ଆସିକାରେ ଚାଲିଛି ବାସି ଓ ଅପମିଶ୍ରିତ ଖାଦ୍ୟର ବେଧଡକ ବେପାର
ଆସିକା (ୱାଇଏନ୍ଏସ୍) : ଦିନକୁ ଦିନ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କଳେବର ବୃଦ୍ଧି ପାଇବାରେ ଲାଗିଛି । ସେହି ତୁଳନାରେ ଜନସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ଅଞ୍ଚଳରେ ଛତୁ ଫୁଟିଲା ଭଳି ଫାଷ୍ଟଫୁଡ୍ ଦୋକାନ ଠାରୁ ଆରମ୍ଭ କରି ହୋଟେଲ୍ ଓ ରେଷ୍ଟୁରାଣ୍ଟ ଗଢିଉଠୁଛି । ଆସିକା ସହରର ଅଧିକାଂଶ ଫାଷ୍ଟଫୁଡ୍ ଦୋକାନ, ହୋଟେଲ୍ ଓ ରେଷ୍ଟୁରାଣ୍ଟ ଗୁଡିକରେ ପାଟି ସୁଆଦିଆ ଖାଦ୍ୟ ମିଳୁଥିବାରୁ ଗ୍ରାହକଙ୍କ ଭିଜ ଜମୁଥିବା ଦେଖିବାକୁ ମିଳୁଛି । ତେବେ ଖାଦ୍ୟ ଆଳରେ କେତେକ ବ୍ୟବସାୟୀ ଗ୍ରାହକଙ୍କୁ ଅପମିଶ୍ରିତ ଓ ବାସିଖାଦ୍ୟ ପରୁସୁଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ସରଳ ଗ୍ରାହକଙ୍କ ବିଶ୍ୱାସ ସହ କେତେକ ହୋଟେଲ୍, ରେଷ୍ଟୁରାଣ୍ଟ ଓ ଫାଷ୍ଟଫୁଡ୍ ବ୍ୟବସାୟୀ ଖେଳୁଥିଲେ ମଧ୍ୟ ଅପମିଶ୍ରିତ ଓ ବାସି ଖାଦ୍ୟର ବହୁଳ ବିକ୍ରୀବଟାକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନର ନିଘୋଡ ନିଦ୍ରା ଭାଙ୍ଗୁ ନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ହୋଟେଲ୍ ବ୍ୟବସାୟ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ଯେଉଁ କେତୋଟି ସହରକୁ ସାଧାରଣରେ ଗୁରୁତ୍ୱ ଦିଆଯାଉଛି ସେଥିମଧ୍ୟରୁ ଆସିକା ସହର ଅନ୍ୟତମ ବୋଲି ମତ ପ୍ରକାଶ ପାଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବହୁ ହୋଟେଲ୍, ରେଷ୍ଟୁରାଣ୍ଟ ଓ ଉଠାଦୋକାନୀଙ୍କ ଠାରୁ ବିଭିନ୍ନ ସମୟରେ ଅଧିକାଂଶ ଗ୍ରାହକ ଟଙ୍କା ଦେଇ ବାସିଖାଦ୍ୟ ଖାଉଥିବା ଅଭିଯୋଗ ହେଉଛି । ପାଟିକୁ ଖାଦ୍ୟ ସାମଗ୍ରୀ ସୁଆଦିଆ ଲାଗିବା ପାଇଁ କେତେକ ହୋଟେଲ୍ ବ୍ୟବସାୟୀ ଅଧିକାଂଶ କ୍ଷେତ୍ରରେ ଶରୀର ପାଇଁ କ୍ଷତିକାରକ ରାସାୟନିକ ରଙ୍ଗ ମଧ୍ୟ ବ୍ୟବହାର କରୁଥିବା ଚର୍ଚ୍ଚା ହେଉଛି । କେବଳ ବାସିଖାଦ୍ୟ ନୁହେଁ ଖାଦ୍ୟ ପ୍ରସ୍ତୁତ ସ୍ଥାନ ସଂପର୍କରେ ନ କହିବା ଭଲ କାରଣ ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି । ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଆସିକା ଅଞ୍ଚଳରେ ଅପମିଶ୍ରିତ ଓ ବାସିଖାଦ୍ୟ କେତେକ ବ୍ୟବସାୟ ପ୍ରତିଷ୍ଠାନରେ ଅବାଧରେ ବିକ୍ରୀବଟା ଚାଲିଥିବା ସହରର ଗଳିକନ୍ଦିରେ ଚର୍ଚ୍ଚା ହେଉଛି । କେତେକ ହୋଟେଲ୍ ବ୍ୟବସାୟୀ ଚିକେନ୍କୁ ଫ୍ରିଜରରେ ରଖି ଏକ ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ଖାଦ୍ୟସାମଗ୍ରୀ ପ୍ରସ୍ତୁତ କରି ବିକ୍ରୀ କରୁଥିବା ଅଭିଯୋଗ ହେଉଛି । ଏହି ବାସି ଓ ଅପମିଶ୍ରିତ ଖାଦ୍ୟ ଖାଇ ବହୁ ବ୍ୟକ୍ତି ଫୁଡ୍ ପଏଜନିଂ ଠାରୁ ଆରମ୍ଭ କରି ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡିଛି । ଏଭଳି ଅପମିଶ୍ରିତ ଓ ବାସିଖାଦ୍ୟ ବିକ୍ରୀ ବିରୋଧରେ ଆବଶ୍ୟକୀୟ ସମୟରେ ଗ୍ରାହକ କାହାକୁ କିଭଳି ଅଭିଯୋଗ କରିବେ ସେ ସଂକ୍ରାନ୍ତରେ ଏକ ହେଲ୍ପଲାଇନ୍ ନମ୍ବର ଜାରି କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃôଢ ଦାବୀ ହେଉଥିବା ଦେଖିବାକୁ ମିଳୁଛି । ଗତ ୨୦୨୪ ମସିହା ଡିସେମ୍ବର ମାସ ୧୧ ତାରିଖରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାକ୍ତନ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏକ ଟିମ୍ ସହରର ବିଭିନ୍ନ ହୋଟେଲରେ ଚଢାଉ କରିବା ସହ ବାସି ଓ ଅପମିଶ୍ରିତ ଖାଦ୍ୟସାମଗ୍ରୀ ବିକ୍ରୀ ନ କରିବା, ପରିଷ୍କାର ଓ ପରିଚ୍ଛନ୍ନ ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରିବା ସଂପର୍କରେ ସଚେତନ କରିଥିଲେ । ତେବେ ଗତ କିଛି ଦିନ ହେଲା ପ୍ରଶାସନ ପକ୍ଷରୁ ଚଢାଉ ଅଭିଯାନ ବନ୍ଦ ହୋଇଯାଇଥିବା ଯୋଗୁଁ ଆସିକାରେ ପୁଣି ଅପମିଶ୍ରିତ ଓ ବାସିଖାଦ୍ୟର ବହୁଳ ବିକ୍ରୀବଟା କେତେକ ଅଞ୍ଚଳରେ ଅବାଧରେ ଚାଲିଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ସହର ତଥା ଏହାର ଆଖପାଖ କେତେକ ହୋଟେଲ୍,ରେଷ୍ଟୁରାଣ୍ଟ ଓ ଫାଷ୍ଟଫୁଡ୍ ବ୍ୟବସାୟ କେନ୍ଦ୍ରରେ ଅବାଧରେ ଚାଲିଥିବା ବାସି, ଅପମିଶ୍ରିତ ଖାଦ୍ୟର ବହୁଳ ବିକ୍ରୀବଟାକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଉଛି ।