ଆରମ୍ଭ ହେଲା ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଜହ୍ନିଓଷା ପର୍ବ
ଆସିକା(ୱାଇଏନ୍ଏସ୍) :ସରିଯାଇଛି ଭାଦ୍ରବ ମାସର ଖୁଦୁରୁକୁଣୀ ଓଷା। ରବିବାର ଠାରୁ ଆରମ୍ଭ ହୋଇ ସାରିଛି ଆଶ୍ୱିନ ମାସ। ଆଉ ତା ସହିତ ଓଡିଶାର ପାରମ୍ପରିକ ଜହ୍ନିଓଷା ପର୍ବ। ମୁଖ୍ୟତଃ କୁଆଁରୀଙ୍କ ପର୍ବ ହେଉଛି ଜହ୍ନିଓଷା। ଆଶ୍ୱିନ ମାସ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଜହ୍ନିଓଷା ପର୍ବ ପାଳନ କରାଯାଇଥାଏ। ଭଲ ବର ଟିଏ ପଇବା ଆଶାରେ ଅଧିକାଂଶ କୁଆଁରୀ ଜହ୍ନିଓଷାରେ ମା’ବୃନ୍ଦାବତୀଙ୍କୁ ପୂଜା କରିଥାନ୍ତି। କେତେକ ଶ୍ରଦ୍ଧାଳୁ ମହିଳା ମନେ ମଧ୍ୟ ନିଜ ସ୍ୱାମୀ ଓ ପିଲା ଛୁଆଙ୍କ ମଙ୍ଗଳ କାମନା କରି ଏହି ଜହ୍ନିଓଷା ବ୍ରତ ପାଳନ କରିଥାନ୍ତି। ଏହି ଜହ୍ନିଓଷାକୁ ନେଇ ମୁଖ୍ୟତଃ କୁଆଁରୀ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଥାଏ। ଏହା ଗଞ୍ଜାମ ଜିଲ୍ଲାର ଅଧିକାଂଶ ଗ୍ରାମାଞ୍ଚଳରେ ପାଳନ କରାଯାଇଥାଏ। ଜହ୍ନିଓଷା ପାଳନର ଆରମ୍ଭ ଦିନ କୁଆଁରୀ ମାନେ ଏକତ୍ରିତ ହୋଇ ଛାମୁଟିଆ ବାନ୍ଧି ଗୋବର ଲିପିବା ପରେ ଜମିରୁ ଆଣିଥିବା ମାଟିରେ ଚଉଁରା ବନାଇ ସେଥିରେ ତୁଳସୀ ଗଛ ସ୍ଥାପନ କରିଥାନ୍ତି। ସମସ୍ତେ ମାଟି କଳସରେ ପାଣି ଓ ତା’ ଉପରେ ପଇଡ ରଖି କଳସ ସ୍ଥାପନ କରିଥାନ୍ତି। ତୁଳସୀ ଗଛ ଉପରେ ଏକ ପୂର୍ଣ୍ଣ କୁମ୍ଭ ରଖାଯାଇଥାଏ। ଏହାସହ ପାଞ୍ଚ ପ୍ରକାର ବିଭିନ୍ନ ରଙ୍ଗର ମୁରୁଜରେ ଝୋଟି ଆଙ୍କି ଧୂପ-ଦୀପ ଦେଇ ବିଧି ଅନୁସାରେ ମା’ବୃନ୍ଦାବତୀଙ୍କୁ ପୂଜା କରିଥାନ୍ତି। ପ୍ରତିଦିନ ସକାଳୁ କୁଆଁରୀ ମାନେ କଳସରେ ଜଳ ଧରି ସୂର୍ଯ୍ୟଙ୍କ ପୂଜା ଓ ସନ୍ଧ୍ୟାରେ ଚନ୍ଦ୍ର ପୂଜା କରିଥାନ୍ତି। ଏହି ସମୟରେ କୁଆଁରୀ ମାନେ ବନ୍ଦାପନା ମଧ୍ୟ କରିଥାନ୍ତି। ବାଲୁକା ପୂଜା ସମୟରେ ତୁଳସୀ ବନ୍ଦନା କରାଯିବା ସହ ଶ୍ରୀକୃଷ୍ଣ ଓ ଲକ୍ଷ୍ମୀନାରାୟଣଙ୍କ କଉଡିଖେଳ ବୃତ୍ତାନ୍ତ, କଳାକାଇଁଚ ଗୀତ, ଜଗନ୍ନାଥ ଜଣାଣ, ଶ୍ରୀକୃଷ୍ଣଙ୍କ ପ୍ରତି ଯଶୋଦାଙ୍କ ରହିଥିବା ସ୍ନେହ ଓ ବାତ୍ସଲ୍ୟ ମମତାର ଗୀତ ଗାଇ ଜହ୍ନିଓଷା ବ୍ରତ ପାଳନ କରିଥାନ୍ତି। ଜହ୍ନିଓଷା ଆରମ୍ଭରୁ ଶେଷ ଦିନ ପର୍ଯ୍ୟନ୍ତ ବ୍ରତ ଧାରୀ କୁଆଁରୀ ଝିଅ ମାନେ ନିଷ୍ଠାର ସହ ରହି ସାତପ୍ରକାର ଲିଆ ଓ ଚାଉଳରେ ମିଷ୍ଠାନ୍ନ ପ୍ରସ୍ତୁତ କରି ମା’ବୃନ୍ଦାବତୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି। ଅମବାସ୍ୟା ଦିନ ବିରି ଚକୁଳି ଓ ଦଶହରା ଦିନ କାକରାପିଠା ପ୍ରସ୍ତୁତ କରାଯାଇ ମା’ବୃନ୍ଦାବତୀଙ୍କ ନିକଟରେ ଭୋଗଲାଗି ହୋଇଥାଏ। ପୂର୍ବରୁ ପ୍ରସ୍ତୁତ ହୋଇଥିବା ଗଜାମୁଗକୁ ପୋଖରୀ କିମ୍ବା ନଦୀରେ ବିସର୍ଜନ କରାଯାଇଥାଏ। ଜହ୍ନିଓଷା ବ୍ରତ କରୁଥିବା ମହିଳା ଓ କୁଆଁରୀ ମାନେ ମାସେ ବ୍ୟାପି ଜହ୍ନିଫୁଲ କିମ୍ବା ଜହ୍ନି ଛୁଅନ୍ତି ନାହିଁ। ଆମିଷ ବର୍ଜନ କରି ମାସ ସାରା ସାତ୍ତ୍ୱିକ ଭୋଜନ ଗ୍ରହଣ କରିଥାନ୍ତି। ଓଡିଶାର ଏହି ପାରମ୍ପରିକ ଜହ୍ନିଓଷା ପର୍ବ ପୂର୍ବଭଳି ସହରାଞ୍ଚଳରେ ଦେଖିବାକୁ ମିଳୁନଥିବା ବେଳେ ଗ୍ରାମାଞ୍ଚଳ ଗୁଡିକରେ ଏବେ ମଧ୍ୟ ଏହି ଜହ୍ନିଓଷା ପର୍ବ ଲୋକପ୍ରିୟତା ଅତୁଟ ରହିଥିବା ଦେଖିବାକୁ ମିଳୁଛି।


