ହାତୀ ଆକ୍ରମଣରେ ମହିଳାଙ୍କ ସମେତ ଦୁଇ ମୃତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତ ଙ୍କ ସ୍ତ୍ରୀ ଉର୍ମିଳା ରାଉତ(୫୧) ଏବଂ ସ୍ବର୍ଗତ କାଶୀନାଥ ପ୍ରଧାନ ଙ୍କ ପୁଅ ଗୋପୀନାଥ ପ୍ରଧାନ(୬୭) ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି।ରବିବାର ସକାଳ ପ୍ରାୟ ସାଢ଼େ ୫ ଟାରେ ଗାଁ ନିକଟ ପରିବା ବାଡ଼ ରେ ସ୍ବାମୀ ଙ୍କ ସହ ମିଶି ଉର୍ମିଳା କାମ କରୁଥିଲେ। ଦନ୍ତା ହାତୀ କୁ ଦେଖି ଆଖପାଖ ରେ ବାଡ ବଗିଚା ରେ ଥିବା ଲୋକେ ଚିତ୍କାର କରିଥିଲେ। ହାତୀ ଆସିଥିବା ଜାଣି ଉଭୟ ସ୍ବାମୀ ସ୍ତ୍ରୀ ଦୌଡ଼ି ଥିଲେ।ସ୍ତ୍ରୀ ଦୌଡ଼ି ନପାରିବାରୁ ସ୍ବାମୀ ତାଙ୍କୁ ପିଠି ରେ ବୋହି ଦୌଡ଼ିବା ବେଳେ ହାତୀ ଟି ତାର ଶୁଣ୍ଢ ରେ ସ୍ତ୍ରୀ ଙ୍କୁ ଟାଣି ନେଇଥିଲା। ଭୟଭୀତ ଅବସ୍ଥାରେ ସ୍ବାମୀ ଦୌଡ଼ି ଯାଇ ନିକଟରେ ଥିବା ଏକ ଆମ୍ବ ଗଛ ଗଣ୍ଡି ର ଉହାଡ ରେ ଲୁଚି ଠିଆ ହୋଇ ଗୋଟାପଣେ ଥରୁଥିଲେ।ତାଙ୍କ ଆଖି ଆଗରେ ସ୍ତ୍ରୀ ଉର୍ମିଳା ଙ୍କୁ ହାତୀ ଶୁଣ୍ଡ ରେ ଟେକି କଚାଡି ଦେବା ସହ ଦଳି ଦେଇଥିଲା।ସେହିପରି ଗ୍ରାମର ଗୋପୀନାଥ ପ୍ରଧାନ ଙ୍କୁ ହାତୀ ଗୋଡ଼ାଇ ଗୋଡ଼ାଇ  ଶୁଣ୍ଢ ରେ ଦୁଇଥର କିଛିଦୂର କୁ ଫୋପାଡି ନିକଟସ୍ଥ ଜଙ୍ଗଲ କୁ ପଳାଇଥିଲା। ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନା  ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ।  ଏନେଇ ଏତଲା ହେବାପରେ ଦିଗପହଣ୍ଡି ପୁଲିସ ଅପମୃତ୍ୟୁ ମାମଲା ନଂ. ୭/୨୬ ଏବଂ ୮/୨୬ ଅନୁଯାୟୀ ଉଭୟଙ୍କ ମୃତଦେହ କୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।ଉର୍ମିଳାଙ୍କ ଉଭୟ ଚକ୍ଷୁ କୁ ବଡ଼ ଡାକ୍ତରଖାନା ରେ ଉପସ୍ଥିତ ଥିବା ପରିବାର ଲୋକେ ସ୍ଵେଚ୍ଛାକୃତ ଭାବେ ଦାନ କରିବାକୁ ଚାହିଁଥିଲେ। ବ୍ୟବଚ୍ଛେଦ ପୂର୍ବରୁ ପରିବାର ଲୋକଙ୍କ ସହମତି ରେ ବଡ଼ ଡାକ୍ତରଖାନା ଚକ୍ଷୁ ବିଭାଗ ଡାକ୍ତରୀ ଟିମ୍ ତାଙ୍କ ଦୁଇଟି ଚକ୍ଷୁ କୁ ସଂଗ୍ରହ କରିଥିଲେ।  ବ୍ୟବଚ୍ଛେଦ ହେବାପରେ ମୃତଦେହ ଦୁଇଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଖବରପାଇ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର,ତହସିଲଦାର ସନ୍ତୋଷ କୁମାର ସାହୁ, ଫାସିଗୁଡ଼ା ପଞ୍ଚାୟତ  ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ, ବାସୁଦେବପୁର ସରପଞ୍ଚ ପ୍ରତିନିଧି ଏମ.ସନ୍ତୋଷ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟର ଅତିରିକ୍ତ ବନ ସଂରକ୍ଷକ ଅରୁଣ କୁମାର ସାହୁ,ଚନ୍ଦ୍ରଗିରି ରେଞ୍ଜର ରୂପକ କୁମାର ପ୍ରଧାନ,ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଗାଁ ରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଉପସ୍ଥିତ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଉଭୟ ମୃତକ ପରିବାର ଙ୍କୁ ରେଡକ୍ରସ ପାଣ୍ଠି ରୁ ୩୦ ହଜାର ଟଙ୍କା ଏବଂ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ଲେଖାଏଁ ଉଭୟ ପରିବାର ଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଥିଲେ। ବନ ବିଭାଗ ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ରାଶି ୧୦ ଲକ୍ଷ ଟଙ୍କା ମୃତକଙ୍କ ନିକଟ ସମ୍ପର୍କୀୟ ଙ୍କୁ ଦିଆଯିବ।ଶୁଦ୍ଧି କ୍ରିୟା ବାବଦକୁ ଅନୁକମ୍ପା ରାଶି ର ୧୦ ପ୍ରତିଶତ ୧ ଲକ୍ଷ ଟଙ୍କା ଲେଖାଏଁ ତତ୍କାଳ ପ୍ରଦାନ କରାଯାଇଥିବା ଅତିରିକ୍ତ ବନ ସଂରକ୍ଷକ କହିଛନ୍ତି। ସେହିପରି ବିଜେଡ଼ି ରାଜ୍ୟ କାର୍ଯ୍ୟକର୍ତ୍ତା ବିପ୍ଳବ ପାତ୍ର ଜଲମେରୀ ଗ୍ରାମ ଶ୍ମଶାନ ରେ ପହଞ୍ଚି ମୃତକ ଦ୍ବୟ ଙ୍କ ଶେଷ ଦର୍ଶନ କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ଆଶ୍ଵାସନା ଦେଇ ଫେରିଥିଲେ। ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ ଏବଂ ଆଇନଜୀବି ନକୁଳ ପ୍ରଧାନ ଉଭୟ ଶୋକାକୁଳ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି।  ଗତ ପ୍ରାୟ ୧ ମାସ ହେଲା ହାତୀ ଟି ଗଜପତି ଜିଲ୍ଲା ଲଖାରୀ ହାତୀ ଅଭୟାରଣ୍ୟ ରୁ ଗୋଠ ଛଡ଼ା ହୋଇ ତପ୍ତପାଣି ନିକଟ ଝାଟିକାବାଡ଼ ଜଙ୍ଗଲ ଦେଇ ଗଞ୍ଜାମ ଜିଲ୍ଲା ଭୀଷ୍ମଗିରି , ଚଷାନିମଖଣ୍ଡି,ସହଦେବ ଟିକରପଡ଼ା, ନିମଖଣ୍ଡି ପେଣ୍ଠ ପ୍ରଭୃତି ଇଲାକାରେ ଆତଙ୍କ ଚଳାଇଥିଲା।ଚନ୍ଦ୍ରଗିରି ରେଞ୍ଜ ଭୀଷ୍ମଗିରି ସେକ୍ସନ ଅଧିନ ବନ କର୍ମଚାରୀ ବୃନ୍ଦ ତାଲିମପ୍ରାପ୍ତ ହାତୀ ଟ୍ରାକର ଙ୍କ ସହାୟତାରେ ହାତୀ କୁ ପୁଣି ଥରେ ଜଙ୍ଗଲ ମଧ୍ୟକୁ ଘଉଡାଇ ଦେଇଥିଲେ। ହାତୀ ଟି ଶନିବାର ରାତି ରେ ସମ୍ପୃକ୍ତ ଅଞ୍ଚଳକୁ ଫେରି ଆସିଥିବା ସନ୍ଦେହ କରାଯାଉଛି।ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ପାଟପୁର ସେକ୍ସନ ରତନେଇ ରେଖାଙ୍କିତ ଜଙ୍ଗଲରେ  ୪ ହାତୀ ରହୁଛନ୍ତି। ଏହି ପଲ ରୁ ଜଲମେରୀ ପଲ୍ଲୀ ଅଞ୍ଚଳକୁ ହାତୀ ଯାଇଛି କି ନାହିଁ ସେନେଇ ବନ କର୍ମଚାରୀ ମାନଙ୍କ ପକ୍ଷରୁ ଟ୍ରାକିଂ ଚାଲିଥିବା ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ କହିଛନ୍ତି।ଅପରପକ୍ଷରେ   ଆବଶ୍ୟକ ପାଣି ଓ ଖାଦ୍ୟାଭାବ କାରଣରୁ ହାତୀ ପଲ ଜନବସତି କୁ ମାଡି ଆସୁଛନ୍ତି। ବିଗତ ୨୦ ବର୍ଷ ମଧ୍ୟରେ ବ୍ୟାପକ ଜଙ୍ଗଲ ନଷ୍ଟ ସହ ହାତୀ ଭଳି ବନ୍ୟଜନ୍ତୁ ଙ୍କ ବାସସ୍ଥଳୀ ନଷ୍ଟ କରାଯାଇ ସଂରକ୍ଷିତ ଲଖାରୀ ହାତୀ ଅଭୟାରଣ୍ୟ ଭିତରେ ବେଆଇନ ଭାବେ ଅନେକ ଜନବସତି ଗଢ଼ି ଉଠିଥିବା ଜାଣିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ