ବାଇକ୍ରେ ବାଣ ବିସ୍ଫୋରଣ ଘଟି ୨ ଗୁରୁତର
କଟକ, (ଓ୍ବାଇଏନଏସ): ସିଲଭର ସିଟି କଟକରେ ଘଟିଛି ଅଭାବନୀୟ ଘଟଣା । ବାଇକ୍ରେ ବାଣ ବିସ୍ଫୋରଣ ଘଟି ୨ ଗୁରୁତର ହୋଇଛନ୍ତି । ଚାଉଳିଆଗଞ୍ଜ ଥାନା ଅପର୍ଣ୍ଣାନଗରରେ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨ ଜଣ ଗୁରୁତର ଏସସିବି ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି । ସୂଚନା ଥାଉକି, ବାଇକ୍ରେ ଦୁଇ ଜଣ ଯୁବକ ବାଣ ନେଇ ଯାଉଥିଲେ । କିଛି ବାଟ ଯିବା ପରେ ହଠାତ୍ ଗାଡିରେ ହୋଇଥିଲା ବିସ୍ଫୋରଣ । ଶବ୍ଦ ଏତେ ଜୋର୍ରେ ଥିଲା ଯେ ଆଖ ପାଖର ଲୋକେ ଘରୁ ବାହାରି ଆସିଥିଲେ । ସଂଗେ ସଂଗେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବାର ବ୍ୟବସ୍ଥା କରିଥିଲେ । ତେବେ ସଂପୂର୍ଣ୍ଣ ଘଟଣା ରାସ୍ତା କଡରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ସେପଟେ କଟକ ସହରର ପିଠାପୁର ଡ଼ାଲମିଲ ଲେନରେ ଜଣେ ବ୍ୟକ୍ତିଙ୍କ ଘରେ ଥୁଆ ହୋଇଥିବା କାରରେ ଲାଗିଥିଲା ନିଆଁ। ରାତି ପ୍ରାୟ ୧୦.୩୦ ସମୟରେ ନିଆଁ ଲାଗିବା କ୍ଷଣି ଉଗ୍ର ରୂପ ଧାରଣ କରିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାପରେ ଦୁଇଟି ଫାୟାର ଗାଡ଼ି ଓ ୧୫ ରୁ ଉର୍ଦ୍ଧ୍ୱ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଏକ ଘଣ୍ଟା ପରିଶ୍ରମ କରି ନିଆଁକୁ ସମ୍ପୁର୍ଣ୍ଣ ଆୟତ୍ତ କରିଥିଲେ । ବାଣ ପଡ଼ିବା ଯୋଗୁ ନିଆଁ ଲାଗିଥିବା କଥା କହିଛନ୍ତି ଅଗ୍ନିଶମ ଅଧିକାରୀ।