ସାଇବର ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତକୁ ଜେଲ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଇଲାକାରେ ବିଭିନ୍ନ ଲୋକଙ୍କ ଠାରୁ ସାଇବର ଠକେଇ କରି ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ମଙ୍ଗଳବାର ପୁଲିସ ଦୁଇ ଜଣଙ୍କୁ ଗିରଫ କରି ଦିଗପହଣ୍ଡି କୋର୍ଟ କୁ ଚାଲାଣ କରିଛନ୍ତି।ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଦିଗପହଣ୍ଡି ଥାନା ଧେରେଣ୍ଡୀ ଗ୍ରାମର ମନୋଜ ଗୌଡ଼ (୨୫) ଏବଂ ଜଲମେରୀ ପଲ୍ଲୀ ଗ୍ରାମର ସନ୍ତୋଷ ପ୍ରଧାନ (୨୮) । ସେମାନଙ୍କ ଠାରୁ ୨ ଟି ମୋବାଇଲ ଫୋନ , ନଗଦ ୧୪,୫୦୦ ଟଙ୍କା ଜବତ ହୋଇଥିବା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି। ଥାନା ମାମଲା ନଂ.୪/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି ।ସୂଚନା ଅନୁସାରେ କେ. ନୂଆଗାଁ ଥାନା ଝଗଡା ଗ୍ରାମର ଶଙ୍କର ରାଉଳ ଙ୍କ ଠାରୁ ଗତ ରବିବାର ଚିକିଟି ଧାନଘର ଛକ ଠାରେ ଶଙ୍କର ରାଉଳ ଙ୍କୁ ଡେଲିଭର ଏଜେଣ୍ଟ ର ପରିଚୟ ଦେଇ ତାଙ୍କ ନିକଟରୁ ଜାଲିଆତି କରି ମୋବାଇଲ ଫୋନ୍ ଜରିଆରେ ଓଟିପି ହାସଲ କରିଥିଲେ ।ଉକ୍ତ ଓଟିପି ବ୍ୟବହାର କରି ମାଈ ଜିଓ ଆପ ରେ ସେମାନେ ଲିଙ୍କ କରିଥିଲେ । ପରେ ଠକେଇ ନେଇ ଜାଣିବା ପରେ ଶଙ୍କର କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏନେଇ ମକଦ୍ଦମା ରୁଜୁ କରି ଘଟଣା ସ୍ଥଳକୁ ଆଇଆଇସି କିଶୋର କୁମାର ସାମଲ, ଚିକିଟି ଫାଣ୍ଡି ଅଧିକାରୀ ଏସ.ଆଇ ଗୌତମ ସାହୁ ତଦନ୍ତ କରିଥିଲେ । ସେହିଦିନ ଠାରୁ ପୁଲିସ ଫୋନ ଟ୍ରାକିଂ ମାଧ୍ୟମ ରେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ରୁ ଜଣାପଡିଲା ଯେ ପିତାତଳି ଗ୍ରାମର ଡି. ଦିଲ୍ଲୀରାଓ, ରାଙ୍ଗା ରାଓ , ପି. ଦିନେଶ ମଧ୍ୟ ଏଭଳି ଠକେଇ ର ଶିକାର ହୋଇଥିଲେ। ପୁଲିସ ଅଭିଯୁକ୍ତ ଦ୍ବୟଙ୍କ ଫୋନ ଲୋକେଶନ ଟ୍ରାକ କରି ସେମାନଙ୍କ ଘରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଥିଲେ। ଜେରା ସମୟରେ ବିଭିନ୍ନ ଫୋନ ପେ ଓଟିପି ମାଧ୍ୟମରେ ଉଭୟ ଟଙ୍କା ଟ୍ରାଞ୍ଜେକ୍ସନ କରାଯାଇଥିବା ମୋବାଇଲ ଫୋନ୍ ସ୍କ୍ରିନ ସଟ ଜବତ କରାଯାଇଥିଲା। ଅଭିଯୁକ୍ତ ଦ୍ବୟ ସାଇବର ଠକେଇ ଏବଂ ମୋବାଇଲ ଫୋନ ସିମ କାର୍ଡ ଡିଜିଟାଲ ପ୍ରମାଣ ପତ୍ର କାରବାର ରେ ସଂପୃକ୍ତ ଥିବା ଆଇଆଇସି କହିଛନ୍ତି ।


