ବିରଞ୍ଚିପୁରରେ ’ମୋ ଗାଁ ରେ ତହସିଲ ପ୍ରଶାସନ’ କାର୍ଯ୍ୟକ୍ରମ
ବୁଗୁଡା, (ଓ୍ବାଇଏନଏସ): ବୁଗୁଡା ତହସିଲ ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମରେ ତୃତୀୟ ” ମୋ ଗାଁ ରେ ତହସିଲ ପ୍ରଶାସନ” କାର୍ଯ୍ୟକ୍ରମ ଫେବୃୟାରୀ ୧୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ତହସିଲଦାର ତାପସ ରାଉତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜସ୍ୱ ସୁପ୍ରଭାଇଜର, ବି.କରଡ଼ାବାଡ଼ି ରାଜସ୍ୱ ନିରୀକ୍ଷକ ଓ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ସହଯୋଗ କରିଥିବା ବେଳେ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ମନ୍ଦାକିନୀ ସେଠୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୫ ଟି ଅଭିଯୋଗ ଓ ୨୨ ଟି ଗ୍ରାମ କଣ୍ଟକ ଦରଖାସ୍ତ ପଞ୍ଜିକୃତ ହୋଇଥିଲା। ଗ୍ରାମ କଣ୍ଟକ ଗୁଡିକୁ ୭ ଦିନ ମଧ୍ୟରେ ପଟ୍ଟା ଦେବାକୁ ତହସିଲଦାର ଶ୍ରୀ ରାଉତ ପ୍ରତିଶ୍ରୁତି ଦେବା ସହ ତୁରନ୍ତ ତ୍ୱରାନ୍ୱିତ କରିବା ପାଇଁ ଆରଆଇ ଓ ଏଆରଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ବିନା ମଧ୍ୟସ୍ଥିରେ ଜନସାଧାରଣ କିପରି ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରମାଣ ପତ୍ର ସହ ନିଜର ରାଜସ୍ୱ କାର୍ଯ୍ୟ ନିଜେ ଦରଖାସ୍ତ କରିପାରିବେ ଏବଂ ତହସିଲ ଅଫିସକୁ ନଯାଇ ସହଜରେ କାର୍ଯ୍ୟ ହାସଲ କରିପାରିବେ ସେହି ବିଷୟରେ ତହସିଲଦାର ଶ୍ରୀ ରାଉତ ପ୍ରାଞ୍ଜଳ ଭାବେ ବୁଝାଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ।


