ ପ୍ରତିଭା ପ୍ରମାଣିତ ହେବା ପରେ ସବୁ ମହଲରୁ ତାଙ୍କ ପାଖକୁ ଛୁଟି ଆସିଛି ପ୍ରଶଂସାର ସୁଅ। ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ଗଡ଼ ମାଣତ୍ରୀ ଅଞ୍ଚଳର ଅଠରାଙ୍ଗ ଗ୍ରାମ ତଥା ବର୍ତ୍ତମାନ ଛତ୍ରପୁର ସ୍ଥିତ ଶାନ୍ତି ନଗର ଠାରେ ବସବାସ କରୁଥିବା ଶିଶୁ କନ୍ୟା ଅଭିଲିପ୍ସାଙ୍କ ଠାରେ। ୨୦୨୩ ମସିହା ଜୁନ ମାସ ୭ ତାରିଖରେ ପିତା ଅଜୟ କୁମାର ପଣ୍ଡା ଓ ମାତା ସୁଭଦ୍ରା ପଣ୍ଡାଙ୍କ କୋଳ ମଣ୍ଡନ କରନ୍ତି ଅଭିଲିପ୍ସା। ମାତ୍ର ବାଇଶି ମାସ ବୟସରେ ବିଭିନ୍ନ ଫୁଲଫଳ, ପଶୁପକ୍ଷୀ, ପନିପରିବା, ଯାନ ବାହନ, ବାର ମାସ, ସାତ ଦିନ, ସାତ ରଙ୍ଗ, ଛଅ ଋତୁର ନାମ ସାଙ୍ଗକୁ ବିଭିନ୍ନ ସ୍ଵାଧୀନତା ସଂଗ୍ରାମୀ, ଜାତୀୟ ସଂକେତ, ମନୁଷ୍ୟ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଆଦିର ନାମ ତଥା ଇଂରାଜୀର ଛବିଶ ଗୋଟି ଅକ୍ଷରରୁ ଗୋଟିଏ ଲେଖାଏଁ ଅକ୍ଷରକୁ ବ୍ୟବହାର କରି ନିର୍ଭୁଲ ଶବ୍ଦ କହି ପାରନ୍ତି ଅଭିଲିପ୍ସା। ଚପଳ ମତି ବୟସରୁ ଏଭଳି ବିଚକ୍ଷଣ ପ୍ରତିଭା ରହିଥିବା ପ୍ରମାଣିତ ହେବା ପରେ ତାଙ୍କର ନାମ ଇଣ୍ଡିଆ ଵୁକ୍ ଅଫ ରେକର୍ଡସ(ଆଇ ବି ଆର ଏଚିବାର) ଏବଂ ଇଲାଇଟ ଵୁକ୍ ଅଫ ରେକର୍ଡସ ରେ ସ୍ଥାନ ପାଇଛି। ଅଧୁନା ପିତା ଅଜୟ କୁମାର ପଣ୍ଡା ଗଞ୍ଜାମ ଜିଲ୍ଲାର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟରେ ଜଣେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ବେଳେ ମାତା ସୁଭଦ୍ରା ପଣ୍ଡା ଜଣେ ସୁଗୃହିଣୀ। ବାଲ୍ୟକାଳରୁ ଶିଶୁ କନ୍ୟାଠାରେ ଏଭଳି ପ୍ରତିଭା ରହିଥିବା ଜାଣି ପିତାମାତା ସେଇ ପ୍ରତିଭାର ବିକାଶ ପାଇଁ ନିରନ୍ତର ଚେଷ୍ଟା ଜାରି ରଖିଥିଲେ। ପରିଶ୍ରମ କେବେ ବୃଥା ଯାଏ ନାହିଁ। ଆଗ୍ରହ, ଧୈର୍ଯ୍ୟ, ନିରନ୍ତର ଚେଷ୍ଟା ଓ ସକାରାତ୍ମକ ମନୋଭାବ ଜୀବନରେ ସଫଳତା ଆଣିଥାଏ ବୋଲି ବିଶ୍ୱାସ ରଖନ୍ତି ପିତାମାତା।