ଦିଗପହଣ୍ଡିରେ ବାଘ ଆତଙ୍କ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍ ର ଜକର ଗ୍ରାମ ନିକଟ ରେ ଥିବା ମାଁ ‘ ରତନେଇ ମନ୍ଦିର ପାଖରେ ଏକ କଲରା ପତରିଆ ବାଘ ବୁଲୁଥିବା ଫଟୋ , ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଲାଗି ରହିଛି। ବାଘ ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ୩ ଛେଳି ନେଇ ଖାଇଦେଇଥିବା ଅଭିଯୋଗ ହୋଇଛି। ଶନିବାର ସନ୍ଧ୍ୟାରେ କିଛି ବ୍ୟକ୍ତି କାର ଓ ବାଇକ ରେ ଦିଗପହଣ୍ଡି ରୁ ଚିକିଟି ଅଭିମୁଖେ ଯାଉଥିବା ବେଳେ ଏକ କଲରା ପତରିଆ ବାଘ ଲିଓପାର୍ଡକୁ ଦେଖି ମୋବାଇଲ ଫୋନ୍ ରେ ଭିଡିଓ ଓ ଫୋଟ ଉଠାଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ । ଏନେଇ ଜକର ଗ୍ରାମର କିଛି ବ୍ୟକ୍ତି ଦିଗପହଣ୍ଡି ବନ ବିଭାଗ କାର୍ଯ୍ୟାଳୟକୁ ସୂଚନା ଦିଆଯିବା ପରେ ରବିବାର ସକାଳେ ରେଞ୍ଜର ଦିବ୍ୟରଞ୍ଜନ ସାହୁ,ଚିକିଟି ଫରେଷ୍ଟର କାମନା ଭୁଁୟା,ଫରେଷ୍ଟ ଗାର୍ଡ ମିତାରାଣୀ ବିଶ୍ୱାସରାୟ, ବନ ବିଭାଗ ସ୍କୁଆର୍ଡ୍ ସଦସ୍ୟ ସନ୍ତୋଷ ଗୌଡ଼ ପ୍ରମୁଖ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ କରିଥିଲେ। ବନବିଭାଗ ପକ୍ଷରୁ ଡ୍ରୋନ କ୍ୟାମେରା ସହାୟତାରେ ବାଘ ଠାବ ପାଇଁ ଫଟୋ ଭିଡିଓ ସଂଗ୍ରହ କରାଯାଇଥିବା ବେଳେ ନିକଟସ୍ଥ ଜଣେ ବ୍ୟକ୍ତିଙ୍କ ଗୁହାଳ ଓ ବାହୁଦା ନଦୀ ଘାଟ ନିକଟରେ ୨ ଟି ଟ୍ରାପ୍ କ୍ୟାମେରା ସଂଯୋଗ କରାଯାଇଛି। ଘଟଣାସ୍ଥଳରୁ କିମ୍ବା ଆଖପାଖ ଜଙ୍ଗଲ ଇଲାକାରୁ ବାଘର କୌଣସି ପାଦ ଚିହ୍ନ ମିଳିନଥିବା ରେଞ୍ଜର କହିଛନ୍ତି। ପରେ ବନ କର୍ମଚାରୀ ବୃନ୍ଦ ଉପସ୍ଥିତ ଗ୍ରାମବାସୀ ଙ୍କ ସହ ଏନେଇ ବିସ୍ତୃତ ଆଲୋଚନା କରିଥିଲେ। ଗୃହପାଳିତ ପ୍ରାଣୀ ମାନଙ୍କୁ ରାତିରେ ବାହାରେ ଛାଡି ନଦେଇ ଗୁହାଳ ରେ ବାନ୍ଧି ରଖିବା ସହ ଗ୍ରାମବାସୀ ସତର୍କ ଓ ସୁରକ୍ଷିତ ରହିବା ପାଇଁ ବନ କର୍ମଚାରୀ ବୃନ୍ଦ ପରାମର୍ଶ ଦେଇ ଫେରିଥିବା ଜଣାପଡ଼ିଛି।


