ବିଧାୟକଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

ବାଲେଶ୍ବର(ସରୋଜ ପଣ୍ଡା): ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ପ୍ରକୋଷ୍ଠ ଓ ଜିଲ୍ଲାସ୍ତରରେ ମିଳିତ ଜନଶୁଣାଣୀ ଅଭିଯାନ ଭଳି ବାଲେଶ୍ଵର ସଦର ନିର୍ବାଚନମଣ୍ଡଳୀ ସ୍ତରରେ ଆୟୋଜିତ ବିଧାୟକଙ୍କ ଦୁଇଟି ସଫଳ ଜନଶୁଣାଣୀ କାର୍ଯ୍ୟକ୍ରମ ପରେ କଷାଫଳ ପଞ୍ଚାୟତରେ ଅନୁଷ୍ଠିତ ହୋଇଛି ଅନୁରୂପ କାର୍ଯ୍ୟକ୍ରମ। ଏଥିରେ ବିଧାୟକ ମାନସ କୁମାର ଦତ୍ତ ଉପସ୍ଥିତ ରହି ଜନ ସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣିବା ସହିତ ସେଗୁଡ଼ିକର ଆସୁ ସମାଧାନ ପାଇଁ ବ୍ୟବସ୍ଥା କରିଥିଲେ । ତେବେ ଶାସନ ପ୍ରଶାସନକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ପ୍ରଥମ ଥର ସଦର ନିର୍ବାଚନମଣ୍ଡଳୀ ଅଧୀନ କୁରାଡ଼ିହା ପଞ୍ଚାୟତ ଓ ଦ୍ଵିତୀୟରେ ବାଲେଶ୍ଵର ପୌରାଞ୍ଚଳ ପରେ ତୃତୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଭାବେ ଆୟୋଜିତ ହୋଇଥିଲା କଷାଫଳ ଠାରେ। ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର ଶିବିରରେ ଜିଲ୍ଲା ପ୍ରଶାସନର ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ଲୋକଙ୍କ ସମସ୍ୟାଗତ ଆବେଦନକୁ ତଦାରଖ କରିଥିଲେ । ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ସର୍ବମୋଟ ୨୦୫ଟି ଅଭିଯୋଗ ଶୁଣାଣି ହୋଇଥିଲା । ଅଭିଯୋଗଗୁଡ଼ିକ ମଧ୍ୟରେ ମୁଖ୍ୟତଃ ବିଭିନ୍ନ ସ୍ଥାନରେ ଜଳ ଯୋଗାଣ, ଜମି ସୀମାଙ୍କନ, ସ୍ୱାସ୍ଥ୍ୟଗତ ଏବଂ ଚିକିତ୍ସା ଜନିତ ଆବଶ୍ୟକ ସୁବିଧା, ଗମନାଗମନ, ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା, ବାସଗୃହ ଜନିତ ସମସ୍ୟା ଗୁଡ଼ିକ ସର୍ବାଧିକ ଥିଲା। ସମସ୍ତ ଅଭିଯୋଗ ମଧ୍ୟରୁ ୧୯୦ଟି ବ୍ୟକ୍ତିଗତ ସମସ୍ୟା ଥିବାବେଳେ ୧୫ଗୋଟି ସାମୁହିକ ସମସ୍ୟା ସମ୍ବଳିତ ବିଷୟରେ ଆଧାରିତ ଥିଲା । ଏହି ଜନଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ସରକାରଙ୍କର ବିଭିନ୍ନ ଯୋଜନା ଅନୁଯାୟୀ ଆବାସ ସହାୟତା, ଜଳ ନିଷ୍କାସନ ବ୍ୟବସ୍ଥା ପ୍ରଭୃତି ଅଭିଯୋଗଗୁଡିକ ଉପରେ ବିଚାର ପୂର୍ବକ ତୁରନ୍ତ ସେଗୁଡ଼ିକର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ବିଧାୟକ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ପରିଚାଳିତ ଲୋକଙ୍କ ସରକାର ସବୁବେଳେ ଲୋକଙ୍କ ସାଥିରେ ରହିଛି । ତୃଣମୂଳସ୍ତରରେ ସାଧାରଣ ଜନତାଙ୍କ ସମସ୍ତ ସମସ୍ୟାର ତ୍ଵରିତ ସମାଧାନ ପାଇଁ ରାଜ୍ୟର ମୋହନ ମାଝୀ ସରକାର ଦୃଢ଼ ପ୍ରତିବଦ୍ଧ ବୋଲି ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ କହିଛନ୍ତି । ଏଥିରେ ବାଲେଶ୍ଵର ଜିଲ୍ଳା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସଦର ବ୍ଳକ ବିଡ଼ିଓ, ସଦର ତହସିଲଦାର, ଜିଲ୍ଲା ପରିଷଦ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ବସ୍ତା ଉପଖଣ୍ଡ ପୋଲିସ ଅଧିକାରୀ, ସିଂଲା ଥାନା ଅଧିକାରୀ, ସହକାରୀ ବନଖଣ୍ଡ ଅଧିକାରୀଙ୍କ ସମେତ ପଂଚାୟତରାଜ ଓ ଗ୍ରାମ୍ୟ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଜଳ ସଂପଦ, ଟାଟା ପାୱାର, ସ୍ୱାସ୍ଥ୍ୟ, ଶିକ୍ଷା ପ୍ରଭୃତି ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ, ସମିତି ସଭ୍ୟା, ନାଏବ ସରପଞ୍ଚ, ୱାର୍ଡ ମେମ୍ବର ବୃନ୍ଦ ପ୍ରମୁଖ ଉପସ୍ଥିତ ରହି ଜନଶୁଣାଣୀ କାର୍ଯକ୍ରମ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ