ଟିଲୋ କପ ୨୦୨୬ ଉଦ୍‌ଘାଟିତ: ଲାଇଟନିଂ ଲିଜେଣ୍ଡ ଚଣ୍ଡିଗଡ ବିଜୟୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ଭଦ୍ରକ ଜିଲା ଟିଲୋସ୍ଥିତ ହନୁମାନ ଜୀଉ ଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଆସୋସିଏସନ ସହଯୋଗରେ ଟିଲୋ ଆଥ୍‌ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ ୨୦୨୬ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଦିବସରେ ପୁଲ୍‌-‘ଏ’ର ପ୍ରଥମ ମ୍ୟାଚ୍ ଲାଇଟନିଂ ଲିଜେଣ୍ଡ ଚଣ୍ଡିଗଡ ଓ ଜେ.ପି ସ୍ପୋର୍ଟ୍ସ ନୋଇଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜେ.ପି ସ୍ପୋଟ୍‌ର୍ସ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ଲାଇଟନିଂ ଲିଜେଣ୍ଡ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୯.୨ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୩୭ ରନ୍ କରିଥିଲା । ଦଳ ପକ୍ଷରୁ ରମଣ ବିଷ୍ଣୋଇ ୨୧ ବଲରୁ ୩୦ ଓ ଅଙ୍କିତ ନରୱାଲ ୩୩ ବଲରୁ ୨୫ ଓ ସୁନୀଲ ଚୋପ୍ରା ୧୬ ବଲରୁ ୨୫ ରନ୍ କରିଥିଲେ । ପ୍ରତିପକ୍ଷ ଦଳର ବୋଲର ସୁନ୍ଦରମ ଦୁବେ ୪, ପ୍ରବୀଣ ୟାଦବ ୨ ଓ କମରାନ୍ ଖାନ୍ ଗୋଟିଏ ଉଇକେଟ ନେଇଥିଲେ । ଜବାବରେ ଜେ.ପି ସ୍ପୋର୍ଟ୍ସ ନୋଇଡା ବ୍ୟାଟି ଆରମ୍ଭ କରି ୧୮.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୩୦ ରନ୍ କରି ପରାଜିତ ହୋଇଥିବା ବେଳେ ଲାଇଟନିଂ ଲିଜେଣ୍ଡ ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ଶୁଭମ ୟାଦବ ୧୭ ବଲରୁ ୨୪, ରାହୁଲ ୟାଦବ ୧୧ ବଲରୁ ୧୮ ଓ କମରାନ୍ ଖାନ୍ ୬ ବଲରୁ ୧୭ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ଲାଇଟନିଂ ଲିଜେଣ୍ଡର ବୋଲର ଭଗ୍‌ମେନ୍ଦର ଲାଠେର ୪, ଅଙ୍କିତ୍ ନରୱାଲ ୨ ଓ ଅଭିଷେକ ବାବର ଗୋଟିଏ ଉଇକେଟ ନେଇଥିଲେ । ଆଜିର ମ୍ୟାଚରେ ଅମ୍ପାୟର ଭାବେ ଲଲାଟ କେଶରୀ ନନ୍ଦ, ବିଭୁ ପ୍ରସାଦ ମିଶ୍ର, ରଞ୍ଜନ ବେହେରା, ଭାଷ୍ୟକାର ଭାବେ ରସିଦ୍ ଉଲ ଓହିଦ୍‌, ପିଚ୍ କ୍ୟୁରେଟର ପୂର୍ଣ୍ଣେନ୍ଦୁ ଜେନା, ମଳୟ କୁଅଁର, ସ୍କୋରର ଭାବେ ସୌରଜିତ୍ ସାହୁ, ପ୍ରକାଶ ସ୍ୱାଇଁ ଦାୟୀତ୍ୱ ତୁଲାଇଥିଲେ । ଆଜିର ମ୍ୟାଚ୍‌ରେ ଅଙ୍କିତ ନରୱାଲଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଡେପୁଟି କଲେକ୍ଟର ଦେବବ୍ରତ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି, ବ୍ଲକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ, କନିଷ୍ଠ ଯନ୍ତ୍ରୀ ସୁପ୍ରଭା ପ୍ରଧାନ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ପୂର୍ବତନ ସରପଞ୍ଚ ନିହାରିକା ରାଉତ, ବିଜୟ ନାୟକ, ବରିଷ୍ଠ ଉପଦେଷ୍ଟା ଲିଙ୍ଗରାଜ ସ୍ୱାଇଁ, ମନମୋହନ ସାହୁ, ଡ.ମନ୍ମଥ କୁମାର ରାଉଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ଆସନ୍ତାକାଲି(ଶନିବାର) ପୁଲ-‘ଏ’ର ୨ୟ ମ୍ୟାଚ୍ ନେସ୍କେଜ ହାଇଦ୍ରାବାଦ ଓ ଏ ଏଣ୍ଡ ଏସ୍ କୋଲକତା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆଥଲେଟିକ୍ ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ ଓ ସମ୍ପାଦକ ଅସିତ୍ କର, ଏଲ.ଅମରଜିତ୍ ସ୍ୱାଇଁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ