ସଡ଼କ ସାଜିଛି ଗୋରୁଗାଈଙ୍କ ଆଶ୍ରୟସ୍ଥଳ, ବଢ଼ୁଛି ଦୁର୍ଘଟଣା
ଧାମନଗର (ଓ୍ବାଇଏନଏସ): ସଡ଼କ ଉପରେ ଶହ ଶହ ବୁଲା ଗାଈଗୋରୁଙ୍କ ଅବାଧ ବିଚରଣ ଏବେ ଯାତାୟାତରେ ବାଧା ସୃଷ୍ଟି କରିବା ସହ ସଡ଼କ ଦୁର୍ଘଟଣାର ଆଶଙ୍କା ବଢ଼ାଉଛି। ଏହା ସଡ଼କ ସୁରକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ପ୍ରଶ୍ନ ଉଠାଇଛି। ଭଦ୍ରକ-ଧାମନଗର ମୁଖ୍ୟ ରାସ୍ତା ଉପରେ ଏଭଳି ଦୃଶ୍ୟ ଏବେ ନିତିଦିନିଆ ଦେଖିବାକୁ ମିଳୁଛି। ଗୋଚର ଓ ଚାରଣ ଭୂମି ସଙ୍କୁଚିତ ହେବା ସହ ଅନାବାଦୀ ଜମି ଜବରଦଖଲ ଯୋଗୁଁ ଏହି ସମସ୍ୟାର ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଛି। ଜନସଂଖ୍ୟା ବୃଦ୍ଧି ସହ ଖାଲି ପଡ଼ିଥିବା ବ୍ୟକ୍ତିଗତ ଓ ସରକାରୀ ଜମିରେ ଘର ନିର୍ମାଣ ବଢ଼ୁଛି। ଦିନେ ଗାଈଗୋରୁ,ଷଣ୍ଢ,ଛେଳି ଓ ମେଣ୍ଢାଙ୍କ ଚାରଣ ଭୂମି ଭାବେ ବ୍ୟବହୃତ ହେଉଥିବା ଖୋଲା ପଡ଼ିଆ ଏବେ ଜବରଦଖଲ ଓ ଗୃହ ନିର୍ମାଣ ଯୋଗୁଁ ସଙ୍କୁଚିତ ହୋଇଛି। ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ଅନାବାଦୀ ଓ ଜଙ୍ଗଲ କିସମ ଜମିକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରି ନେଇଥିବା ଅଭିଯୋଗ ହେଉଛି।ଏହାର ପ୍ରଭାବ ଏବେ ରାଜରାସ୍ତାରେ ଦେଖିବାକୁ ମିଳୁଛି। ଦିନ ହେଉ କି ରାତି,ବିଭିନ୍ନ ପ୍ରମୁଖ ରାସ୍ତା ଓ ଗ୍ରାମୀଣ ସଡ଼କ ଉପରେ ଗାଈଗୋରୁଙ୍କ
ଅବାଧ ବିଚରଣ ଚାଲିଛି। ରାସ୍ତା ଉପରେ ଦଳ ଦଳ ହୋଇ ବୁଲିବା ସହ ସେମାନେ ବିଶ୍ରାମସ୍ଥଳୀ ଭାବେ ମଧ୍ୟ ସଡ଼କକୁ ବ୍ୟବହାର କରୁଛନ୍ତି। ବିଶେଷକରି ରାତିରେ ଗାଈଗୋରୁ ରାସ୍ତା ଉପରେ ଶୋଇ ରହୁଥିବାରୁ ଗାଡ଼ି ଚାଳକମାନେ ଠିକ୍ ସମୟରେ ସେମାନଙ୍କୁ ଦେଖିପାରୁନାହାନ୍ତି। ଫଳରେ ପଶୁଙ୍କ ସହ ଗାଡ଼ି ଧକ୍କା ହେବା ଏବଂ ଦୁର୍ଘଟଣା ଘଟି ଜନଜୀବନ ପ୍ରଭାବିତ ଆଶଙ୍କା ବଢ଼ୁଛି। ଏଥିସହ ଯାନବାହନ କ୍ଷତିଗ୍ରସ୍ତ ହେବା ଯୋଗୁଁ ଚାଳକ ଓ ମାଲିକଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି।ଏହି ସମସ୍ୟା ପଛରେ ଗୋପାଳକଙ୍କ ମାନସିକତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଅଣ୍ଡିରା ବାଛୁରୀ ଜନ୍ମ ହେଲେ କେତେକ ଗୋପାଳକ ସେମାନଙ୍କୁ ନିଜ ପାଖରେ ନରଖି ବାହାରେ ଛାଡ଼ି ଦେଉଥିବା ଦେଖାଯାଉଛି। ଅନ୍ୟପକ୍ଷରେ ବୁଲା ଗାଈଗୋରୁ ଏବଂ ବେଆଇନ ଗୋଚାଲାଣ ବେଳେ ଉଦ୍ଧାର ହେଉଥିବା ପଶୁଙ୍କୁ ରଖିବା ପାଇଁ ଧାମନଗର ବ୍ଲକ୍ର ଅସୁରାଳିଠାରେ କେବଳ ଗୋଟିଏ ଗୋଶାଳା ରହିଛି। ନୂତନ ଗୋଶାଳାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନଥିବାରୁ ଅଧିକ ସଂଖ୍ୟକ ବୁଲା ଗୋରୁଙ୍କୁ ରଖିବା ସମ୍ଭବ ହେଉନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ,ଗାଈଗୋରୁଙ୍କ ପାଇଁ ଉଦ୍ଦିଷ୍ଟ ଗୋଚର ଜମି ଓ ଅନାବାଦୀ ଜମିର ବିଭିନ୍ନ ସ୍ଥାନ ଜବରଦଖଲ ହେଉଛି।ଫଳରେ ପଶୁଙ୍କ ଚାରଣ ପାଇଁ ପର୍ଯ୍ୟାପ୍ତ ଜମି ନମିଳିବାରୁ ସେମାନେ ରାସ୍ତା ଓ ବଜାର ଅଞ୍ଚଳକୁ ଚାଲିଆସୁଛନ୍ତି। ତେବେ ପ୍ରଶାସନ ପକ୍ଷରୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି।ଗୋଚର ଜମିକୁ ଜବରଦଖଲମୁକ୍ତ କରିବା,ପଶୁଙ୍କ ପାଇଁ ଚାରଣ ଭୂମି ସୁନିଶ୍ଚିତ କରିବା ଏବଂ ରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।


