ଏଟିଏମ୍ରେ ସହାୟତା ନାଁରେ ଲୁଟୁଥିଲେ, ମଙ୍ଗଳାବାଗ ପୋଲିସ ହାତରେ ଦୁଇ ଅଭିଯୁକ୍ତ
କଟକ, (ଓ୍ବାଇଏନଏସ): ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କା ଲୁଟି ସେଥିରେ ଚାଲିଥିଲା ବିଳାସପୂର୍ଣ୍ଣ ଜୀବନ। ସ୍ତ୍ରୀ ଓ ପରିବାରକୁ ଖୁସି କରିବା ପାଇଁ କିଣୁଥିଲେ ଦାମୀ ବ୍ରାଣ୍ଡର ପୋଷାକ, ଜୋତା ଓ ଘଣ୍ଟା। ଏଟିଏମ୍ କାଉଣ୍ଟରରେ ସାଧାରଣ ଲୋକଙ୍କୁ ସହାୟତା କରିବାର ବାହାନାରେ ଟଙ୍କା ଲୁଟୁଥିବା ଏକ ଗ୍ୟାଙ୍ଗ୍ର ପର୍ଦ୍ଦାଫାସ ପରେ ସାମ୍ନାକୁ ଆସିଛି ଅଭିଯୁକ୍ତଙ୍କ ଏହି ଚକିତକର ଜୀବନଶୈଳୀ। ଏହି ଘଟଣାରେ କଟକ ମଙ୍ଗଳାବାଗ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବହୁ ନକଲି ଏଟିଏମ୍ କାର୍ଡ ଓ ଦାମୀ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଖୋର୍ଦ୍ଧା ଜିଲ୍ଲାର ମନୋଜ ପାଇକ ଓ ଯାଜପୁର ଜିଲ୍ଲାର ସମ୍ଭବ ଆଚାର୍ଯ୍ୟ। ପୋଲିସ ସୂଚନା ଅନୁସାରେ, ଉଭୟ ଜେଲ୍ରେ ଥିବା ସମୟରେ ପରସ୍ପର ସହ ପରିଚିତ ହୋଇଥିଲେ। ପରେ ଜେଲ୍ରୁ ବାହାରି ଏକାଠି ଏଟିଏମ୍ ଲୁଟ୍ ଗ୍ୟାଙ୍ଗ୍ ଗଠନ କରି ଅପରାଧ ଘଟାଇବା ଆରମ୍ଭ କରିଥିଲେ।ଏହି ଗ୍ୟାଙ୍ଗ୍ର କାର୍ଯ୍ୟଶୈଳୀ ମଧ୍ୟ ଥିଲା ଭିନ୍ନ। ଏଟିଏମ୍ କାଉଣ୍ଟରକୁ ଟଙ୍କା ଉଠାଇବାକୁ ଆସୁଥିବା ଲୋକଙ୍କୁ ସହାୟତା କରିବାର ଆଳ ଦେଖାଇ ସେମାନଙ୍କ ବିଶ୍ୱାସ ଜିତୁଥିଲେ। ଏହି ସୁଯୋଗରେ ଏଟିଏମ୍ କାର୍ଡ ବଦଳାଇବା ଓ ଅନ୍ୟ କୌଶଳରେ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି। ଯାଜପୁର, କଟକ ଓ ଭୁବନେଶ୍ୱରର ବିଭିନ୍ନ ଏଟିଏମ୍ କାଉଣ୍ଟରରେ ଏଭଳି ଉପାୟରେ ଅନେକ ଲୋକଙ୍କୁ ଟାର୍ଗେଟ୍ କରି ଲକ୍ଷାଧିକ ଟଙ୍କା ଲୁଟିଥିଲେ। ପୋଲିସକୁ ମଧ୍ୟ ଏହି ଗ୍ୟାଙ୍ଗ୍ ଟାର୍ଗେଟ୍ କରିଥିବା ଜଣାପଡ଼ିଛି। ତଦନ୍ତରୁ ଅଭିଯୁକ୍ତଙ୍କ ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ମଧ୍ୟ ତଥ୍ୟ ସାମ୍ନାକୁ ଆସିଛି। ସମ୍ଭବ ଆଚାର୍ଯ୍ୟଙ୍କ ନାମରେ ୫୨ଟି ମାମଲା ଥିବାବେଳେ ମନୋଜ ପାଇକଙ୍କ ନାମରେ ୩ଟି ମାମଲା ରହିଛି। ଉଭୟଙ୍କ ପୂର୍ବ ଅପରାଧିକ ରେକର୍ଡ ଓ ଅନ୍ୟ ଘଟଣାରେ ସେମାନଙ୍କ ସମ୍ପୃକ୍ତି ନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି। ଗିରଫ ଅଭିଯୁକ୍ତଙ୍କଠାରୁ ୧୮ରୁ ଅଧିକ ନକଲି ଏଟିଏମ୍ କାର୍ଡ, ଦୁଇଟି ମୋବାଇଲ୍ ଫୋନ୍ ସହ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ହାତଘଣ୍ଟା, ଜୋତା ଓ ପୋଷାକ ଜବତ ହୋଇଛି। ଲୁଟ୍ ଟଙ୍କାରେ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ବଜାୟ ରଖିବା ସହ ସ୍ତ୍ରୀ ଓ ପରିବାରର ସଉକ ପୂରଣ କରିବା ପାଇଁ ଏହି ସାମଗ୍ରୀ କିଣୁଥିବା ଅଭିଯୋଗ ହୋଇଛି। ଘଟଣା ପରେ କଟକ ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ଏଟିଏମ୍ ବ୍ୟବହାର ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କାହାରିକୁ ନିଜ ଏଟିଏମ୍ କାର୍ଡ କିମ୍ବା ପିନ୍ ନମ୍ବର ନଦେବା ସହ ଅଜଣା ବ୍ୟକ୍ତିଙ୍କ ସହାୟତା ନେବାବେଳେ ସାବଧାନ ରହିବାକୁ କଟକ ଡିସିପି ଋଷିକେଶ ଖିଲାରୀ ନିବେଦନ କରିଛନ୍ତି। ଏଟିଏମ୍ କାଉଣ୍ଟରରେ କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ନଜରକୁ ଆସିଲେ ସୁରକ୍ଷା କର୍ମଚାରୀ କିମ୍ବା ନିକଟସ୍ଥ ପୋଲିସର ସହାୟତା ନେବାକୁ ସେ ପରାମର୍ଶ ଦେଇଛନ୍ତି। ଏଟିଏମ୍ରେ ଲୋକଙ୍କ ବିଶ୍ୱାସକୁ ଅସ୍ତ୍ର କରି ଲୁଟ୍ କରୁଥିବା ଏହି ଗ୍ୟାଙ୍ଗ୍ର ପର୍ଦ୍ଦାଫାସ ପରେ ଅନ୍ୟ କେଉଁ କେଉଁ ଘଟଣାରେ ଏହାର ସମ୍ପୃକ୍ତି ରହିଛି, ସେନେଇ ପୋଲିସର ତଦନ୍ତ ଜାରି ରହିଛି।


