ଶ୍ରୀରାମଚନ୍ଦ୍ରଙ୍କର ଭବ୍ୟଆଳୟ ଦିବ୍ୟ ବିଗ୍ରହ ପ୍ରତିଷ୍ଠା ଉତ୍ସବ
ବନ୍ତ(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବାଇପୁର ଗ୍ରାମରେ ଶ୍ରୀ ଶ୍ରୀ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କର ଭବ୍ୟଆଳୟ ଓ ଦିବ୍ୟ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ସୋମବାର ଶୁଭାଧିବାସ, ଅଙ୍କୁରାରୋପଣ, ଶିଳାରୋହଣ, ଧାନ୍ୟାଗାର ସ୍ଥାପନ, ସପ୍ତଧାନ୍ୟ ବପନ, ମଣ୍ଡପାଦି ଶାଲା ସଂସ୍କାର, ଧ୍ୱଜାରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ପଙ୍ଗୀରା ଶାସନସ୍ଥିତ ରେବ ନଦୀ ଘାଟରୁ ୭୫ କଳସ ଶୋଭାଯାତ୍ରାରେ ଅଣାଯାଇ ଗ୍ରାମ ପରିକ୍ରମା ପୂର୍ବକ ଘଟ ସ୍ଥାପନ କରାଯାଇଥିଲା । ମୁଖ୍ୟ କଳସ ରବିନ୍ଦ୍ର କୁମାର ପଣ୍ଡା, ପରମେଶ୍ୱର ସେନାପତି, ଶତୃଘ୍ନ ସେନାପତି, ଜଗନ୍ନାଥ ନାୟକ, ଜଗବନ୍ଧୁ ସାହୁ ଧାରଣ କରିଥିଲେ । ପରେ ଶାଳା ପ୍ରବେଶ, ସୂର୍ଯ୍ୟ ପୂଜନ, ଗୁରୁ ପୂଜନ, ସୌରାଗ୍ନି ସ୍ଥାପନ, ଦେବାଳୟ ପ୍ରତିଷ୍ଠା, ଶ୍ରୀ ବିଗ୍ରହାଦି ନ୍ୟାସ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଆଚାର୍ଯ୍ୟ ପଣ୍ଡିତ ପଦ୍ମନାଭ ପଣ୍ଡାଙ୍କ ସମେତ ଅନ୍ୟ ପୂଜକ ମାନେ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ବୁଧବାର ନୈମିତ୍ତିକ ପୂଜା, ମଣ୍ଡପସ୍ଥ ଦେବଦେବୀଙ୍କ ପୂଜନ, ଶ୍ରୀଗୀତା ଓ ଶ୍ରୀ ଚଣ୍ଡୀ ପାଠ ଓ ଆହୂତି ପ୍ରଦାନ, ସନ୍ଧ୍ୟାରେ ପଣ୍ଡିତ ଚିତ୍ତ ରଞ୍ଜନ ନାୟକଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ଗୁରବାର ନୈମିତ୍ତିକ ପୂଜନ, ସୁନ୍ଦରାକାଣ୍ଡ ପାରାୟଣ, ଶ୍ରୀରାମ ସହସ୍ରନାମ ପାଠ, ଚରୁ ସାଧନ ଓ ପୂର୍ଣ୍ଣାହୂତି, ସନ୍ଧ୍ୟାରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତିଦିନ ଗୋମାତା ପୂଜନ କାର୍ଯ୍ୟକ୍ରମ ରହିଛି ।