ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ୩୧୫ କୋଟିର ମେଗା ପାନୀୟ ଜଳ ପ୍ରକଳ୍ପ ହେଉନି କାର୍ଯ୍ୟକ୍ଷମ
ହାଟଡିହି (ଓ୍ବାଇଏନଏସ) : ୨୦୧୯ ମସିହାରେ ୩୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ କରାଯାଇଥିଲା ମେଗା ପାନୀୟ ଜଳ ପ୍ରକଳ୍ପ। ଘରେ ଘରେ ଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ହାଟଡିହି ବ୍ଲକ ଡଙ୍ଗାଚୁଆ ନିକଟରେ ନିର୍ମାଣ ହୋଇଥଲା ଏହି ବୃହତ ପ୍ରକଳ୍ପ । ପୂର୍ବ ସରକାର ସମୟରେ ଅଣ ଓଡିଆ ଠିକା ସଂସ୍ଥା ମାନଙ୍କୁ ଯୋଗାଇ ଦିଆ ଯାଇଥିଲା ଏହି କାମ। ଏହାରି ଭିତରେ ବିତିଗଲାଣି ୭ବର୍ଷ। ନାଁ ସେ ପ୍ରକଳ୍ପ ଶେଷ ହେଉଛି ନାଁ ଲୋକେ ପାଣି ପାଉଛନ୍ତି । ବାରମ୍ବାର ସମୟ ଗଡ଼ାଇ ଚାଲିଛି ଠିକାଦାର। କାମ ସାରିବା ପୂର୍ବରୁ ପାଖାପାଖି ୯୦ ପ୍ରତିଶତ ଅନୁଦାନ ଠିକାଦାର ଉଠେଇ ନେଇଥିବାରୁ ଠିକା ସଂସ୍ଥା କାମ କରିବାକୁ ଆଗ୍ରହ ଦେଖାଉ ନାହିଁ। ତେବେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅଣ ଓଡିଆ ଠିକା ସଂସ୍ଥାର ମାନମନି ଆଉ କେତେଦିନ ଚାଲିବ । ଗ୍ରାମ୍ୟ ଜଳଯୋଗାଣ ବିଭାଗ ସମ୍ପୃକ୍ତ ଠିକା ସଂସ୍ଥା ଉପରେ ଗତ ବର୍ଷ ଜୋରିମାନା ଧାର୍ଯ୍ୟ କରିବା ପରେ ବି ଆଜି ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ନହେବାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକଳ୍ପ ଆରମ୍ଭ ବେଳେ ଅନେକ ଆଶା ଥିଲା ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ, ଆଉ ପିଇବା ପାଇଁ ପାଣିର ଅଭାବ ରହିବନି, ହେଲେ ଆଶା ଆଶାରେ ରହିଗଲା। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ୨୦୦ ଗ୍ରାମର ୧ଲକ୍ଷ ୨୭ ହଜାର ୮୬୧ ଲୋକଙ୍କ ପାଇଁ ଘରେ ଘରେ ପାନୀୟ ଜଳ ଯୋଗାଇ ଦେବାକୁ ଢେଙ୍କା ପଞ୍ଚାୟତର ଡଙ୍ଗାଚୁଆ ନିକଟରେ ନିର୍ମାଣ କରାଯାଇଥିଲା ଏହି ପାନୀୟ ଜଳ ପ୍ରକଳ୍ପ। କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିରୁ ଏହି ପ୍ରକଳ୍ପ ନିମନ୍ତେ ୩୧୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ଅନୁଦାନ ଯୋଗାଇ ଦିଆ ଯାଇଥିଲା। ୨୮ /୧୧/୨୦୧୯ରେ କାମ ଆରମ୍ଭ ହୋଇଥିବାବେଳେ ୨୭/୧୧/୨୦୨୧ରେ କାମ ସମ୍ପୁର୍ଣ୍ଣ ହେବା କଥା । କିନ୍ତୁ କାମ କରୁଥିବା ଏନସିସି ଠିକା ସଂସ୍ଥା ମନ୍ଥର ଗତିରେ କାମ କରିବା ଯୋଗୁଁ ୭ବର୍ଷ ପରେବି କାମ ସମ୍ପୁର୍ଣ୍ଣ ହେବାର ନାଁ ଧରୁନି । ସବୁଠାରୁ ବଡ଼ କଥା ହେଉଛି ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ବାହାରର ଠିକାଦାର କରୁଥିବା ବେଳେ କାମ ଅଧା ପନ୍ତରୀୟ ଥିଲେ ବି ସରକାର ଠିକା ସଂସ୍ଥାକୁ ଅନୁକମ୍ପା ଦେଖାଇ ୮୯ ପ୍ରତିଶତ ଅନୁଦାନ ରାଶି ଦିଆ ଯାଇଥିଲା। ହେଲେ ଦୁଃଖର ବିଷୟ ଏଯାବତ ଅନେକ ଗାଁକୁ ଭଲରେ ପାଣି ମୁନ୍ଦାଏ ଯାଇ ପାରିଲା ନାହିଁ। କାଁ ଭାଁ କେତୋଟି ଗାଁକୁ ପରୀକ୍ଷା ସ୍ୱରୂପ ପାଣି ଟିକିଏ ଛାଡି ଥିଲେ ବି ଅନେକ ସ୍ଥାନରେ ନିମ୍ନ ମାନର ପାଇପ ଲାଗିଥିବା ଯୋଗୁଁ ଘର ପାଖକୁ ପାଣି ନଯାଇ ରାସ୍ତାରେ ଭାସୁଛି। ଲୋକେ ଯେତେ ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରିବାକୁ କେହି ନାହାନ୍ତି। ନିର୍ମାଣ କାର୍ଯ୍ୟ ବାବଦକୁ ହୋଇଥିବା ବିଲ୍ କୁ ଦେଖିଲେ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ସ୍ପଷ୍ଟ ବାରି ହୋଇପଡୁଛି। ପ୍ରକଳ୍ପ ର କାର୍ଯ୍ୟକାରିତା ଏବେ ଅନେକ ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇପଡିଥିବା ବେଳେ ଆଉ ଏ ପ୍ରକଳ୍ପ ଶେଷ ହେବ କି ନାହିଁ ତାକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ଲାଗି ରହିଛି। ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ କୁ ଆଜିଯାଏ ପାଇପ ସଂଯୋଗ ହୋଇପାରିନି। ଏହି ପଞ୍ଚାୟତର ବଞ୍ଚୋ, ଶିବନାରାୟଣପୁର, ସିଙ୍ଗଡୋବ ଆଦି ଗ୍ରାମରେ ୪ବର୍ଷ ତଳୁ ପାଇପ ବିଛା ହୋଇଥିଲେ ମଧ୍ୟ ପାଣି ଯାଉନି। ସରପଞ୍ଚ ପ୍ରଶାନ୍ତ ରାଉତଙ୍କ କହିବା କଥା ଯେ ଆଜି ପର୍ଯ୍ୟନ୍ତ ମୁଖ୍ୟ ପାଇପ ସଂଯୋଗ ହୋଇ ନଥିବାରୁ ପାଇପ ପାଣି ଆସି ପାରୁନି। ସେହିପରି ଶାସଙ୍ଗ ଗ୍ରାମରେ ଗତ କିଛିଦିନ ପୂର୍ବେ ପାଇପ ବିଛା କାମ ସରିଛି। କିନ୍ତୁ ମେଗା ପାଣି ଗାଁ ଭିତରକୁ ଯାଇ ପାରିନି ବୋଲି ସରପଞ୍ଚ ମଧୁମିତା ସ୍ୱାଇଁ କହିଛନ୍ତି। ସେହିପରି କେ ବାଲିପାଳ ପଞ୍ଚାୟତର ସମସ୍ତ ଗ୍ରାମକୁ ପାଇପ ସଂଯୋଗ ହୋଇ ପାରିନି। ବାଲିପାଳ ଗାଁ ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ କହିଛନ୍ତି ଯେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯକ୍ଷମ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେ ବାରମ୍ବାର ବିଧାନସଭାରେ ଏହି ପ୍ରଶ୍ନ ଉଠାଇ ଥିବାବେଳେ ଜିଲ୍ଲାପାଳ ଙ୍କୁ ମଧ୍ୟ ଅବଗତ କରାଇ ଛନ୍ତି। କିନ୍ତୁ କାମରେ ସେପରି ଅଗ୍ରଗତି ଘଟୁନଥିବା ସେ କହିଛନ୍ତି। ମୂଖ୍ୟମନ୍ତ୍ରୀ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଠିକା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଲୋକଙ୍କୁ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରନ୍ତୁ ବୋଲି ସେ ଦାବି କରିଛନ୍ତି।


