ଥୁଆମୂଲ ରାମପୁରରେ ଏବେବି ରୋଗୀକୁ ଭରସା ଖଟିଆ
ଥୁଆମୂଲ ରାମପୁର,(ରଥ ଦୁରିଆ):ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏମିତି ଏକ ଗାଁ ଅଛି କହିଲେ କେହି ବିଶ୍ବାସ କରିବେନି। କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ପ୍ରକାରର କୋଟି କୋଟି ଅନୁଦାନ ଅର୍ଥ ମଞ୍ଜୁର ହୋଇ ଥୁଆମୂଲ ରାମପୁର କୁ ଆସୁଛି । କିନ୍ତୁ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଦୃଷ୍ଟିଗୋଚର ହୋଇ ପାରୁନାହିଁ ଏହି କାଞ୍ଜିଗୁଡା ଗ୍ରାମର ଅଭାବ ଓ ଅସୁବିଧା । ଗ୍ରାମାଞ୍ଚଳ ର ଉନ୍ନତି ପାଇଁ ସରକାରୀ ସଂସ୍ଥା ସହ ଏହି ଅଞ୍ଚଳ ର ସାମଗ୍ରିକ ବିକାଶ ନିମନ୍ତେ କେତେନି କେତେ ଗୁଡାଏ ବେସରକାରୀ ସଂସ୍ଥା ମଧ୍ୟ ଅଛନ୍ତି ହେଲେ କେହି ମଧ୍ୟ ଉକ୍ତ କାଞ୍ଜିଗୁଡ଼ା ଗ୍ରାମପାଇଁ ଚେଷ୍ଟା କରୁନାହାନ୍ତି ଦୁଃଖର ବିଷୟ । କଳାହାଣ୍ଡି ଜିଲ୍ଲା ସିନ୍ଧିପଦର ଗ୍ରାମପଞ୍ଚାୟତରେ ଅବସ୍ଥିତ ଏହି କାଞ୍ଜିଗୁଡ଼ା ଗ୍ରାମ । ବର୍ତ୍ତମାନ ଡିଜିଟାଲ ଇଣ୍ଡିଆ କରିବା ସହ ଇଣ୍ଟରନେଟ ଯୁଗ ଲୋକେ ଉପଭୋଗ କରିସାରିଲେଣି । ମାତ୍ର ଏହି କାଞ୍ଜିଗୁଡ଼ା ଗ୍ରାମବାସୀଙ୍କ ପାଇଁ ଗାଁ କୁ ରାସ୍ତା ନାହିଁ କି ସ୍ୱଚ୍ଛପିଇବା ପାଣି ପାଇପାରୁ ନାହାନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଉକ୍ତ ଗ୍ରାମର ମହେଶ ମାଝୀ ଙ୍କୁ ଡାକ୍ତରଖାନା ନେବାପାଇଁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରୁ ନାହିଁ ତେଣୁ ଖଟିଆ ରେ ବୋହି ସାତ ଆଠ କିଲୋମିଟର ଆଣିବାକୁ ପଡୁଛି । ଏମିତି ସମସ୍ତ ରୋଗୀ ତଥା ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ବୋହି ବୋହି ନେବା ଆଣିବା କରନ୍ତି। ଗ୍ରାମବାସୀ ପଲ୍ଲୀସଭା, ଗ୍ରାମସଭା ରେ ଗ୍ରାମର ସମସ୍ୟା ଉପସ୍ଥାପନା କଲେ ମଧ୍ୟ ଯାତାୟତ ର ସୁବିଧା ପାଇଁ ରାସ୍ତା ବି ହୋଇପାରୁ ନାହିଁ କାହିଁକି କେଜାଣି। ବର୍ତ୍ତମାନ କେବେ ଗ୍ରାମବାସୀ ଙ୍କ ସମସ୍ୟା ଦୁରହେବ ମୌଳିକ ଅଧିକାର ପାଇପାରିବେ ପ୍ରଶ୍ନବାଚୀ ।