ମିଶନଶକ୍ତି ମେଡିକାଲ କ୍ୟାଣ୍ଟିନ ଚଳାଇ ସ୍ୱାବଲମ୍ବୀ ହୋଇଛନ୍ତି ପଲ୍ଲୀ ପ୍ରଦ୍ୟୋତ ଏସଏଚଜି ଗ୍ରୁପ୍ର ଦଶ ମହିଳା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ମିଶନ ଶକ୍ତି ମେଡିକାଲ କ୍ୟାଣ୍ଟିନ ଚଲାଇ ସ୍ୱାବଲମ୍ବୀ ହୋଇଛନ୍ତି ପଲ୍ଲୀ ପ୍ରଦ୍ୟୋତ ଏସ ଏଚ ଜି ଗ୍ରୁପର ଦଶ ମହିଳା। ହସ ଖୁସିରେ ଚାଲିଛି ପରିବାର। ରୋଗୀମାନଙ୍କୁ ଦେଉଛନ୍ତି ସେବା। ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ମିଶନ ଶକ୍ତି ମେଡିକାଲ କ୍ୟାଣ୍ଟିନ ଚଲାଇ ସ୍ୱାବଲମ୍ବୀ ହୋଇପାରିଛନ୍ତି ଗଞ୍ଜା ଗାଁର ପଲ୍ଲୀ ପ୍ରଦ୍ୟୋତ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ। ୨୦୨୨ମସିହାରେ ଏହି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମେଡିକାଲ କ୍ୟାଣ୍ଟିନକୁ ନିଜ ଦାଇତ୍ୱରେ ନେଇଥିଲେ। ସେବେଠାରୁ ଏହି ମହିଳାମାନେ କ୍ୟାଣ୍ଟିନ ଚଲାଇ ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାରକୁ ହସ ଖୁସିରେ ଚଳାଉଛନ୍ତି। ପିଲାମାନଙ୍କ ପାଠପଢା ସହ କିଛି କିଛି ଟଙ୍କା ମଧ୍ୟ୍ୟ ସଂଚୟ କରୁଥିବା କହିଛନ୍ତି ସେହି ଗୋଷ୍ଠୀର ଜଣେ ମହିଳା। ପ୍ରତିଦିନ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ବ୍ଲକର ୨ ୯ ପଞ୍ଚାୟତର ଶହ ଶହ ରୋଗୀ ମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହ ଗରିବ ରୋଗୀମାନଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ବବିତା ମହାରଣା ଓ ସମ୍ପାଦିକା ରଞ୍ଜିତା ମଞ୍ଜରୀ ପ୍ରଧାନ କହିଛନ୍ତି। ଏହି ମହିଳାମାନଙ୍କର ଆଗରୁ ବହୁ ଅସୁବିଧା ରେ ପରିବାର ଚାଲୁଥିଲା। ପିଲାମାନଙ୍କୁ ଠିକ୍ ଭାବରେ ପାଠ ପଢାଇ ପାରୁ ନଥିଲେ। ହେଲେ ତିନି ବର୍ଷ ହେବ ପାଳି କରି ପ୍ରତ୍ୟକ ଦିନ ତିନି ଜଣ ମହିଳା ନିଜ ଘର କାମ ସାରି ସକାଳୁ କ୍ୟାଣ୍ଟିନ କୁ ଆସିଥାନ୍ତି। ବଜାରରୁ ପନିପରିବା କିଣିବା ସହ ସଉଦାପତ୍ର କରି କ୍ୟାଣ୍ଟିନରେ ଘରୋଇ ସ୍ୱାଦିଷ୍ଟ ଖାଦ୍ୟ ରୋଷେଇ କରି ଖାଇବାକୁ ଆସୁଥିବା ଲୋକମାନଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ଦେଇଥାନ୍ତି। ଜଣେ ମହିଳା ଆସୁଥିବା ଅସହାୟ ରୋଗୀମାନଙ୍କୁ ସାହାଯ୍ୟ ସହଯୋଗ ଲାଗି ଦାଇତ୍ୱରେ ରହିଥାନ୍ତି। ଜିଲ୍ଲାରେ ଅନେକ ମିଶନ ଶକ୍ତି କ୍ୟାଣ୍ଟିନ ବନ୍ଦ ହୋଇଯାଇଥିବା ବେଳେ ଏହି କ୍ୟାଣ୍ଟିନ ଚଲାଇ ହସ ଖୁସିରେ ଚାଲୁଛନ୍ତି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ। ଏହି କ୍ୟାଣ୍ଟିନକୁ ବୁଲି ଦେଖିବାକୁ ବାହାର ଜିଲ୍ଲାର ମହିଳା ଓ ମିଶନ ଶକ୍ତି ବିଭାଗର ଅଧିକାରୀ ମାନେ ବିଭିନ୍ନ ସମୟରେ ଆସିଛନ୍ତି। ପୂର୍ବତନ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏହି କ୍ୟାଣ୍ଟିନ କୁ ପରିଦର୍ଶନ କରି ମହିଳା ମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଯଦି ସରକାରଙ୍କ ପକ୍ଷରୁ ଏହି କ୍ୟାଣ୍ଟିନରେ ଥିବା ଶୌଚାଳୟ ସମସ୍ୟାର ସମାଧାନ ସହ ବଡ଼ ଘର ଯୋଗାଇ ଦିଆଯାଏ ତେବେ ଆହୁରି ଆଗକୁ ଯାଇ ପାରିବେ ବୋଲି ଏହି ଗୋଷ୍ଠୀର ମହିଳା ମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରି କହିଛନ୍ତି।


