ପରିବହନ ବିଭାଗ ପକ୍ଷରୁ ଆସିକାରେ ଖୋଲିବ କ୍ୟାମ୍ପ ଅଫିସ୍
ଆସିକା (ୱାଇଏନ୍ଏସ୍) : ଆସିକାରେ ପରିବହନ ବିଭାଗ ପକ୍ଷରୁ ଏକ କ୍ୟାମ୍ପ ଅଫିସ୍ ଖୋଲିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିବା ପରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରମୁଖ ଅଞ୍ଚଳ ରୂପେ ପରିଚିତ ଥିବା ଆସିକାରେ ପରିବହନ ବିଭାଗ ପକ୍ଷରୁ ପ୍ରସ୍ତାବିତ କ୍ୟାମ୍ପ ଅଫିସ୍ ସପ୍ତାହରେ ୨ ଦିନ କାମ କରିବ ବୋଲି ଜଣାପଡିଛି । ଏଣିକି ପରିବହନ ସଂକ୍ରାନ୍ତୀୟ କାମ ଆସିକାରେ ଅତି ସହଜରେ ହେବ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଆସିକାରେ ଏକ କ୍ୟାମ୍ପ୍ ଅଫିସ୍ ଖୋଲିବାକୁ ଅନୁମତି ପ୍ରଦାନ କରିଥିବା ଜଣାପଡିଛି । ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡି କାଗଜପତ୍ର ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟ ଏଣିକି ସହଜରେ ଆସିକା କ୍ୟାମ୍ପ ଅଫିସରେ ଉପଲବ୍ଧ ହେବ । ଆସିକାରେ ଖୋଲିବାକୁ ଥିବା ପ୍ରସ୍ତାବିତ କ୍ୟାମ୍ପ ଅଫିସ୍ ଭଂଜନଗର ପରିବହନ ବିଭାଗ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରିବ ଏବଂ ବିଭିନ୍ନ ପରିବହନ ସଂକ୍ରାନ୍ତୀୟ ସେବା ଯୋଗାଇ ଦିଆଯିବାର ସମ୍ଭାବନା ରହିଛି । ବିଗତ କିଛି ବର୍ଷ ହେଲା ଯାନବାହାନ ବିକ୍ରୀ ସହିତ ତତ୍ସଂକ୍ରାନ୍ତୀୟ ସେବାର ଆବଶ୍ୟକତା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଜନସାଧାରଣଙ୍କୁ ସଠିକ୍ ସମୟରେ ତ୍ୱରିତ୍ ପରିବହନ ସଂକ୍ରାନ୍ତୀୟ ସେବା ଯୋଗାଇବା ସାଂପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଜରୁରୀ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଆସିକାରେ କ୍ୟାମ୍ପ ଅଫିସ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇ ବିଜ୍ଞପ୍ତି ବି ପ୍ରକାଶ ପାଇସାରିଛି । ଆର୍ଟିଓ ଅଫିସ୍ ପରି ପ୍ରସ୍ତାବିତ ଆସିକା କ୍ୟାମ୍ପ୍ ଅଫିସରେ ମଧ୍ୟ ପରିବହନ ସଂପର୍କିତ ସେବା ଉପଲବ୍ଧ ହେବ ବୋଲି ଜଣାପଡିଛି । ଯାହାରି ଫଳରେ ପ୍ରସ୍ତାବିତ କ୍ୟାମ୍ପ ଅଫିସରେ ଆସିକାରେ କାର୍ଯ୍ୟକ୍ଷମ ହେବା ପରେ ସାଧାରଣ ଜନତାଙ୍କୁ ପରିବହନ ସଂକ୍ରାନ୍ତୀୟ କାର୍ଯ୍ୟ ପାଇଁ ଆଉ ଭଂଜନଗର କିମ୍ବା ଛତ୍ରପୁରକୁ ଯିବାକୁ ପଡିବ ନାହିଁ । ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିକାରେ ଏକ କ୍ୟାମ୍ପ୍ ଅଫିସ୍ ଖୋଲିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଖୁସି ଓ ଆନନ୍ଦର ଲହରୀ ଖେଳିଯାଇଥିଲା ବେଳେ ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି ଓ ଶିବ କୁମାର ନାୟକ ଏବଂ ବିଜୟ କୁମାର ସ୍ୱାଇଁଙ୍କ ସମେତ ବହୁ ସଚେତନ ନାଗରିକ ଏଥିସକାଶେ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ଜଣାପଡିଛି । ପ୍ରସ୍ତାବିତ କ୍ୟାମ୍ପ୍ ଅଫିସ୍ ମାଧ୍ୟମରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ପଞ୍ଜିକୃତ ଗାଡି ଗୁଡିକର ପରମିଟ୍, ଫିଟ୍ନେସ୍, ରୋଡ ଟ୍ୟାକ୍ସ ସମେତ ଅନ୍ୟାନ୍ୟ କାର୍ଯ୍ୟ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି । ଆସିକାରେ କ୍ୟାମ୍ପ ଅଫିସ୍ ଖୋଲିବା ସଂକ୍ରାନ୍ତରେ ଭଂଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥୀ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଦୀର୍ଘ ବର୍ଷ ହେଲା ଆସିକା କଲେଜ ଛକ ଅଞ୍ଚଳରେ ଯାନବାହାନ ଗୁଡିକର ଫିଟ୍ନେସ୍ ସୁବିଧା କରାଯାଉଥିଲା ବେଳେ ବର୍ତ୍ତମାନ କ୍ୟାମ୍ପ ଅଫିସ୍ ଖୋଲିବା ପରେ ଜନସାଧାରଣ ଆହୁରି ଅଧିକରୁ ଅଧିକ ପରିବହନ ସୁବିଧା ପାଇବାରେ ସକ୍ଷମ ହୋଇପାରିବେ । ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିକାରେ ଏକ କ୍ୟାମ୍ପ ଅଫିସ୍ ଖୋଲିବା ଲାଗି ସରକାରୀ ସ୍ତରରେ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସାଧାରଣରେ ଖୁସି ପ୍ରକଟ କରାଯାଉଥିବା ଦେଖିବାକୁ ମିଳୁଛି ।


