ଛାତ୍ରଛାତ୍ରୀଙ୍କୁ ଘାରିଛି ସରକାରଙ୍କ ମାଗଣା ପାଠ୍ୟପୁସ୍ତକ ଚିନ୍ତା
ଆସିକା (ୱାଇଏନ୍ଏସ୍) : ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭ ହେବା ସହ ସରକାରୀ ବିଦ୍ୟାଳୟରେ ନୁଆଁ ଶ୍ରେଣୀରେ ନୂତନ ପାଠ୍ୟକ୍ରମରେ ପାଠ ପଢିବା ଲାଗି ଛାତ୍ରଛାତ୍ରୀମାନେ ସ୍କୁଲ ବ୍ୟାଗ୍ ଧରି ବିଦ୍ୟାଳୟ ମୁହାଁ ହୋଇଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ ଟି କ୍ଳଷ୍ଟର ଅଧୀନରେ ୧୬୮ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଥିଲା ବେଳେ ପ୍ରାୟ ୧୩ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢୁଥିବା ଜଣାପଡିଛି । ନୁଆଁ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଥିଲେ ବି ସରକାରଙ୍କ ପକ୍ଷରୁ ଆସିକାକୁ ପୂର୍ଣ୍ଣମାତ୍ରାରେ ପାଠ୍ୟପୁସ୍ତକ ଯୋଗାଇ ନଥିବା ଯୋଗୁଁ ବିଦ୍ୟାଳୟରେ କିପରି ପାଠ ପଢିବେ ସେ ନେଇ ବହୁ ଛାତ୍ରଛାତ୍ରୀ ଚିନ୍ତାରେ ପଡିଯାଇଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳର ସରକାରୀ ଓଡିଆ ମାଧ୍ୟମ ବିଦ୍ୟାଳୟ ଗୁଡିକୁ ଆବଶ୍ୟକତା ଅନୁଯାୟୀ ସରକାରଙ୍କ ପକ୍ଷରୁ ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ସମ୍ଭବପର ହୋଇପାରି ନାହିଁ । ଯାହାକୁ ନେଇ ବହିସଂକଟ ଏବେ ଏକ ପ୍ରମୁଖ ସମସ୍ୟା ପାଲଟିଛି । ଶିକ୍ଷାବର୍ଷ ଆରମ୍ଭରୁ ଆବଶ୍ୟକତା ଅନୁଯାୟୀ ସରକାରଙ୍କ ପକ୍ଷରୁ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିଲେ ଏହି ସମସ୍ୟା ସୃଷ୍ଟି ହୋଇନଥାନ୍ତା ବୋଲି ସାଧାରଣରେ ଆଲୋଚିତ ହେଉଛି । ସରକାରଙ୍କ ଶିକ୍ଷାବିଭାଗ ଗତବର୍ଷ କରିଥିବା ଶିକ୍ଷା ଆଇନ ଅନୁସାରେ ଚଳିତବର୍ଷ ଠାରୁ ପ୍ରାଥମିକ ଶିକ୍ଷାର ସମସ୍ତ ପୁୁରୁଣା ବହି ବଦଳିଯାଇଛି । ଝଲଣା-୧, ଗଣିତ ଖେଳ, ଝୁଲଣା-୨, ମଜାମଜାରେ ଗଣିତ, ଭାଷା ମହକ-୧, ପଲଭି, ଗଣିତ ମେଳା, ବିଚିତ୍ର ଆମ ପୃଥିବୀ, ଇନ୍ଦ୍ରଧନୁ, ଖେଳ ଓ ଯୋଗ, ଭାଷା ମହକ-୨, ଭାଷା ମହକ-୩, ଆମ ବିଚିତ୍ର ବିଶ୍ୱ, ନବରସ, ସାହିତ୍ୟ ସୁଧା, ହିନ୍ଦୀ କଳିକା, ସଂସ୍କୃତ କଳିକା ଭାଗ-୧, ଯସ୍ମିନ୍, ତଲାସ୍, ଜିଜ୍ଞାସା, ସାମାଜିକ ବିଜ୍ଞାନ ଅଧ୍ୟୟନ, ଭାରତ ଓ ଆମ ପୃଥିବୀ, କୌଶଳ ବୋଧ, ଖେଳ ଶିକ୍ଷା, କଳାକୁଞ୍ଜ, ସାହିତ୍ୟ ସୁମନ, ସଂସ୍କୃତ କଳିକା ଭାଗ-୨, କଳାକୃତି, ସାହିତ୍ୟ ସୁରଭି, ସଂସ୍କୃତ କଳିକା ଭାଗ-୩, କୃତି ଇତ୍ୟାଦି ନୁଆଁ ବହି ଏଥର ପିଲାଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ତେବେ ଆବଶ୍ୟକତା ଅନୁଯାୟୀ ବହି ଅଦ୍ୟାବଧି ଆସିପାରିନଥିବା ଯୋଗୁଁ ପାଠପଢା ବାଧାପ୍ରାପ୍ତ ହେବା ସମ୍ଭାବନାକୁ ଏଡାଇ ହେଉନାହିଁ । ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଛାତ୍ରଛାତ୍ରୀମାନଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଆସିକା ଅଞ୍ଚଳର ସମସ୍ତ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ବିଦ୍ୟାର୍ଥୀଙ୍କ ସକାଶେ ଆବଶ୍ୟକତା ଅନୁଯାୟୀ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବାକୁ ଦୁର୍ନିତୀ ବିରୋଧରେ ଆମେ ସଂଗଠନର ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି ।


