ସୁନାମି ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ
ବାଲେଶ୍ଵର (ସରୋଜ ପଣ୍ଡା): ଆଜି ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରଙ୍କ ମିଳିତ ପ୍ରୟାସରେ ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ବର୍ଦ୍ଧନପୁର ପଂଚାୟତର ନିଧିପଡ଼ା ଗ୍ରାମଠାରେ ଜିଲ୍ଲାସ୍ତରୀୟ, ସୁନାମି ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ଅନ୍ୟ ୩ ଗୋଟି ଗ୍ରାମ ଯଥା କସାଫଳ, କୁସୁମୁଳିପାହି ଏବଂ ବଗଦା ଗ୍ରାମରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ନିଧିପଡ଼ା ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲକୁ ରାଜ୍ୟ ପ୍ରକଳ୍ପ ଅଧିକାରୀ ଶ୍ରୀ ସୁତନୁ ଠାକୁର ଉଦଘାଟନ କରିଥିଲେ । ସୁନାମି ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିପରି ବିଭିନ୍ନ ଉପାୟରେ ଉଦ୍ଧାର କରାଯାଇପାରିବ ଏବଂ ଧନଜୀବନ କ୍ଷୟକ୍ଷତିକୁ ରୋକି ହେବ ସେଥିପ୍ରତି ଦୃଷ୍ଟି ଦେବା ଉପରେ ରାଜ୍ୟ ପ୍ରକଳ୍ପ ଅଧିକାରୀ ଶ୍ରୀ ସୁତନୁ ଠାକୁର ଗୁରୁତ୍ୱାରୋପ କରିଥିଲେ । ଉକ୍ତ ମକ ଡ୍ରିଲରେ କମ୍ୟୁନିଟି ସ୍ତରୀୟ ସ୍ଥାନାନ୍ତରଣ ପ୍ରକ୍ରିୟା ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ମକଡ୍ରିଲରେ, ପ୍ରତ୍ୟେକ ପ୍ରତ୍ୟେକ ଗ୍ରାମରୁ ଆଶା, ଅଙ୍ଗନଓ୍ବାଡି କର୍ମୀ, ମତ୍ସ୍ୟ ବିଭାଗ, ଶିକ୍ଷା ବିଭାଗ, ପଶୁ ସମ୍ପଦ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ । ଉକ୍ତ ମକଡ୍ରି ଲରେ ଭାରତୀୟ ସୁନାମୀ ପ୍ରାରମ୍ଭିକ ଚେତାବନୀ କେନ୍ଦ୍ର ଦ୍ୱାରା ୫ଟି ଡମି ଟେଷ୍ଟ ବୁଲେଟିନ ପ୍ରାତଃ ୮ ଘଟିକା ଠାରୁ ୧୧ ଘଟିକା ମଧ୍ୟରେ ପ୍ରସାରଣ କରାଯାଇଥିଲା । ଏହାର ଉଦ୍ଦେଶ୍ଯ ସୁନାମୀ ପ୍ରସ୍ତୁତି, ଏହାର ମୁକାବିଲା ଏବଂ ବିପର୍ଯ୍ୟୟ ପରିଚାଳନା’ ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଇବା ଥିଲା । ଏହି ଅଭ୍ୟାସ ଦ୍ଵାରା ଯୋଗାଯୋଗ ବ୍ୟବସ୍ଥାକୁ ପରୀକ୍ଷା କରିବା, ନିଷ୍ପତ୍ତୀ ନେବା, ଉପକୂଳବର୍ତ୍ତୀ ସମ୍ପ୍ରଦାୟରେ ସତର୍କତା ପ୍ରସାରଣ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟା ଇତ୍ୟାଦି ଅନ୍ତର୍ଭୁକ୍ତ କରାଯାଇଥିଲା । ଏହାଦ୍ୱାରା କିପରି ଜରୁରୀ କାଳୀନ ପ୍ରତିକ୍ରିୟା ଯୋଜନାକୁ ସୁଦୃଢ କରିବା, ସମ୍ପ୍ରଦାୟ ସଚେତନତା ବୃଦ୍ଧି କରିବା ଏବଂ ସୁନାମୀ ପ୍ରସ୍ତୁତ କାର୍ଯ୍ୟକ୍ରମ ସୂଚକ ଗୁଡ଼ିକର କାର୍ଯ୍ୟାନ୍ଵୟନ ମୂଲ୍ୟାଙ୍କନ କରିବା ସମ୍ପର୍କରେ ଆଲୋକପାତ କରାଯାଇଥିଲା । ନିଧିପଡ଼ା ଓ କୁସୁମୁଳିପାହି ଗ୍ରାମ ଠାରେ ଅନୁଷ୍ଠିତ ମକଡ୍ରିଲରେ ଏନ.ଡି.ଆର.ଏଫ., ଓ.ଡ୍ରା.ଫ ବାହିନୀ, ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତାମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିଭଳି ଉଦ୍ଧାର କରାଯାଇଥାଏ, ସେ ସମ୍ପର୍କିତ କୌଶଳ ପ୍ରଦର୍ଶିତ ହୋଇଥିଲା । ଏନ.ଡି.ଆର.ଏଫ, ଓ.ଡ୍ରା.ଫ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ପ୍ରଦର୍ଶନ କରିଥିଲେ ଏବଂ ସେ ଗୁଡିକର କାର୍ଯ୍ୟକ୍ଷମତା ବାବଦରେ ଅବଗତ କରାଇଥିଲେ । ଏହି ଅବସରରେ ଓସଡାମା (OSDMA) କାର୍ଯ୍ୟାଳୟରୁ ଆସିଥିବା ପର୍ଯ୍ୟବେକ୍ଷକ ଓ ରାଜ୍ୟ ପ୍ରକଳ୍ପ ଅଧିକାରୀ ଶ୍ରୀ ସୁତନୁ ଠାକୁର ଉପସ୍ଥିତ ରହି ନିଜର ପ୍ରତିକ୍ରିୟା ରଖିଥିଲେ । ଜିଲ୍ଲାସ୍ତରୀୟ ମକଡ୍ରିଲ୍ କାର୍ଯ୍ୟକ୍ରମରେ ଦୁବୁଲାଗାଡି, ଭୀମପୁର ଓ କସାଫଳ ଗ୍ରାମ ପଂଚାୟତର ବାତ୍ୟା ଆଶ୍ରୟସ୍ଥଳୀର ସଭାପତି ତଥା ସରପଞ୍ଚ, ଓ ସମ୍ପାଦକ, ବାଲେଶ୍ୱର ସଦର ପ୍ରମୁଖ ଉପସ୍ଥିତ ଥିଲେ । ଏନ.ଡି.ଆର.ଏଫ. ଟିମ କମାଣ୍ଡର, ଚିତ୍ତ ରଞ୍ଜନ ମହାନ୍ତି, ଓ.ଡ୍ରା.ଫ ବାହିନୀର ମନୋରଞ୍ଜନ ବେହେରା, ଅଗ୍ନିଶମ ବିଭାଗୀୟ ଅଧିକାରୀ, କର୍ମଚାରୀ, ସ୍ବେଛାସେବୀ ଅନୁଷ୍ଠାନ ସମ୍ପର୍କ ର ସମ୍ପାଦକ ଶ୍ରୀ ପ୍ରଦୀପ ଜେନା ଆନନ୍ଦ କୁମାର ବେହେରା ଉପସ୍ଥିତ ରହି ମକଡ୍ରିଲ ସଂପର୍କରେ ଜନସାଧାରଣଙ୍କୁ ସୂଚନା ଦେଇଥିଲେ । ଉକ୍ତ ମକଡ୍ରିଲରେ ମୋ ଭାରତ ଓ ଆପଦ ମିତ୍ର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ । ବର୍ଦ୍ଧନପୁର ପଂଚାୟତର ସରପଞ୍ଚ ଶ୍ରୀମତୀ ଆରତୀ ମହାପାତ୍ର, ଭୀମପୁର ପଂଚାୟତର ସରପଞ୍ଚ ଶ୍ରୀ ହରିପାଦ ଦାସ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଓସଡାମା) ଶ୍ରୀ ଅବନୀକାନ୍ତ ଭୂୟାଁ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।


