ନ୍ୟାୟ ନମିଳିଲେ ଆତ୍ମାହୁତି ଦେବେ ୨ଦଳିତ ମହିଳା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ନ୍ୟାୟ ନ ମିଳିଲେ କେନ୍ଦ୍ରାପଡ଼ା ଏସ୍‌ପି ଅଫିସ ସମ୍ମୁଖରେ ଆତ୍ମାହୁତି ଦେବେ ଦୁଇ ଦଳିତ ମହିଳା। ନ୍ୟାୟ ପାଇଁ ଥାନା, ଜିଲ୍ଲାପାଳ, ଏସ୍‌ପି, ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଗୁହାରି କରିଛନ୍ତି। ହେଲେ ମହିଳା ଦ୍ୱୟଙ୍କୁ ଅଦ୍ୟାବଧି ନ୍ୟାୟ ମିଳିନାହିଁ। ତେଣୁ ସେମାନେ କେନ୍ଦ୍ରାପଡ଼ା ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସି ରହିିଛନ୍ତି। ତଥାପି ଉଭୟ ମହିଳାଙ୍କୁ ନ୍ୟାୟ ମିଳୁନାହିଁ। ତେଣୁ ଉଭୟ କେନ୍ଦ୍ରାପଡ଼ା ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେବେ ବୋଲି ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି। ଝରଣା ମଲ୍ଲିକ ଓ ମଲ୍ଲୀ ମଲ୍ଲିକ କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଥାନା ପୋଲିସ ସେମାନଙ୍କୁ ନିର୍ଯ୍ୟାତନା ଦେଉଛି। ସେମାନଙ୍କୁ ଆକ୍ରମଣ କରିଥିବା ଏହି ଥାନା ଅଧିନ ପେଗରପଡା ଗ୍ରାମର ଦୁଇ ଅଭିଯୁକ୍ତ ସୁମନ୍ତ ମଲ୍ଲିକ ଓ ନିରଞ୍ଜନ ମଲ୍ଲିକଙ୍କୁ ପୋଲିସ ଗିରଫ କରୁନାହିଁ। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛି। ଫଳରେ ଅଭିଯୁକ୍ତମାନେ ମାମଲା ଉଠାଇ ନେବା ପାଇଁ ଅଭିଯୋଗକାରୀଙ୍କୁ ଧମକ ଦେଉଛନ୍ତି। ଥାନାରୁ ମାମଲା ନ ଉଠାଇଲେ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ଏହା ପ୍ରତିବାଦରେ ସେମାନେ ଗୁରୁବାର ସକାଳୁ ଅହୋରାତ୍ର ଆମରଣ ଅନଶନରେ ବସିଛନ୍ତି। କିନ୍ତୁ ସେମାନଙ୍କୁ ନ୍ୟାୟ ମିଳୁନାହିଁ। ଅଭିଯୁକ୍ତମାନଙ୍କୁ ରାଜକନିକା ଥାନା ପୋଲିସ ଗିରଫ କରୁନାହିଁ। ଯଦି ସେମାନଙ୍କୁ ରାଜକନିକା ଥାନା ପୋଲିସ ଗିରଫ ନ କରେ କି ଏସ୍‌ପି ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଉ ଥିବା ରାଜକନିକା ଥାନାଧିକାରୀ ସଞ୍ଜୟ ମଲ୍ଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ମହିଳାଦ୍ୱୟ ଏସ୍‌ପି ଅଫିସ ସମ୍ମୁଖରେ ଆତ୍ମଦାହ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ରାଜକନିକା ଥାନା ଅଧିନ ପେଗରପଡା ଗ୍ରାମର ଝରଣା ମଲ୍ଲିକ କହିଛନ୍ତି ସେ ଉକ୍ତ ଗ୍ରାମର ମଲ୍ଲୀ ମଲ୍ଲିକଙ୍କ କେବିନକୁ ଭଡ଼ାରେ ନେଇ ପାନ ଦୋକାନ କରିଥିଲେ। ମଲ୍ଲୀଙ୍କୁ କେବିନ ବାବଦରେ ଭଡ଼ା ଦେଉଥିଲେ ଓ ନିଜେ ଦୋକାନରୁ ଯାହା ଲାଭ କରୁଥିଲେ ପାଖରେ ରଖୁଥିଲେ। ଫଳରେ ଉଭୟ ମହିଳାଙ୍କ ପରିବାର ପାଇଁ ଏହି କେବିନ୍ ଆଶାବାଡି ଥିଲା। ହେଲେ ଗତ ଜୁଲାଇ ମାସ ୨୫ ତାରିଖରେ ପେଗରପଡା ଗ୍ରାମର ସୁମନ୍ତ ମଲ୍ଲିକ ଓ ନିରଞ୍ଜନ ମଲ୍ଲିକ ଏହି ଦୋକାନରୁ ଚୋରି କରି ସମସ୍ତ ସାମଗ୍ରୀ ନେଇଗଲେ। ଏ ନେଇ ଝରଣା ଥାନାରେ ଏତଲା ଦେଲେ। ହେଲେ ପୋଲିସ ଏହାକୁ ହାଲୁକା ଭାବେ ଗ୍ରହଣ କଲା। ଅପରପକ୍ଷରେ ଏହି ମାମଲାରେ ଥାନାରେ ସାକ୍ଷୀ ଦେଇଥିବା ଅଶ୍ୱିନୀ ବାରିକଙ୍କୁ ଆକ୍ରମଣ କରାଗଲା। ଏଥିରେ ଅଶ୍ୱିନୀ ଗୁରୁତର ହେଲେ। ସେ ମଧ୍ୟ ଏ ନେଇ ଥାନାରେ ଏତଲା ଦେଲେ। ହେଲେ ତାଙ୍କ ଏତଲାକୁ ମଧ୍ୟ ଥାନାଧିକାରୀ ଗୁରୁତ୍ୱ ଦେଲେ ନାହିଁ। ପୋଲିସ ଝରଣା ମଲ୍ଲିକ ଓ ମଲ୍ଲୀ ମଲ୍ଲିକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କଲା। ଯାହା ଫଳରେ ଅଭିଯୁକ୍ତଦ୍ୱୟ ପୋଲସ ଠାରୁ ସାହସ ପାଇ ଝରଣା ମଲ୍ଲିକଙ୍କ କେବିନ୍ ଆଗରେ କଣ୍ଟାବାଡ଼ ବୁଲାଇ ଦେଲେ। ଏହାଦ୍ୱାରା ଦୁଇ ମହିଳା ସେମାନଙ୍କ ଜୀବିକା ହରାଇଲେ। ବିଜେପି ନେତ୍ରୀ ସୁଜାତା ବାରିକଙ୍କ ନେତୃତ୍ୱରେ ଝରଣା ମଲ୍ଲିକ, ମଲ୍ଲୀ ମଲ୍ଲିକ ଓ କେତେକ ଗ୍ରାମବାସୀ ଏସ୍‌ପି ଅଫିସ ସମ୍ମୁଖରେ ଅହୋରାତ୍ର ଅନଶନରେ ବସିରହିଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କୁ ପଚାରିବାରୁ ସେ କହିଲେ ଗଣତନ୍ତ୍ରରେ ସମସ୍ତଙ୍କର ଅଧିକାର ରହିଛି ଅନଶନ କରିବା ପାଇଁ। ସେମାନେ ଯେଉଁ ଅଭିଯୋଗ କରିଛନ୍ତି ତାହାର ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି। ଅତିରିକ୍ତ ଏସ୍‌ପି ତଦନ୍ତ କରି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ