ପୂଣ୍ୟ ଅର୍ଜନର ମାସ କାର୍ତ୍ତିକରେ ଏବେ ବି ବଂଚିଛି “ଆକାଶଦୀପ” ପରମ୍ପରା

ଆସିକା  (ୱାଇଏନ୍‍ଏସ୍‍) : ଆରମ୍ଭ ହୋଇଯାଇଛି ପୂଣ୍ୟ ଓ ଧର୍ମ ଅର୍ଜନର ମାସ କାର୍ତ୍ତିକ । କୋଟି ଜନ୍ମର ପୂଣ୍ୟ ଅର୍ଜନ କରିବାରେ ହିଁ ହିନ୍ଦୁ ସଂପ୍ରଦାୟର ଆଧ୍ୟାତ୍ମିକପ୍ରେମୀ ଶ୍ରଦ୍ଧାଳୁ ମହିଳାମାନେ ସାତ୍ତ୍ୱିର ଆହାର ଭକ୍ଷଣ କରି ନିଷ୍ଠାର ସହ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି । ପୂଣ୍ୟ ଅର୍ଜନର ମାସ କାର୍ତ୍ତିକରେ ଆସିକା ବ୍ଳକ ଓ ଏନ୍‍ଏସି ପରିସରଭୁକ୍ତ ବିଭିନ୍ନ ମନ୍ଦିର ଗୁଡିକରେ ପ୍ରତ୍ୟୁଷରୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ଆଧ୍ୟାତ୍ମିକପ୍ରେମୀ ମହିିଳାମାନେ ପ୍ରତ୍ୟୁଷରୁ ସ୍ନାନ ସାରି ବିଭିନ୍ନ ମନ୍ଦିରରେ ପହଂଚି ତୁଳସୀ ଚଉରା ଚାରିପଟେ ପଞ୍ଚମରୁଜରେ ରାଇଦାମୋଦର, ଜଗନ୍ନାଥ, ସୁଭଦ୍ରା, ବଳଭଦ୍ର, ରାଧାକୃଷ୍ଣ, ଗରୁଡ ଆଦି ଚିତ୍ର ଅଙ୍କନ କରିବା ସହ କାର୍ତ୍ତିକ ପୁରାଣ ଓ କାର୍ତ୍ତିକ ମହିମା ପାଠ କରିବା ସାଙ୍ଗକୁ ଠାକୁରଙ୍କୁ ଓ ମନ୍ଦିର ଗୁଡିକରେ ମିଂଜି ମିଂଜି ହୋଇ ଜଳୁଥିବା ଆକାଶ ଦୀପକୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା । ଏହି ପୂଣ୍ୟ ଅର୍ଜନର ମାସ କାର୍ତ୍ତିକରେ ଏବେ ବି ବଂଚିଛି ଆକାଶ ଦୀପ ପରମ୍ପରା । ଆସିକା ବ୍ଳକ ପରିସରଭୁକ୍ତ ଗ୍ରାମାଂଚଳ ହେଉ କିମ୍ବା ଏନ୍‍ଏସି ପରିସରଭୁକ୍ତ ସହରାଂଚଳ ହେଉ ତୁଳସୀ ମଣ୍ଡପ ଓ ଦେବାଳୟ ନିକଟରେ ଏକ ଲମ୍ବା ବାଉଁଶରେ ମାଟିହାଣ୍ଡିରେ ପବିତ୍ର କାର୍ତ୍ତିକ ମାସରେ ଆକାଶ ଦୀପ ବନ୍ଧାଯାଇଥାଏ । ଦିନ ତମାମ ଉକ୍ତ ଆକାଶ ଦୀପରେ ଜଗତ କଲ୍ୟାଣ ପାଇଁ ଲାଗିଥିବା ନିଆଁ ମିଂଜି ମିଂଜି ହୋଇ ଜଳୁଥାଏ । କାହିଁ କେଉଁ ଆବାହମାନ କାଳରୁ ଏହି ଆକାଶ ଦୀପ ପରମ୍ପରା ପବିତ୍ର କାର୍ତ୍ତିକ ମାସରେ ପ୍ରଚଳିତ ହୋଇଆସୁଥିଲେ ମଧ୍ୟ ଏହାର ରହସ୍ୟ ଏବେବି ଅଧିକାଂଶ ଲୋକଙ୍କ ମଧ୍ୟରେ ଅସୁମାରୀ ପ୍ରଶ୍ନ ହୋଇରହିଯାଇଛି । ଆକାଶ ଦୀପ ସଂପର୍କରେ ଲକ୍ଷ୍ମୀ-ନାରାୟଣ ଏବଂ ରାଧା-ଦାମୋଦରଙ୍କ ଉଦ୍ଦେଶ୍ୟରେ ଲଗାଯାଇଥିବା କେହି କେହି କହୁଥିବା ବେଳେ ଅନ୍ୟ କେତେକ ସାଧାରଣ ଦୀପ ମନ୍ଦିର ଗର୍ଭôଗୃହ କିମ୍ବା ଦୀପ ସ୍ଥଳରେ ପ୍ରଦାନ କରାଯାଉଥିବା ବେଳେ ଉକ୍ତ ଆକାଶ ଦୀପ ଆକାଶରେ ଥିବା ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥାଏ ବୋଲି କହୁଥିବା ଜଣାପଡିଛି । ପ୍ରଚୀନ ନୌବାଣିଜ୍ୟ ପରମ୍ପରାର ସଙ୍କେତ ଭାବେ ମଧ୍ୟ ଏହି ଆକାଶ ଦୀପ ପ୍ରଜ୍ଜଳିତ ହେଉଥିବା କୁହାଯାଉଛି । ସାଧବ ପୁଅ ମାନେ ବୋଇତ ସାହାଯ୍ୟରେ ଜାଭା, ସୁମାତ୍ରା ଆଦି ଦେଶକୁ ବେପାର ବଣିଜ କରିବାକୁ ଯାଇ ଜଳପଥରେ ନିଜ ଦେଶକୁ ଫେରୁଥିବା ବେଳେ ସେହି ସମୟରେ ବତିଘର ନଥିବା ଯୋଗୁଁ ଆକାଶ ଦୀପକୁ ଦେଖି ସାଧବ ପୁଅମାନେ ଦିଗ ଚିହ୍ନଟ କରି ସମୁଦ୍ର କୁଳକୁ ଆସୁଥିଲେ ବୋଲି ମଧ୍ୟ କେତେକ ମହଲରୁ ଶୁଣିବାକୁ ମିଳୁଛି । ପୂଣ୍ୟ ଓ ଧର୍ମ ଅର୍ଜନର ମାସ କାର୍ତ୍ତିକ ମାସରେ ଅତୀତରେ ଦୂରଦୂରାନ୍ତରୁ ପୁରୀ ଯାଉଥିବା ଆଧ୍ୟାତ୍ମିକପ୍ରେମୀ ମହିଳାମାନେ ମଧ୍ୟ ରାତ୍ର ସମୟରେ ନିଜ ଯାତ୍ରା ସମୟରେ ଏହି ଆକାଶ ଦୀପକୁ ଦେଖି ତୀର୍ଥ କ୍ଷେତ୍ରରେ ପହଞ୍ଚୁୁଥିଲେ ବୋଲି ମଧ୍ୟ କେତେକ ମହଲରେ ମତ ପ୍ରକାଶ ପାଉଛି । ସାଂପ୍ରତିକ ପରିସ୍ଥିତିରେ ଆଧୁନିକତାର ଛାପରେ ସମୟ ବହୁତ ପରିବର୍ତ୍ତନ ହେଉଥିଲେ ମଧ୍ୟ ବର୍ତ୍ତମାନ ଯୁଗରେ ବି ଆସିକା ଏନ୍‍ଏସି ଓ ବ୍ଳକ ପରିସରଭୁକ୍ତ ବିଭିନ୍ନ ଅଞ୍ଚଳରେ ଏବେ ବି ଆକାଶ ଦୀପ ପରମ୍ପରା ପ୍ରଚଳିତ ହୋଇଆସୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ