ନବରାତ୍ରୀ ପୂଜା ପାଇଁ ଭକ୍ତବତ୍ସଳା ମା ପୋଲକାଶୁଣୀଙ୍କ ପୀଠ ଉତ୍ସବମୁଖର

ଆସିକା (ୱାଇଏନ୍‍ଏସ୍‍) : ଆସିକା ପୌର ପରିଷଦ ଅନ୍ତର୍ଗତ ୭ ନମ୍ବର ୱାର୍ଡର ଓଡିଆ ସାହି ମୁଖ୍ୟରାସ୍ତା ପାଶ୍ୱର୍ରେ ପୂଣ୍ୟତୋୟା ଋଷିକୁଲ୍ୟ ନଦୀତଟରେ ଦୀର୍ଘ ବର୍ଷ ହେଲା ପୂଜା ପାଇ ଆସୁଥିବା କଲ୍ୟାଣମୟୀ ମା’ ପୋଲକାଶୁଣୀ (ଫୁଲକେଶିନୀ) ପୀଠରେ ଏକ ଆଧ୍ୟାତ୍ମିକ ପରିବେଶରେ ନବରାତ୍ରୀ ପୂଜା ଚାଲୁ ରହିଥବା ଲକ୍ଷ୍ୟ କରାଯାଇଛି। ନବରାତ୍ର ପୂଜା ସମୟରେ ମା’ ପୋଲକାଶୁଣୀ (ଫୁଲକେଶିନୀ)ଙ୍କୁ ଦର୍ଶନ କଲେ ଅଧିକ ପୂଣ୍ୟ ମିଳେ ବୋଲି ପରମ୍ପରା ଥିବା ଦୃଷ୍ଟିରୁ ଏହି ପୀଠରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗିଥାଏ । ମା’ ପୋଲକାଶୁଣୀ (ଫୁଲକେଶିନୀ)ଙ୍କ ମହିମା ଯୁଗେ ଯୁଗେ ବର୍ଣ୍ଣନାତୀତ । ବର୍ଷକର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ନବରାତ୍ରୀ ପୂଜାର ଏକ ସ୍ୱତନ୍ତ୍ରତା ରହିଛି । ଶାରଦୀୟ ନବରାତ୍ରୀ ପୂଜା ପାଇଁ ଭକ୍ତବତ୍ସଳା ମା ପୋଲକାଶୁଣୀ (ଫୁଲକେଶିନୀ) ପୀଠ ଉତ୍ସବମୁଖର ଓ ଚଳଚଞ୍ଚଳ ହୋଇପଡିଥିଲା ବେଳେ ବିଦ୍ୱାନ ପଣ୍ଡିତ ତଥା କର୍ମକାଣ୍ଡ ବିଶାରଦ ଶଙ୍କର୍ଷଣ କର ଏବଂ ସହଯୋଗୀ ପଣ୍ଡିତ ସାଇପ୍ରସାଦ ହୋତାଙ୍କ ମନ୍ତ୍ରୋଚାରଣରେ ମନ୍ଦିର ପରିସର ପ୍ରକମ୍ପିତ ହୋଇପଡିଥିଲା ବେଳେ ନବରାତ୍ରୀ ଅବସରରେ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ଚାଲୁଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ସାଙ୍ଗକୁ ସାଂଧ୍ୟ ଆଳତୀ ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧିପାଉଥିବା ଦେଖିବାକୁ ମିଳୁଛି । ଶଙ୍ଖ ଧ୍ୱନୀ, ହୁଳହୁଳି ଓ ଘଣ୍ଟଢ଼ୋଲର ତାଳେ ତାଳେ ଶ୍ରଦ୍ଧାଳୁ ଭକ୍ତମାନେ ବିମୋହିତ ହୋଇ ପଡ଼ୁଥିଲା ବେଳେ ମନ୍ଦିର ଭିତରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଆଧ୍ୟାତ୍ମିକପ୍ରେମୀ ସୁରେନ୍ଦ୍ର କୁମାର ବିଷୋୟୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି ନବରାତ୍ରୀ ପୂଜା କାର୍ଯ୍ୟକ୍ରମକୁ କିଭଳି ବିଧିବିଧାନ ଅନୁଯାୟୀ ସମାପ୍ତ କରାଯିବ ଓ ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି। ମନ୍ଦିରର ମୁଖ୍ୟ ପୂଜକ ଭାଗୀରଥୀ ରଣା ପୂଜାର୍ଚ୍ଚନା କାର୍ଯ୍ୟରେ ନିୟୋଜିତ ଥିବା ଦେଖିବାକୁ ମିଳୁଛି। ଆସ୍ଥା ଓ ବିଶ୍ୱାସର ପ୍ରତୀକ ଆସିକାର କଲ୍ୟାଣମୟୀ ମାତା ପୋଲକାଶୁଣୀ (ଫୁଲକେଶିନୀ)ଙ୍କ ପୀଠରେ ନବରାତ୍ରୀ ପୂଜାର ଏକ ସ୍ୱତନ୍ତ୍ରତା ରହିଛି । ଜଗତ୍‍ ଜନନୀ ମା ପୋଲକାଶୁଣୀ (ଫୁଲକେଶିନୀ)ଙ୍କ ପୀଠରେ ନୀତିକାନ୍ତି ଅନୁଯାୟୀ ଉତ୍ସାହ ଓ ଉଦ୍ଦୀପନାର ସହ ନବରାତ୍ରୀ ପୂଜା ପାଳନ କରାଯାଉଛି । ଶକ୍ତି ସ୍ୱରୂପିଣୀ କରୁଣାମୟୀ ମାତା ପୋଲକାଶୁଣୀ (ଫୁଲକେଶିନୀ)ଙ୍କ ମହିମା ଯୁଗେ ଯୁଗେ ବର୍ଣ୍ଣନାତୀତ । ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ଶ୍ରଦ୍ଧାଳୁ ଭକ୍ତ ନିଜର ମାନସିକ ପୂରଣ ପାଇଁ ଏହି ମା’ପୋଲକାଶୁଣୀ (ଫୁଲକେଶିନୀ)ଙ୍କ ପୀଠକୁ ଆସିଥାନ୍ତି । ଜଗତଜନନୀ ମା’ ପୋଲକାଶୁଣୀ (ଫୁଲକେଶିନୀ) ପ୍ରସନ୍ନ ହେଲେ ପ୍ରତ୍ୟେକ କାର୍ଯ୍ୟ ସିଦ୍ଧ ହୁଏ ବୋଲି ବିଶ୍ୱାସ ରହିଛି । ଏଣୁ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମା’ ପୋଲକାଶୁଣୀ (ଫୁଲକେଶିନୀ)ଙ୍କ କରୁଣା ଲାଭ କରିବା ଉଦ୍ଦେଶ୍ୟରେ ଏହି ପୀଠକୁ ଆସିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ