ଆଜି ଆସିକାରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ପରାମର୍ଶକ୍ରମେ ଆଜି ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାଲିସିରା, ଭେଟନଇ, କାଳଷଣ୍ଢପୁର, ବାବନପୁର, ବଡଖୋଲି, ଖାରିଆ, କେ.ନୁଆଁପଲ୍ଲୀ, ନିମିନା, କେନ୍ଦୁପଦର, ଗଙ୍ଗାପୁର,ନଳବଣ୍ଟା, ହରିଡାପଦର, ଆସିକା ସଦର କ୍ଳଷ୍ଟର ଅଧୀନସ୍ଥ ୧୩୫ଟି ସରକାରୀ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ପାଳନ ହେବ ବୋଲି ଜଣାପଡିଛି । ୨୦୨୬ ମସିହା ଏପ୍ରିଲ ମାସ ୧ ତାରିଖ ସୁଦ୍ଧା ୪ ବର୍ଷ ୭ ମାସ ହୋଇଥିବା ଶିଶୁମାନେ ବାଲ୍ବାଟିକା ଏବଂ ୫ ବର୍ଷ ୭ ମାସ ହୋଇଥିବା ଶିଶୁମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ବୋଲି ଜଣାପଡିଛି । ପିଲାଙ୍କ ଭିତରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବା ଲାଗି ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ପାଇଁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି ଓ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଏବଂ ଭଂଜ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶିକ୍ଷା ବିଭାଗର ସିଆର୍ସିସି ଓ ଅନ୍ୟ କର୍ମକର୍ତ୍ତାମାନେ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ଅଭିଭାବକମାନେ ଯୋଗଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଥିବା ଜଣାପଡିଛି । ଯେଉଁ ଶିଶୁମାନେ ନୁଆଁରେ ଖଡି ଛୁଇଁବେ ସେମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରିବା ଲାଗି ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଥିବା ଜଣାପଡିଛି । ଶିଶୁବାଟିକା ପ୍ରତି ପିଲାଙ୍କ ମଧ୍ୟରେ ଯେପରି ଆଗ୍ରହ ବୃଦ୍ଧି ପାଇବ ତାହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପୂର୍ବାହ୍ନରେ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରୁ ଏକ ଶିକ୍ଷା ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଶିଶୁମାନେ ବିଦ୍ୟାଳୟରେ ପ୍ରବେଶ କରିବା ପରେ ସେମାନଙ୍କ ମଥାରେ ଫୁଲ ଓ ଚନ୍ଦନ ଲଗାଇ ଦୁବ ଓ ବରକୋଳିପତ୍ର ପ୍ରଦାନ ପୂର୍ବକ ସ୍ୱାଗତ କରାଯିବ ବୋଲି ଜଣାପଡିଛି । ସିଲଟରେ ୩ଟି ଗୋଲ୍ କରି ଶିକ୍ଷକମାନେ ପିଲାଙ୍କ ବିଦ୍ୟାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ପିଲାଙ୍କ ଅଭିଭାବକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର ସମ୍ଭାବନା ରହିଥିବା ଜଣାପଡିଛି ।


