କଙ୍କାକାଳିଆ ରେଳ ଫାଟକରେ ବଢୁଛି ଟ୍ରାଫିକ ସମସ୍ୟା: ରେଳ ଓଭରବ୍ରିଜ ନିର୍ମାଣ ପାଇଁ ବାଲେଶ୍ୱର ସାଂସଦଙ୍କ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି
ବେତନଟୀ(ଓ୍ବାଇଏନଏସ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ – ବଡ଼ସାହି ରାସ୍ତାର କଙ୍କା କାଳିଆ ଛକ ନିକଟରେ ଦକ୍ଷିଣ ପୂର୍ବ ରେଳ ପଥର ରେଲୱେ କ୍ରସିଂ ଗେଟ ଏଲ ସି ୧୬ ନିକଟରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ବେତନଟୀ ଅଞ୍ଚଳ ବାସୀ ଦୀର୍ଘ ଦିନ ଧରି ଦାବି କରି ଆସୁଛନ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବେତନଟୀ ବ୍ଲକର ପୂର୍ବତନ ମଣ୍ଡଳ ସଭାପତି ରାଜକିଶୋର ସାହା ବେତନଟୀ ଅଞ୍ଚଳ ବାସୀଙ୍କ ପକ୍ଷରୁ ଏକ ଲିଖିତ ଦରଖାସ୍ତ ଏହି ବିଧାନସଭା ଅଧୀନ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରଦାନ କରିଛନ୍ତି। ଶତାଧିକ ଅଞ୍ଚଳ ବାସୀ ଙ୍କ ଦସ୍ତଖତ ହୋଇଥିବା ଦରଖାସ୍ତ କୁ ମଣ୍ଡଳ ସଭାପତି ଦିଲ୍ଲୀ କୁ ଯାଇ ବାଲେଶ୍ୱର ସାଂସଦଙ୍କୁ ସାକ୍ଷାତ କରି ଓଭରବ୍ରିଜ ସମ୍ପର୍କିତ ସମସ୍ୟା ଅବଗତ କରିବା ସହ ଲିଖିତ ଦରଖାସ୍ତ ମଧ୍ୟ ପ୍ରଦାନ କରିଛନ୍ତି। ଏହାକୁ କେନ୍ଦ୍ରକରି ସାଂସଦ ପ୍ରତାପ ଷଡ଼ଙ୍ଗୀ ଭାରତର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ପ୍ରଦାନ କରିଛନ୍ତି ବୋଲି ମଣ୍ଡଳ ସଭାପତି ବେତନଟୀ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଏହି ୧୬ନମ୍ବର ଗେଟ ଦେଇ ପ୍ରତିଦିନ ରୁପ୍ସା ବାଙ୍ଗରିପୋଷୀ, ବାଙ୍ଗରିପୋଷୀ ବାଲେଶ୍ୱର, ଲୋକାଲ ଟ୍ରେନ ଦିନ ସାରା ଯିବା ଆସିବା କରୁଥିବା ବେଳେ ଦ୍ରୁତଗାମୀ ଟ୍ରେନ ମଧ୍ୟରେ ବାଙ୍ଗରିପୋଷୀ ଭୁବନେଶ୍ୱର, ଭଂଜପୁର ପୁରି, ଭଂଜପୁର ସାଲିମର ଟ୍ରେନ ଯାତାୟାତ କରୁଛି। ଏହି ରାସ୍ତା ଟି ରାଜ୍ୟ ରାଜପଥ ହୋଇଥିବା ବେଳେ ବେତନଟୀର ଏକ ମାତ୍ର ମୁଖ୍ୟ ରାସ୍ତା। ବାରମ୍ବାର ଟ୍ରେନ ଯିବା ଆସିବା କରିବା ଦ୍ୱାରା ଟ୍ରେନ ଗେଟ ପଡିବା ପରେ ଯାତାୟାତରେ ଟ୍ରାଫିକ ସମସ୍ୟା ଅତି ମାତ୍ରା ରେ ବୃଦ୍ଧି ପାଉଛି। ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଗାଡି ବସ, ଟ୍ରକ, କାର, ଅଫିସ କର୍ମଚାରୀ, ସ୍କୁଲ ପିଲା, ଆମ୍ବୁଲାନ୍ସ ଓ ଦମକଳ ଗାଡି, ସରକାରୀ ଗାଡି ଭଳି ଜରୁରୀ ଗାଡିଗୁଡିକ ଯିବା ଆସିବା କରନ୍ତି ଗେଟ ପଡିବା ପରେ ତାହା ୨୦ ମିନିଟ ରୁ ଉର୍ଦ୍ଧ ସମୟ ଅଟକିରହିବା ଫଳରେ ସମସ୍ୟା ବୃଦ୍ଧିପାଉଛି। ଏହିଠାରେ ରେଳ ଓଭରବ୍ରିଜ ଟି ନିର୍ମାଣ ହେଲେ ଅଞ୍ଚଳ ବାସୀ ଯାତାୟାତର ଏକ ସ୍ଥାୟୀ ସମାଧାନ ହୋଇପାରେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଏସମସ୍ୟା ବାବଦରେ ଶତାଧିକ ଅଞ୍ଚଳବାସୀଙ୍କ ଦସ୍ତଖତର ଦାବିପତ୍ର ଟି ବେତନଟୀ ଅଞ୍ଚଳର ପୂର୍ବତନ ମଣ୍ଡଳ ସଭାପତି ରାଜକିଶୋର ସାହା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କୁ ଦିଲ୍ଲୀରେ ପ୍ରଦାନ କରିଥିଲେ। ସାଂସଦ ମଧ୍ୟ ରେଳ ମନ୍ତ୍ରୀଙ୍କୁ ଏ ସମସ୍ୟା ବାବଦରେ ଏକ ଚିଠି ପ୍ରଦାନ କରିଛନ୍ତି।


