ହୋଇପାରୁନି ଉନ୍ନତ ଚିକିତ୍ସା, ୩ ମାସ ହେବ ଆଣ୍ଠୁରେ ଯନ୍ତ୍ରଣା ଭୋଗୁଛନ୍ତି ଅସହାୟ ବୃଦ୍ଧା
ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ନିଳୋକ ଗ୍ରାମର ସ୍ୱର୍ଗତ ଗଦାଧର ଜେନାଙ୍କ ପତ୍ନୀ ତଥା ଅସହାୟ ବୃଦ୍ଧା ଭାବ ଦେଇ(୭୩) ଅର୍ଥାଭାବ ସହିତ ପାଖରେ କେହି ସାହାରା ନଥିବାରୁ ଦୀର୍ଘ ୩ ମାସ ଧରି ଆଣ୍ଠୁରେ ଯନ୍ତ୍ରଣା ଭୋଗୁଥିବା ଜଣାଯାଇଛି। ଗତ ୩ ମାସ ତଳେ ବାମ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସେ ଭଦ୍ରକରେ ଅସ୍ଥି ଶଲ୍ୟ ବିଶେଷଜ୍ଞଙ୍କୁ ଦେଖାଇଥିଲେ। ୩ ଥର ଡାକ୍ତରଙ୍କୁ ଦେଖାଇବା ପରେ ଶେଷରେ ତାଙ୍କ ଆଣ୍ଠୁରେ ଜମି ରହିଥିବା ପୂଜ ଓ ପାଣିକୁ ବାହାର କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ତାହା ଭଲ ହୋଇ ନଥିବାରୁ ସେ ଯନ୍ତ୍ରଣା ଭୋଗୁଛନ୍ତି। ପାଖରେ କେହି ସାହାରା ନଥିବା ଏବଂ ଅର୍ଥାଭାବରୁ ସେ ଉନ୍ନତ ଚିକିତ୍ସା ହୋଇ ପାରୁନାହାନ୍ତି। ପ୍ରକାଶ ଥାଉକି, ସ୍ୱର୍ଗତ ଗଦାଧର ଯେନା ଓ ଭାବ ଦେଇ ନିସନ୍ତାନ ଥିବା ବେଳେ ମୂଳରୁ ସେମାନେ ନିଳୋକ ଜେନା ସାହିରେ ନିଜ ଜାଗାରେ ରହିଆସୁଥିଲେ। ମାତ୍ର ଆର୍ଥିକ ଅଭାବ ଯୋଗୁ ସମସ୍ତ ଜାଗା ବାଡ଼ି ବିକି ଦେଇଥିଲେ। ଶେଷରେ ଗତ ୨୦ ବର୍ଷ ତଳେ ନିଳୋକ ବଜାର ପାଖରେ ଥିବା ସରକାରୀ ଜାଗାରେ ଚାଳ ଛପର ଘର କରି ମୁଲ ମଜୁରୀ ଲାଗି ଚଳୁଥିଲେ। ଏହାରି ମଧ୍ୟରେ ଗତ ୫ ବର୍ଷ ତଳେ ଗଦାଧର ମୃତ୍ୟୁବରଣ କଲେ। ଫଳରେ ବିଧବା ପତ୍ନୀ ଭାବ ଦେଇ ସମ୍ପୂର୍ଣ୍ଣ ଏକୁଟିଆ ହୋଇ ଯାଇଛନ୍ତି। ଭଙ୍ଗା ଝାଟି ମାଟି ଚାଳ ଛପର ଘରେ ରହୁ ଥିବା ବେଳେ ମାସକୁ ୫ କିଗ୍ରା ରାସନ ଚାଉଳ ଓ ହଜାରେ ଟଙ୍କା ଭତ୍ତା ତାଙ୍କ ପାଇଁ ସାହାରା ହୋଇଛି । ଏପରିସ୍ଥଳେ ଗତ ୩ ମାସ ହେବ ଆଣ୍ଠୁ ଯନ୍ତ୍ରଣା ତାଙ୍କ ପାଇଁ ଅସହ୍ୟ ହୋଇ ପଡିଛି। ଚଲା ବୁଲା କରି ପାରୁ ନଥିବାରୁ ନିଜେ ରୋଷେଇ କରି ଖାଇବା ତାଙ୍କ ପାଇଁ କଷ୍ଟ ସାଧ୍ୟ ହୋଇ ପଡିଛି। ଫଳରେ ସେ ଚୂଡ଼ା ଜଳଖିଆ ଖାଇ ଜୀବନ ବଞ୍ଚାଉଛନ୍ତି। ବୃଦ୍ଧାବସ୍ଥାରେ ଏପରି ରୋଗ ଯନ୍ତ୍ରଣା ପାଇଁ କେହି ସାହାରା ନଥିବାରୁ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି। ରାଜ୍ୟ ସରକାର ତାଙ୍କର ଏଭଳି ଦୁଃଖ ବେଳେ ସହାୟତା ପ୍ରଦାନ କରିବାକୁ ସେ ଆକୁଳ ନିବେଦନ କରିଛନ୍ତି।


