କଏଦୀ ଫେରାର ଘଟଣାରେ ୩ କର୍ମଚାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ
କଟକ, (ଓ୍ବାଇଏନଏସ): ଦଶହରା ରାତିରେ ଚୌଦ୍ଵାର ମଣ୍ଡଳ କାରାଗାରରୁ କେମିତି ଚମ୍ପଟ ମାରିଲେ ୨ ବିହାରୀ କଏଦୀ । କଏଦୀ ଫେରାର୍ ଘଟଣା ତଦନ୍ତ ପରେ ଜେଲ ଡିଜିଙ୍କୁ ତଦନ୍ତ ରିପୋର୍ଟ ଦେଇଛନ୍ତି ଡିଆଇଜି ।ରିପୋର୍ଟରେ ଅଧୀକ୍ଷକ ଓ ଜେଲରଙ୍କ ଅବହେଳା କଥା ରିପୋର୍ଟରେ କୁହାଯାଇଥିବା ସୂଚନା ମିଳିଛି । ଚୌଦ୍ଵାର ମଣ୍ଡଳ କାରାଗାରରୁ ଦୁଇ କୁଖ୍ୟାତ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଖସି ପଳାଇବା ପରେ ପୋଲିସ ଛାନଭିନ୍ ଜାରି ରଖିଛି । କଏଦୀ କେଉଁ ପରିସ୍ଥିତିରେ କିଭଳି ଖସିଗଲା ଏହାର ତଦନ୍ତ ଦାୟିତ୍ଵ ଡିଆଇଜି ଅନସୂୟା ଜେନାଙ୍କୁ ଦିଆଯାଇଥିଲା ।ଏବେ ଡିଆଇଜି ଅନସୂୟା ଜେନା ତଦନ୍ତ ରିପୋର୍ଟ ଦେଇଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁଇ କଏଦୀ ଫେରାର ଘଟଣାରେ ଜେଲ୍ ଅଧୀକ୍ଷକ ଓ ଜେଲର୍ଙ୍କ ଅବହେଳା ରହିଛି । ଚୌଦ୍ଵାର ଜେଲ୍ରେ ଜେଲ୍ ଡିଆଇଜି ୮ଟି ଦିଗକୁ ନେଇ ତଦନ୍ତ କରିଥିବା ବେଳେ ସାମ୍ନାକୁ ଆସିଛି ବେଶ ରୋଚକ ତଥ୍ୟ । ବିଶେଷ କରି ଜେଲ୍ରେ ଲାଗିଥିବା ସିସିଟିଭି ଠିକ୍ ଭାବେ ଚାଲୁଛି କି ନାହିଁ । କାର୍ଯ୍ୟରେ କେଉଁମାନଙ୍କ ଅବହେଳା ରହିଥିଲା । ହାଇ ସିକ୍ୟୁରିଟି ସେଲ୍ରେ ସିସିଟିଭି ଚାଲୁଥିଲା କି ନାହିଁ । ସେ ଦିଗରେ ବିସ୍ତୃତ ଭାବେ ତଦନ୍ତ ପରେ ରିପୋର୍ଟ ଦେଇଛନ୍ତି ଡିଆଇଜି । କଡ଼ା ସୁରକ୍ଷା ଭେଦି ଦଶହରା ରାତିରେ ଚମ୍ପଟ୍ ମାରିଥିବା ୨ କୁଖ୍ୟାତ ଅପରାଧୀ ୪ ଓ ୭ନମ୍ବର ସେଲ୍ରେ ରହୁଥିଲେ । ୭ନମ୍ବର ସେଲ୍ର ସିସିଟିଭିକୁ ବୁଲାଇ ଦିଆଯାଇଥିବା ବେଳେ ୪ ନମ୍ବର ସେଲ୍ ସିସିଟିଭିକୁ ଅଭିଯୁକ୍ତ କପଡ଼ା ପକାଇ ଘୋଡ଼ାଇ ଦେଉଥିବା ଜଣାପଡ଼ିଛି ।ଏପରିକି ଚୌଦ୍ଵାର ମଣ୍ଡଳ କାରାଗାର ବାହାରେ ଗେଟ୍ରେ ଲାଗିଥିବା ଦୁଇଟି ସିସିଟିଭି ମଧ୍ୟ କାମ କରୁନଥିଲା । ଜେଲ ଅଧୀକ୍ଷକ ଓ ଜେଲର୍ଙ୍କ କାର୍ଯ୍ୟାଳୟରେ ସିସିଟିଭି ଲିଙ୍କ୍ ରହିଥିବା ବେଳେ ସେମାନେ ଏହାକୁ ନିରୀକ୍ଷଣ କରିବା ସହ ସିସିଟିଭି ଦେଖିବା କଥା । ଏଥିସହ ସେ ଦିନ ଡ୍ୟୁଟିରେ ଥିବା ୱାର୍ଡର ମାତ୍ର ଦୁଇ ଥର ବୁଲିଥିଲେ । ସେହିଭଳି ଚିଫ୍ ୱାର୍ଡର ରାତି ୧୧ଟାରେ ଥରେ ଓ କଏଦୀ ଫେରାର୍ ହେବା ପରେ ଆସିଥିବା ସିସିଟିଭିରୁ ଜଣାପଡ଼ିଛି । କାର୍ଯ୍ୟରେ ବଡ଼ଧରଣ ଅବହେଳା କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି । ଜବତ ହୋଇଥିବା ଆରିପାତିଆରେ କଏଦୀ ସେଲ୍ କାଟି ଖସିଯିବା ଭଳି ଲାଗୁନି । ତେଣୁ ସନ୍ଦେହ ଆହୁରି ବଢ଼ିଛି । ପୂର୍ବରୁ ଦୁଇଥର ଖସିଯିବାକୁ ଦୁଇ କଏଦୀ ଉଦ୍ୟମ କରିଥିବା ବେଳେ ଦଶହରା ରାତିରେ ସଫଳ ହୋଇଥିଲେ । ଦୁଇ କୁଖ୍ୟାତ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାରକୁ ଧରିବାକୁ ୧୧ଦିନ ହେବ ତନାଘନା ଜାରି ରହିଛି ।ସେମାନଙ୍କୁ ପିଛା କରୁଥିବା ତଦନ୍ତକାରୀ ଦଳ ହାତରେ ବଡ଼ ସୁରାକ ଲାଗିଛି । ଫେରାର ପରେ ଦୁଇ କଏଦୀ ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି । ଉଭୟ ରାଜ୍ୟ ବାହାରକୁ ଖସି ପଳାଇଥିବା ବେଳେ ପୋଲିସ ସେମାନଙ୍କୁ ପିଛା କରୁଛି । କଏଦୀ ଫେରାର ପଛରେ କାରାଗାରର କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ଚୌଦ୍ଵାର ମଣ୍ଡଳ କାରାଗାରର ୩ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ କରି ପଲିଗ୍ରାଫ୍ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ପର ଦିନ ୩ ତାରିଖରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଜେଲ୍ ଡିଜି । କାର୍ଯ୍ୟରେ ଅବହେଳା ପାଇଁ ଜେଲ୍ର ଜଣେ ୱାର୍ଡରଙ୍କ ସହ ଚିଫ୍ ୱାର୍ଡରଙ୍କୁ ନିଲମ୍ବିତ କରିଥିଲେ । ସୋମବାର ଚୌଦ୍ଵାର ମଣ୍ଡଳ କାରାଗାରର ଜେଲର୍ ସନ୍ତୋଷିନୀ ଦାସଙ୍କୁ କଣ୍ଟାବାଞ୍ଜି ବଦଳି କରାଯାଇଛି । ସନ୍ତୋଷିନୀଙ୍କୁ କଣ୍ଟାବାଞ୍ଜି ଉପ କାରାଗାର ପ୍ରଶାସନିକ ଦାୟିତ୍ଵ ଦିଆଯାଇଛି ।