ଲଗାଣ ବର୍ଷା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ପନିପରିବା ଚାଷ ନଷ୍ଟ, ଚିନ୍ତାରେ ଚାଷୀକୁଳ
ହାଟଡିହି (ଓ୍ବାଇଏନଏସ) : ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛନ୍ତି ପନିପରିବା ଚାଷୀ। ପ୍ରବଳ ବର୍ଷା ଯୋଗୁ ଚାଷ ଜମି ଉବୁଟୁବୁ ହୋଇଥିବା ବେଳେ ଅନେକ ଲୋକ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ। ତେବେ ଏକର ଏକର ପନି ପରିବା ଚାଷ ଜମିରେ ପାଣି ଜମି ରହିବା ପରେ ସମ୍ପୂର୍ଣ୍ଣ ପରିବା ଚାଷ ନଷ୍ଟ ହୋଇଯାଇଛି। ଅନ୍ୟପଟେ ଏଯାବତ ବିଭାଗୀୟ ଅଧିକାରୀ ଅଧିକାରୀ ମାନେ ଚାଷୀଙ୍କ କ୍ଷୟ କ୍ଷତି ଆକଳନ କଲେନି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମରେ। ଗାଁର ୩୦୦ ରୁ ଉର୍ଦ୍ଧ ପରିବାର ଏକର ଏକର ଜମିରେ ପନିପରିବା ଚାଷ କରି ଜୀବନ ଜୀବିକା ଚଳାଇଥାନ୍ତି। ବିଶେଷ କରି ଏହି ସମୟରେ ଚାଷୀମାନେ ନିଜ ନିଜ କ୍ଷେତରେ ବାଇଗଣ, କାକୁଡି, କଲରା, ଜହ୍ନି, ପୁଟୋଳ, ଭେଣ୍ଡି, ଲଙ୍କା, ବୋଇତାଳୁ ସମେତ ବିଭିନ୍ନ କିସମର ଶାଗ ଆଦି ଚାଷ କରିଥିଲେ। ଯାହାକି ଏବେ ଭଲ ଦି ପଇସା ଲାଭ ମଧ୍ୟ ଦେଇଥାଏ। କିନ୍ତୁ ଲଘୁଚାପ ଜନିତ ଲଗାଣ ବର୍ଷା ଦ୍ୱରା ପାହାଡ଼ ପାଣି ଆସି ଚାଷୀଙ୍କ ଫସଲ ଉଜାଡି ଦେଇଛି। ଚଳିତ ବର୍ଷ ଭଲ ଅମଳ ହେବା ଚାଷୀମାନେ ଲକ୍ଷ ରଖିଥିବା ବେଳେ ଲଘୁଚାପ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ଚାଷୀ ପ୍ରଭାକର ଖଣ୍ଡା ନିଜର ଦେଢ଼ ଏକର ଜମିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଥିବା ବେଳେ ବର୍ଷାରେ ସମସ୍ତ ପରିବା ଚାଷ ଉଜୁଡି ଯାଇଛି। ସେହିପରି ଚାଷୀ ରମାମଣି ବେହେରା ୪୦ ଡ଼ିସିମିଲ ଜମିରେ ପୋଟଳ, ଲଙ୍କା, ଭେଣ୍ଡି, କୋଶଳା ଶାଗ, ସୁନସୁନିଆ ଶାଗ ଆଦି ଚାଷ କରିଥିବା ବେଳେ ତିନିଦିନ ଧରି କ୍ଷେତ ଗୁଡିକ ପାଣିରେ ବୁଡି ରହିବାରୁ ଲଙ୍କା ଗଛ ଗୁଡିକ ମରିଯାଇଥିବା ବେଳେ ପୋଟଳ ଗଛ ପଚିଯାଇଛି। ଏପରି ସ୍ଥଳେ ଧାର କରଜ କରି ପନି ପରିବା ଚାଷ କରିଥିବା ବେଳେ କିପରି କରଜ ସୁଝିବେ ସେନେଇ ଚିନ୍ତାରେ ପଡିଛନ୍ତି। ସେହିପରି ପ୍ରଦ୍ୟୁମ୍ନ ବେହେରା, ଆନନ୍ଦ ଜେନା, ସୁରେନ୍ଦ୍ର ସାହୁ, ଆତୁଳି ଖଣ୍ଡା, କୈଳାଶ ଗିରି, ପୂର୍ଣ୍ଣ ଚନ୍ଦ୍ର ବେହେରା, ଵିଷ୍ଣୁ ଚରଣ ଖଣ୍ଡା, ତୁଷାର ଦାସ, ଗୋଲଖ ଖଣ୍ଡା, ବଳରାମ ଘଡେଇ, ବଳରାମ ମିଶ୍ର, ସୁଦର୍ଶନ ଖଣ୍ଡା, ଅଭିନ୍ନ ବେହେରା, ଅର୍ଜୁନ ସାହୁ, ନନ୍ଦ କିଶୋର ବେହେରା, ସନାତନ ବେହେରାଙ୍କ ସମେତ ଶହ ଶହ ଚାଷୀଙ୍କ ସମାନ ଅବସ୍ଥା ବୋଲି କହିଛନ୍ତି। ଏକର ଏକର ଜମିରେ ଚାଷୀ ମାନେ ପୋଟଳ, ଭେଣ୍ଡି, ଜହ୍ନି, କାକୁଡି, ଝୁଡ଼ଙ୍ଗ ଓ ଲଙ୍କା ଭଳି ଅନେକ ପନିପରିବା ଚାଷ କରିଥିଲେ। ଏହି ସବୁ ପରିବା ନେଇ ସେମାନେ ନିକଟସ୍ଥ ଛେନା ପଦି ମାର୍କେଟରେ ବିକ୍ରୀ କରି ପରିବାର ଚଳାଇ ଥାନ୍ତି। ହେଲେ ଚଳିତ ଥର ବର୍ଷା ସେମାନଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ଚାରିଦିନ ବିତିଯାଇଥିଲେ ମଧ୍ୟ ଉଦ୍ୟାନ ବିଭାଗ ପକ୍ଷରୁ କେହି ଅଧିକାରୀ ଗାଁ କୁ ଆସି ନାହାନ୍ତି। ଏପରିକି କୌଣସି କ୍ଷୟକ୍ଷତି ମଧ୍ୟ ଆକଳନ କରା ଯାଇନି। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।


